କରୋନା ଯୋଦ୍ଧାଙ୍କ ନାମ ପ୍ରକାଶ କରିପାରିବେ ସରକାର
ସଂକ୍ରମିତଙ୍କ ନାମ ଅଥବା ଗୁଜବ ପ୍ରଚାରରେ ଦୃଢ କାର୍ଯ୍ୟାନୁଷ୍ଠାନ
କଟକ : କରୋନା ସଂକ୍ରମିତ ରୋଗୀ, ସଂଗରୋଧରେ ରହୁଥିବା ବ୍ୟକ୍ତି ଓ ଏମାନଙ୍କ ପରିବାର ସଦସ୍ୟଙ୍କ ପରିଚୟ ଅଥବା ବ୍ୟକ୍ତିଗତ ସୂଚନା ଗୋପନ ରହିବ। ଏଥିପାଇଁ ନିର୍ଦ୍ଦିଷ୍ଟ ବ୍ୟବସ୍ଥା ଅଥବା କୋଡ ନମ୍ବର ପ୍ରଚଳନ ହେବ। ଅନ୍ତଃବିଭାଗୀୟ ସୂଚନା ଆଦାନପ୍ରଦାନ ବେଳେ କୋଡ୍ ନମ୍ବର ବ୍ୟବହାର କରି ଏ ସଂପର୍କିତ ସୂଚନା ନାମବିହୀନ ଭାବେ ଆଦାନ ପ୍ରଦାନ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ସେହିଭଳି କରୋନା ସଂପର୍କରେ ଅନାଧିକୃତ ଭାବେ ନାମ ପ୍ରକାଶ କରୁଥିବା, ଗୁଜବ ପ୍ରଚାର କରୁଥିବା ବ୍ୟକ୍ତିବିଶେଷଙ୍କ ବିରୋଧରେ ତୁରନ୍ତ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଥିବା ବେଳେ କରୋନା ଯୋଦ୍ଧାଙ୍କ ନାମ ପ୍ରକାଶନରେ କିନ୍ତୁ କୌଣସି ସମସ୍ୟା ନାହିଁ ବୋଲି ସ୍ପଷ୍ଟ କରିଛନ୍ତି। ମୁଖ୍ୟ ବିଚାରପତି ଜଷ୍ଟିସ ମହମ୍ମଦ ରଫିକ୍ ଓ ଜଷ୍ଟିସ୍ ଶତ୍ରୁଘନ ପୂଜାହାରୀଙ୍କୁ ନେଇ ଗଠିତ ଖଣ୍ଡପୀଠ କରୋନା ସଂକ୍ରମିତଙ୍କ ପରିଚୟ ପ୍ରଘଟ ପ୍ରସଂଗ ନେଇ ଦାୟର ଜନସ୍ବାର୍ଥ ମାମଲାର ଶୁଣାଣି କରି ଏପରି ରାୟ ପ୍ରଦାନ କରିଛନ୍ତି।
ପ୍ରକାଶିତ ରାୟରେ ଗଣମାଧ୍ୟମର ଦାୟିତ୍ବସଂପନ୍ନ ଆଚରଣ ଉପରେ ଗୁରୁତ୍ବାରୋପ କରାଯାଇଛି। ଉଭୟ ପ୍ରିଣ୍ଟ୍ ଓ ଇଲେକ୍ଟ୍ରୋନିକ୍ ଗଣମାଧ୍ୟମ ଦାୟିତ୍ବସଂପନ୍ନ ହୋଇଥିବା ବେଳେ କରୋନା ସଂକ୍ରମିତଙ୍କ ପରିଚୟ ପ୍ରକାଶ ପ୍ରସଂଗରେ ଅଧିକ ଦାୟିତ୍ବସଂପନ୍ନ ଭାବେ କାର୍ଯ୍ୟ କରିବେ ବୋଲି ଖଣ୍ଡପୀଠ ଆଶା ପ୍ରକାଶ କରିଛନ୍ତି। ଗଣମାଧ୍ୟମ ଏଭଳି ବ୍ୟକ୍ତିଙ୍କ ପରିଚୟ ଅନାଧିକୃତ ଭାବେ ପ୍ରକାଶ କରିବା ଉଚିତ ନୁହେଁ ବୋଲି ଖଣ୍ଡପୀଠ କହିଛନ୍ତି। ସୋସିଆଲ ମିଡିଆରେ କୋଭିଡ-୧୯ ସଂକ୍ରମିତ ରୋଗୀଙ୍କ ନାଁ ଅନାଧିକୃତ ଭାବେ ପ୍ରକାଶ କରାଯାଉଥିବାବେଳେ ରାଜ୍ୟ ସରକାର ଏଭଳି ପ୍ରସଂଗରେ ନିୟମାବଳୀ ଜାରି କରିଛନ୍ତି। ନିୟମ ଉଲ୍ଲଂଘନ କରି ସୋସିଆଲ ମିଡିଆରେ ଏଭଳି ତଥ୍ୟ ପ୍ରକାଶ କରିବା ସହିତ କରୋନା ସଂପର୍କିତ ଗୁଜବ ପ୍ରଚାର ପ୍ରସାର କରୁଥିବା ବ୍ୟକ୍ତିଙ୍କ ବିରୋଧରେ ରାଜ୍ୟ ସରକାର ଆଇନ ଅନୁସାରେ ପଦକ୍ଷେପ ଗ୍ରହଣ କରୁଛନ୍ତି। କିନ୍ତୁ ଏ ସଂପର୍କିତ ନିୟମାବଳୀ ଅଧିକ ଫଳପ୍ରଦ ଭାବେ କାର୍ଯ୍ୟକାରୀ କରାଯିବା ସହିତ ସରକାର ଗୁଜବ ପ୍ରଚାର ଓ ଅନାଧିକୃତ ଭାବେ ସୋସିଆଲ ମିଡିଆ ପ୍ଲାଟଫର୍ମରେ କରୋନା ସଂକ୍ରମିତଙ୍କ ତଥ୍ୟ ପ୍ରସାର ଭଳି ଘଟଣା ଉପରେ ସତର୍କ ଦୃଷ୍ଟି ରଖିବା ଉଚିତ ବୋଲି ରାୟରେ ଉଲ୍ଲେଖ କରାଯାଇଛି। ଯଦି ଏଭଳି ଘଟଣା ସମ୍ମୁଖ ଆସେ ତେବେ ତୁରନ୍ତ ଆଇନ ଅନୁସାରେ ଏଭଳି ବ୍ୟକ୍ତିଙ୍କ ବିରୋଧରେ ପଦକ୍ଷେପ ନିଆଯିବ। ଏପରି ରୋଗୀଙ୍କୁ ନେଇ ସାମାଜିକ ନିନ୍ଦା ଓ ଅପବାଦ ଭଳି ଘଟଣାର ଲୋପ ପାଇଁ ସରକାର ଗ୍ରହଣ କରିଥିବା ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ଅଧିକ କ୍ରିୟାଶୀଳ କରାଯିବା ସହିତ ଏ ପ୍ରକାର ସୂଚନା ରାଜ୍ୟର ସମସ୍ତଙ୍କ ନିକଟରେ ପହଞ୍ଚିବା ଆବଶ୍ୟକ ବୋଲି କୋର୍ଟ ମତ ରଖିଛନ୍ତି। ଅନ୍ୟପଟେ କରୋନା ମୁକାବିଲାରେ ସାମିଲ ହୋଇ ପ୍ରାଣ ହରାଉଥିବା କରୋନା ଯୋଦ୍ଧାଙ୍କ ପରିବାରର ଅନୁମତି ନେଇ ତାଙ୍କୁ ସମ୍ମାନିତ କରାଯାଉଥିବାରୁ ସେ କ୍ଷେତ୍ରରେ କରୋନା ଯୋଦ୍ଧାଙ୍କ ନାଁ ବାହାରେ ପ୍ରକାଶ କରିବାରେ ରାଜ୍ୟ ସରକାରଙ୍କ ପାଇଁ କିଛି ବାଧା ନାହିଁ ବୋଲି କୋର୍ଟ ସ୍ପଷ୍ଟ କରିଛନ୍ତି।
ହାଇକୋର୍ଟ ଏହି ମାମଲାର ଶୁଣାଣି କରି ପ୍ରଥମେ ମେ ୨୮ରେ ନୋଟିସ୍ ଜାରି କରିବା ପରେ ରାଜ୍ୟ ସରକାରଙ୍କ ପକ୍ଷରୁ ଜବାବ ଦାଖଲ କରାଯାଇଥିଲା। ଆଇନଜୀବୀ ଅନଙ୍ଗ କୁମାର ଓତାଙ୍କ ପକ୍ଷରୁ ରୁଜୁ ହୋଇଥିବା ଏହି ମାମଲାକୁ ଆଇନଜୀବୀ ସୁଶାନ୍ତ କୁମାର ଦାଶ ପରିଚାଳନା କରୁଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/11/Odisha-High-Court.jpg)