କରୋନା ସଂକ୍ରମିତ ଜ୍ୱର ମାପିବା ପାଇଁ ବ୍ୟବହାର କରାଯିବ ଇନ୍‌ଫ୍ରାରେଡ୍‌ ଥର୍ମୋମିଟର୍‌

ଭୂତାଣୁ ସଂକ୍ରମଣ ନେଇ ୫ଟି ନମୁନାରୁ ୪ଟି ନେଗେଟିଭ୍‌: ଡିଏମ୍‌ଇଟି

ଭୁବନେଶ୍ବର : କରୋନା ଭୂତାଣୁ ସଂକ୍ରମିତ ଲକ୍ଷଣ ଦେଖାଦେଉଥିବା ରୋଗୀଙ୍କ ଜ୍ବର ମାପିବା ପାଇଁ ଇନ୍‌ଫ୍ରାରେଡ୍‌ ଥର୍ମୋମିଟର୍‌ ବ୍ୟବହାର କରାଯିବ। ଏଥିପାଇଁ ଆଜି କଟକ ଏସ୍‌ସିବି ମେଡିକାଲକୁ ୨ଟି ଓ ଭୁବନେଶ୍ବର କ୍ୟାପିଟାଲ୍‌ ହସ୍ପିଟାଲକୁ ଗୋଟିଏ ଇନ୍‌ଫ୍ରାରେଡ୍‌ ଥର୍ମୋମିଟର ଯୋଗାଇ ଦିଆଯାଇଛି। ରୋଗୀକୁ ନ ଛୁଇଁ କିଛି ଦୂରତାରୁ ଏହି ଥର୍ମୋମିଟର ଜରିଆରେ ଜ୍ବର ମାପି ହେବ। କରୋନା ସ୍ଥିତି ନେଇ ଡିଏମ୍‌ଇଟି ପ୍ରଫେସର୍‌ ସି.ବି.କେ ମହାନ୍ତି ସୂଚନା ଦେଇ କହିଛନ୍ତି ଯେ ମୁମ୍ବାଇସ୍ଥିତ ଏନ୍‌ଆଇଭିକୁ ପଠାଯାଇଥିବା ୫ ଜଣଙ୍କ ରକ୍ତ ନମୁନାରୁ ୪ ଜଣଙ୍କର ନେଗେଟିଭ୍ ରିପୋର୍ଟ ଆସିଛି। ଏସ୍‌ସିବି ଆଇସୋଲେସନ୍‌ ଵାର୍ଡ଼ରେ ଚିକିତ୍ସିତ ହେଉଥିବା କନ୍ଧମାଳର ଜନୈକ ବ୍ୟକ୍ତିଙ୍କ ରକ୍ତ ପରୀକ୍ଷା ରିପୋର୍ଟ ଏ ପର୍ଯ୍ୟନ୍ତ ଆସିନାହିଁ। ପରବର୍ତୀ ପର୍ଯ୍ୟାୟରେ ବୁର୍ଲା ଏବଂ ବ୍ରହ୍ମପୁରକୁ ଯୋଗାଇ ଦିଆଯିବ।

ଶ୍ରୀ ମହାନ୍ତି କହିଛନ୍ତି, ୨୦୨୦ ମସିହା ଜାନୁଆରି ୧୫ ତାରିଖ ପରେ ଚୀନ୍, ହଂକଂ, ଥାଇଲାଣ୍ଡ୍ ଓ ସିଙ୍ଗାପୁର ଦେଶରୁ ଫେରିଥିବା ବ୍ୟକ୍ତିମାନଙ୍କ ସମ୍ପର୍କରେ ସୂଚନା ପ୍ରଦାନ କରିବାକୁ ସ୍ବାସ୍ଥ୍ୟ ବିଭାଗର କଣ୍ଟ୍ରୋଲ୍‌ ରୁମ୍‌କୁ ୦୬୭୪- ୨୩୯୦୪୬୬/ ୯୪୩୯୯୯୪୮୫୭/ ୯୪୩୭୦୪୦୫୬୪ ନମ୍ବରରେ ଜଣାଇବାକୁ ସମସ୍ତ ଜିଲ୍ଲା ପ୍ରଶାସନକୁ ଜଣାଇ ଦିଆଯାଇଛି। ଏହାସହିତ ବ୍ୟକ୍ତିବିଶେଷ, ଶିକ୍ଷାନୁ୍ଷ୍ଠାନ, ବ୍ୟବସାୟିକ ପ୍ରତିଷ୍ଠାନ ଏବଂ ବିଭିନ୍ନ କର୍ମସଂସ୍ଥାନମାନଙ୍କୁ ମଧ୍ୟ ଏ ବିଷୟରେ ଅବଗତ କରିବାକୁ ଜିଲ୍ଲା ସ୍ବାସ୍ଥ୍ୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। କରୋନା ପାଇଁ ଭାରତ ସରକାର ଜାରି କରିଥିବା ଗାଇଡଲାଇନ୍ ଅନୁଯାୟୀ ଆକ୍ରାନ୍ତଙ୍କ ପରିଚୟ ଗୋପନ ରଖାଯିବ ବୋଲି ଡିଏମ୍‌ଇଟି କହିଥିଲେ।

ସମ୍ବନ୍ଧିତ ଖବର