ଅଲାରନାଥ ପୀଠର ଭିତ୍ତିଭୂମି ବିକାଶ ପ୍ରସଙ୍ଗ: ୪ମାସ ପରେ ବି ପଡ଼ିଲାନି ମୁଠାଏ ବାଲି

ବ୍ରହ୍ମଗିରି : ଶ୍ରୀଅଲାରନାଥଙ୍କ ପୀଠ ଝଲସିବ। ଏହି ପ୍ରସିଦ୍ଧ ମନ୍ଦିର ନୂଆରୂପରେ ଶୋଭା ପାଇବ। ଏହାକୁ ଦେଖିବାକୁ ଶ୍ରଦ୍ଧାଳୁଙ୍କ ସହ ପର୍ଯ୍ୟଟକ ଆକର୍ଷିତ ହେବେ। ସେଥିପାଇଁ ମୁଖ୍ୟମନ୍ତ୍ରୀ ୮ କୋଟି ଟଙ୍କା ମଞ୍ଜୁର କରିଛନ୍ତି। ପ୍ରକଳ୍ପ ମଞ୍ଜୁର ହେବାର ୪ମାସ ବିତିଗଲାଣି। ହେଲେ ଏଥିଲାଗି ମୁଠାଏ ବାଲି ପଡ଼ିନାହିଁ କିମ୍ବା ଛୋଟକାଟିଆ କାମ ଲାଗି ମାପଚୁପ ମଧ୍ୟ ଆରମ୍ଭ ହୋଇନି। ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଧୀରେଧୀରେ ଅସନ୍ତୋଷର ଦାନା ବାନ୍ଧିବା‌ରେ ଲାଗିଛି।

ସୂଚନାଯୋଗ୍ୟ ଯେ ଅଲାରନାଥ ପୀଠର ବିକାଶ ଲାଗି ବହୁବର୍ଷ ହେବ ଦାବି ହୋଇ ଆସୁଥିଲା। ରାଜ୍ୟ ସରକାର ମଧ୍ୟ ଏହାର ବିକାଶ ଲାଗି ନୀତିଗତ ନିଷ୍ପତ୍ତି ନେଇଥିଲେ। ୫ଟି ସଚିବଙ୍କ ଗସ୍ତ ପରେ ପୀଠର ବିକାଶର ଲାଗି ଡିଜାଇନ ପ୍ରସ୍ତୁତ କରିବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଲେ। ଏହା ପରେ ବାରମ୍ବାର ଉଚ୍ଚସ୍ତରୀୟ ବୈଠକ ହେଲା। ଉନ୍ନୟନ କମିସନରଙ୍କଠାରୁ ଆରମ୍ଭ କରି ଅନେକ ପଦାଧିକାରୀ ମନ୍ଦିର ବୁଲି ଦେଖିଲେ। ଶେଷରେ ମୁଖ୍ୟମନ୍ତ୍ରୀ ପୀଠର ବିକାଶ ପାଇଁ ୮ କୋଟି ଟଙ୍କାର ପ୍ୟାକେଜ୍‌ ଘୋଷଣା କଲେ। ଏହା ମନ୍ଦିର ବେଢ଼ା ଭିତର ଏବଂ ବାହାରର ବିକାଶରେ ବିନିଯୋଗ ହେବ ବୋଲି ଜଣାପଡ଼ିଥିଲା। ସେଥିମଧ୍ୟ‌ରେ ଅରୁଣସ୍ତମ୍ଭ, ପାର୍କିଂ, ପୀଠକୁ ସଂଯୋଗ କରୁଥିବା ରାସ୍ତା, ଚାପ ପୋଖରୀ, ଅଡିଟୋରିୟମ୍‌ ପ୍ରଭୃତି ରହିଥିଲା କାମ ପାଇଁ ଓବିସିସି ଅଧିକାରୀ ଆସିବା ସହ ବିକାଶର ବିସ୍ତୃତ ନକ୍ସା ପ୍ରସ୍ତୁତ କରି ଏହାକୁ ଜିଲ୍ଲା ପ୍ରଶାସନ ଓ ରାଜ୍ୟସରକାରଙ୍କୁ ପ୍ରଦାନ କଲେ। ହେଲେ କେଜାଣି କାହିଁକି ଏବେ ସୁଦ୍ଧା କାର୍ଯ୍ୟାରମ୍ଭ ହୋଇନି। ତୁରନ୍ତ ଏ ଦିଗରେ ଧ୍ୟାନ ଦେବାକୁ ଅଞ୍ଚଳବାସୀ ଓ ସେବାୟତମାନେ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର