ଆର୍‌ଟିଆଇରେ ତଥ୍ୟ ମାଗି ବ୍ଲାକମେଲିଂ, ଜେଲ୍‌ଗଲେ ସୂଚନା ଅଧିକାର କର୍ମୀ

ଭୁବନେଶ୍ବର : ସୂଚନା ଅଧିକାର କର୍ମୀ ଭାବେ ପରିଚୟ ଦେଇ ବିଭିନ୍ନ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟରୁ ଆର୍‌ଟିଆଇରେ ତଥ୍ୟ ମାଗିବା ପରେ ବ୍ଲାକମେଲିଂ କରୁଥିଲେ। ଦାବି ମୁତାବକ ଟଙ୍କା ମିଳିଗଲେ ଚୁପ୍‌ ରହୁଥିଲେ। ଅନ୍ୟଥା ଏ ସଂପର୍କିତ ତଥ୍ୟକୁ ନେଇ ବିଭିନ୍ନ କୋର୍ଟ କଚେରିର ଧମକ ଦେଇ ବ୍ଲାକମେଲିଂ କରୁଥିଲେ। ଏଭଳି କାରବାରରେ ଲିପ୍ତ ଥିବା ଜଣେ ବ୍ୟକ୍ତିଙ୍କୁ କେନ୍ଦୁଝର ଟାଉନ ଥାନା ପୁଲିସ ଗିରଫ କରିଛି। ଗିରଫ ବ୍ୟକ୍ତିଙ୍କ ନାମ ହେଲା ଶଶିଭୂଷଣ ପଟ୍ଟନାୟକ। ସେ କେନ୍ଦୁଝର ସହରର ମାଇନିଂ ରୋଡ୍‌ ବାସିନ୍ଦା।

କେନ୍ଦୁଝର ଟାଉନ ଥାନା ପୁଲିସର ସୂଚନା ଅନୁସାରେ, କେନ୍ଦୁଝର ସହରରେ ଥିବା ଓସ୍କା ନାମକ ଏକ ଏନ୍‌ଜିଓକୁ ଗତ ଦୁଇ ମାସ ଧରି ସେ ବ୍ଲାକମେଲିଂ କରି ଲକ୍ଷାଧିକ ଟଙ୍କା ମାଗି ଆସୁଥିଲେ। ଟଙ୍କା ଦେବାକୁ ମନା କରିବାରୁ ଉଦ୍ଦେଶ୍ୟମୂଳକ ଭାବେ ବିଭିନ୍ନ କାର୍ଯ୍ୟାଳୟକୁ ତାଙ୍କ ବିରୋଧରେ ଚିଠି ଲେଖି ବ୍ଲାକମେଲିଂ କରୁଥିଲେ। ଏଥିନେଇ କେନ୍ଦୁଝର ଟାଉନ ଥାନାରେ ଅଭିଯୋଗ କରାଯିବା ପରେ ତଥ୍ୟପ୍ରମାଣ ଆଧାରରେ କେନ୍ଦୁଝର ଟାଉନ ଥାନା ପୁଲିସ ଆଜି ଶଶିଭୂଷଣ ପଟ୍ଟନାୟକଙ୍କୁ ତାଙ୍କ ଘରୁ ଗିରଫ କରି କୋର୍ଟଚାଲାଣ କରାଯାଇଛି। ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ଜେଲ୍‌ ହାଜତକୁ ପଠାଇ ଦିଆଯାଇଛି। ତାଙ୍କ ବିରୋଧରେ କେସ୍‌ ନଂ-୧୮୦ ରୁଜୁ କରାଯାଇ ୩୮୫, ୩୮୭, ୫୦୬, ୪୧୧ ଆଦି ଦଫା ଲଗାଯାଇଛି।

ସମ୍ବନ୍ଧିତ ଖବର