କୋରାପୁଟ: ସବୁ ଡାକ୍ତରଖାନା କୋଠା ଚକାଚକ୍। ଅତ୍ୟାଧୁନିକ ଯନ୍ତ୍ରପାତି ମଧ୍ୟ ମହଜୁଦ ଅଛି। ମାଗଣା ଔଷଧ ସହ ସମସ୍ତ ପରୀକ୍ଷାନିରୀକ୍ଷା ଲାଗି ଫାର୍ମାସିଷ୍ଟ୍ ଓ ଷ୍ଟାଫ୍ ନର୍ସଙ୍କୁ ନିଯୁକ୍ତି ଦିଆଯାଇଛି। ଅଥଚ ରୋଗ ନିରୂପଣ ପାଇଁ ନାହାନ୍ତି ଡାକ୍ତର। ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରଠୁ ଆରମ୍ଭ କରି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସବୁଠି ଡାକ୍ତର ମରୁଡ଼ିର ଚିତ୍ର ସମାନ। ଏମ୍‌ବିବିଏସ୍, ଆସିଷ୍ଟାଣ୍ଟ୍ ସର୍ଜନ, ବିଶେଷଜ୍ଞଙ୍କୁ ଛାଡ଼ିଲେ ଆୟୁଷ ଡାକ୍ତରଙ୍କ ସ୍ଥିତି ମଧ୍ୟ ଜିଲ୍ଲାରେ ଚିନ୍ତାଜନକ। ବାରମ୍ବାର ଦାବି ସତ୍ତ୍ବେ ଡାକ୍ତର ନିଯୁକ୍ତି ହୋଇପାରୁନଥିବାରୁ ଉତ୍ତମ ସ୍ବାସ୍ଥ୍ୟସେବାରୁ ବଞ୍ଚିତ ହୋଇଛନ୍ତି କୋରାପୁଟ ଜିଲ୍ଲାବାସୀ।

Advertisment

କୋରାପୁଟ ଜିଲ୍ଲାରେ ଗୋଟିଏ ମେଡିକାଲ କଲେଜ, ଗୋଟିଏ ଜିଲ୍ଲା ଚିକିତ୍ସାଳୟ, ୧୬ଟି ସ୍ବାସ୍ଥ୍ୟକେନ୍ଦ୍ର, ୪ଟି ସହରାଞ୍ଚଳ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର, ୪ଟି ସହରାଞ୍ଚଳ ସ୍ବାସ୍ଥ୍ୟ ଆରୋଗ୍ୟ କେନ୍ଦ୍ର, ୪୭ଟି ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ଓ ୩୦୭ଟି ସ୍ବାସ୍ଥ୍ୟ ଉପକେନ୍ଦ୍ର ରହିଛି। ଜିଲ୍ଲାରେ ଏବେ ୧୨ଲକ୍ଷ ଅଧିବାସୀ ବସବାସ କରୁଛନ୍ତି। ଜନସଂଖ୍ୟା ସହ ରୋଗୀଙ୍କ ସଂଖ୍ୟା ମଧ୍ୟ ଦିନକୁ ଦିନ ବୃଦ୍ଧି ପାଉଛି। ମେଡିକାଲ୍ କଲେଜ ଓ ଜିଲ୍ଲା ଚିକିତ୍ସାଳୟକୁ ଦୈନିକ ପ୍ରାୟ ୨୦୦୦ ରୋଗୀଙ୍କ ଆଗମନ ହେଉଛି। ୧୮୦୦ ରୋଗୀ ଆଡମିଟ୍ ହେଉଥିବା ବେଳେ ୨୦୦ ରୋଗୀ ଚିକିତ୍ସିତ ହୋଇ ଫେରୁଛନ୍ତି। ୨୦୨୩-୨୪ ବର୍ଷର ଡିସେମ୍ବର ମାସ ସୁଦ୍ଧା ୫୦ହଜାର ୭୦୦ ରୋଗୀ ଚିକିତ୍ସା ସୁବିଧା ପାଇଛନ୍ତି। ୨୦୨୨-୨୩ରେ ୬୦ ହଜାର, ୨୦୨୧-୨୨ରେ ୭୦ ହଜାର ଓ ୨୦୨୦-୨୧ରେ ୬୫ ହଜାର ରୋଗୀ ଚିକିତ୍ସିତ ହୋଇଛନ୍ତି।

ଡାକ୍ତର ମରୁଡ଼ି ସତ୍ତ୍ବେ ଏତେ ସଂଖ୍ୟକ ରୋଗୀଙ୍କ ଚିକିତ୍ସା କିପରି ହେଉଛି ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଜିଲ୍ଲାରେ ୫୬୯ଟି ଡାକ୍ତର ପଦବିକୁ ସରକାର ମଞ୍ଜୁର କରିଛନ୍ତି। ସେଥି ମଧ୍ୟରୁ ୩୫୨ ଡାକ୍ତର କାର୍ଯ୍ୟରତ ଅଛନ୍ତି। ୨୧୭ ଡାକ୍ତର ପଦବି ଖାଲି ପଡ଼ିଛି। ସେହିପରି ଜିଲ୍ଲାରେ ୬୦ ଆୟୁଷ ଡାକ୍ତର କାର୍ଯ୍ୟ କରିବା ପାଇଁ ସ୍ବାସ୍ଥ୍ୟ ବିଭାଗ ଅନୁମତି ଦେଇଛି। ହେଲେ ମାତ୍ର ୧୧ ଆୟୁଷ ଡାକ୍ତର କାର୍ଯ୍ୟ କରୁଛନ୍ତି। ଦୀର୍ଘ ବର୍ଷ ହେଲା ୫୦ ପଦବି ଖାଲି ପଡ଼ିଛି। ନିୟମିତ ଚାକିରି ସହ ଅନ୍ୟାନ୍ୟ ନ୍ୟାଯ୍ୟ ଦାବି ପୂରଣ ଦିଗରେ ସରକାର ଅବହେଳା କରୁଥିବାରୁ ଏହି ଜିଲ୍ଲାକୁ ଆୟୁଷ ଡାକ୍ତର ଆସିବାକୁ ନାରାଜ। କାର୍ଯ୍ୟରତ ୧୧ ଆୟୁଷ ଡାକ୍ତରଙ୍କ ମଧ୍ୟରୁ ୩ ଜଣ ସିଏଚସିରେ ଓ ୮ ଜଣ ପିଏଚ୍‌ସିରେ ନିଯୁକ୍ତ ହୋଇଛନ୍ତି। ଡାକ୍ତର ଓ ଆୟୁଷ ଡାକ୍ତର ପଦବି ପୂରଣ ପାଇଁ ରାଜ୍ୟସ୍ତରୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଚିଠି ‌ଲେଖାଯାଇଛି ବୋଲି ସ୍ବାସ୍ଥ୍ୟ ବିଭାଗ ଅଧିକାରୀ କହିଛନ୍ତି।