୬ ମାସ ପୂର୍ବରୁ ହବିବୁରର ଆତଙ୍କୀ କାର୍ଯ୍ୟକଳାପ ସଂପର୍କରେ ସୂଚନା ମିଳିଥିଲା

ଏନ୍‌ଆଇଏ, ପୁଲିସ ଚଳାଇଥିଲେ ଖୋଳତାଡ଼

ଗରଦପୁର: କୁଖ୍ୟାତ ଆତଙ୍କବାଦୀ ସଂଗଠନ ଲସ୍କରର ସହଯୋଗୀ ବୋଲି କୁହାଯାଉଥିବା ହବିବୁର୍‌ ରହେମାନ୍‌କୁ ଗତକାଲି ଏନ୍‌ଆଇଏ ଗିରଫ କରିଥିଲେ ହେଁ ଏହାର ୬ ମାସ ପୂର୍ବରୁ ତାର ଆତଙ୍କୀ କାର୍ଯ୍ୟକଳାପ ସଂପର୍କରେ ସୂଚନା ମିଳିଥିଲା। ଏ ସଂପର୍କରେ ଏନ୍‌ଆଇଏ ଏବଂ ରାଜ୍ୟ ପୁଲିସ ପକ୍ଷରୁ ଖୋଳତାଡ଼ ମଧ୍ୟ ଆରମ୍ଭ ହୋଇଥିଲା।  ୬ ମାସ ତଳେ ହବିବୁରର ସାନଭାଇ ଗୁଠୁଙ୍କୁ ପାଟକୁରା ପୁଲିସ ଥାନାକୁ ଡାକିଥିଲା। ପରିବାରର ଚଳଣି, କାରବାର ଏବଂ ହବିବୁର ସଂପର୍କରେ ପଚାରି ତଥ୍ୟ ସଂଗ୍ରହ କରିଥିଲା। ପରେ ଗୁଠୁଙ୍କୁ ଏନ୍‌ଆଇଏ  ଦିଲ୍ଲୀ ଡାକି ପଚରାଉଚରା ମଧ୍ୟ କରିଥିଲା।  କେବଳ ସେତିକି ନୁହେଁ, ହବିବୁରର ଅନ୍ୟ ଏକ ଭାଇ ଜିଆଉର ରହେମାନ ଓରଫ ଜିଆଙ୍କୁ ମଧ୍ୟ ସାଉଦିରୁ ଡକା ଯାଇଥିଲା। ଦୁଇ ଭାଇଙ୍କୁ ସେଠାରେ ୬ଦିନ ରଖି ଏନଆଇଏ ଅଧିକାରୀ ବିଭିନ୍ନ ପର୍ଯ୍ୟାୟରେ ଜେରା କରିଥିଲେ। ସେମାନଙ୍କୁ ବାଟ ଖର୍ଚ୍ଚ ଦେବା ସହ ମୋବାଇଲ ଫୋନ୍‌ ଅନ୍‌ ରଖିବ ଏବଂ ଯେବେ ଡାକରା ପାଇବ, ଆସିବ ବୋଲି କହି ଛାଡ଼ି ଦେଇଥିଲେ। ତେବେ ତା’ ପରଠାରୁ ସେମାନଙ୍କ ସହ ଅନ୍ୟ କୌଣସି ପ୍ରକାର ଯୋଗାଯୋଗ କରିନଥିଲା। ଗତକାଲି ହବିବୁର ରହେମାନକୁ ଗିରଫ କରାଯାଇଥିବା ଖବର ପାଟକୁରା ଥାନା ପୁଲିସଠାରୁ ରାତିରେ ଜାଣିବାକୁ ପାଇଲେ ବୋଲି କହିଛନ୍ତି ଗୁଠୁ।

ଦୁଇ ଭାଇଙ୍କୁ ପୂର୍ବରୁ ଦିଲ୍ଲୀରେ ଜେରା କରିଥିଲା ଏନ୍‌ଆଇଏ

ପୁଅ ଦେଶଦ୍ରୋହୀ ହୋଇଥିଲେ ଦଣ୍ଡପାଉ: ବାପା ହିଟଲର୍‌

ହବିବୁର୍‌ର ଖ୍ରୀଷ୍ଟୀୟାନ ଓ ମୁସଲିମ୍‌ ପତ୍ନୀ

ପାଟକୁରା ଥାନାଠାରୁ ୨୫ କିଲୋମିଟର ଦୂର ତେଣ୍ଡାକୁଡା ପଂଚାୟତ ମୀର ମହଲା ମୁସଲିମ ବସ୍ତିରେ ରୁହନ୍ତି ହବିବୁର ରହେମାନର ପରିବାର। ଗତକାଲି ରାତିରେ ପାଟକୁରା ଥାନା ପୁଲିସ ସେଠାରେ ପହଞ୍ଚି ପରିବାର ଲୋକଙ୍କୁ ଜେରା କରିଥିଲା। ୭୫ ବର୍ଷ ବୟସ୍କ ମିର ଅୟେନ ଉଦ୍ଦିନ ଓରଫ ହିଟଲରଙ୍କ ୩ପୁଅଙ୍କ ମଧ୍ୟରେ ହବିବୁର ବଡ। ହିଟଲରଙ୍କ କହିବା ଅନୁଯାୟୀ ଗାଁରେ କେବଳ ମଝିଆ ପୁଅ ଗୁଠୁ ଓ ତାଙ୍କ ପରିବାର ରହୁଛନ୍ତି। ଗୁଠୁ ଏକ ସ୍କୁଲ୍‌ ବସ୍‌ ଚଳାଉଛନ୍ତି। ସାନପୁଅ ଜିଆ ସାଉଦି ଆରବରେ ରହୁଛନ୍ତି। ୧୯୮୫ରୁ ହବିବୁର୍‌ ଗାଁ ଛାଡ଼ି ଚାଲି ଯାଇଛି। ୨୦୦୬ରେ କିଛି ଦିନ ପାଇଁ ଆସିଥିଲା। ତା’ ପରଠାରୁ ଆଉ ସଂପର୍କ ନାହିଁ ବୋଲି ହିଟଲର୍‌ କହିଛନ୍ତି। ହବିବୁର୍‌ ମିର ମହଲା ବସ୍ତିରେ ଥିବା ଉର୍ଦ୍ଦର୍ୁ ସ୍କୁଲରେ ମାତ୍ର ତୃତୀୟ ଶ୍ରେଣୀ ଯାଏ ପାଠ ପଢିଛି। ୧୮ବର୍ଷ ପଯ୍ୟର୍ନ୍ତ ସେ ତେଣ୍ଡାକୁଡା ଗାଁ ରେ ରହିଥିଲା। ହବିବୁରର ହାବଭାବ ବି ସେତେବେଳେ କିଛିଟା ଅଲଗା ଥିଲା। ସେ ଚର୍ଚ୍ଚ ଯାଉଥିଲା। ଆଉ ଶୁକ୍ରବାର ମସଜିଦ୍‌ ଯାଇ ନମାଜ ପଢୁଥିଲା। ଅଧିକାଂଶ ସମୟ ଟିଭି, ରେଡିଓ ଶୁଣି ବିତାଉଥିଲା। ଘର ଛାଡି ଚାଲି ଯିବା ପୂର୍ବରୁ ସେ ପ୍ରାୟ ସମୟ ଚୁପ୍‌ଚାପ୍‌ ରହୁଥିଲା। ବାପା ହିଟଲର ସେତେବେଳେ ଟେଲ୍‌କୋରେ ଚାକିରି କରୁଥିବାରୁ ହବିବୁରକୁ ନେଇ ରାଉରକେଲାର ଏକ ଗ୍ୟାରେଜରେ କାମ ଶିଖାଇଥିଲେ। ଗ୍ୟାରେଜରେ ସେ ପେଣ୍ଟିଂ ଓ ଡେଣ୍ଟିଂ କାମ ଶିଖିବା ପରେ ସେଠାରୁ ବମ୍ବେ ଚାଲିଯାଇଥିଲା। ବମ୍ବେର ଏକ ଗ୍ୟାରେଜରେ ରହି କାମ କରିଥିଲା । ସେଠାରେ ଜଣେ ଖ୍ରୀଷ୍ଟୀୟାନ ମହିଳାଙ୍କୁ ବିବାହ କରିଥିଲା । ବିବାହର ବର୍ଷକ ପରେ ଅନ୍ୟଜଣେ ମୁସଲିମ ମହିଳାଙ୍କୁ ମଧ୍ୟ ବିବାହ କରିଥିଲା। ସେହି ମୁସଲିମ ମହିଳା ଜଣକ ଏବେ ମୁମ୍ବାଇରେ ରହୁଛନ୍ତି। ୨୦୦୪ ମସିହାରେ ହଜ୍‌ କରିବାକୁ ମକା ମଦିନା ଯାଇଥିବା ବେଳେ ସେଠାରେ ହବିବୁର୍‌ ସହିତ ଦେଖା ହୋଇଥିଲା ବୋଲି ହିଟଲର୍‌ କହିଛନ୍ତି। ହବିବୁର୍‌ ସାଉଦିରେ ରହଛି ବୋଲି ସେ ସେତେବେଳେ ଜାଣିଥିଲେ। କିନ୍ତୁ ଘର ସହିତ କୌଣସି ସଂପର୍କ ରଖୁ ନଥିବାରୁ ହିଟଲର ହବିବୁର ଉପରେ ବିରକ୍ତ ହେବାରୁ ସେ ଭୁଲ ମାଗିଥିଲା ବୋଲି ହିଟଲର କହିଛନ୍ତି। ଏହା ପରେ ୨୦୦୪ରୁ ୨୦୦୬ ଯାଏ ହବିବୁର ଘର ସହିତ ସଂପର୍କ ରଖିଥିଲା । ଗୁଠୁଙ୍କର ୨୦୦୬ରେ ବିବାହ ହୋଇଥିଲା ବେଳେ ହବିବୁର ସାଙ୍ଗରେ ପ୍ରଥମ ସ୍ତ୍ରୀ (ଖ୍ରୀଷ୍ଟୀୟାନ ମହିଳା) ଓ ଦୁଇ ପିଲାଙ୍କୁ ଧରି ଆସିଥିଲା। ଘରେ ଗୋଟିଏ ସପ୍ତାହ ରହି ଯାଇଥିଲା। କିନ୍ତୁ ତା’ ପରଠୁ ସେ ଆଉ ଘର ସହିତ କୌଣସି ସଂପର୍କ ରଖି ନାହିଁ ବୋଲି ଉଭୟ ହିଟଲର୍‌ ଓ ଗୁଠୁ କହିଛନ୍ତି। ତାଙ୍କ ପାଇଁ ଗାଁ ଓ ଦେଶ ବଡ଼। ଯଦି ତାଙ୍କ ପୁଅ ଦେଶଦ୍ରୋହ କାଯ୍ୟର୍ର୍ କରିଥିବା ପ୍ରମାଣିତ ହେଉଛି ତେବେ ତାକୁ ଦଣ୍ଡ ମିଳିବା ଆବଶ୍ୟକ। ଆମେ ଯଦି ଦେଶଦ୍ରୋହ, ଆତଙ୍କବାଦ କାଯ୍ୟର୍ର୍ରେ ସହଯୋଗ କରିଥିବା ପ୍ରମାଣିତ ହେବ ଆମକୁ ମଧ୍ୟ ଦଣ୍ଡ ମିଳୁ ବୋଲି ହିଟଲର୍‌ କହିଛନ୍ତି।

ହବିବୁର୍‌ର ବାପା ହିଟଲର ଦୀର୍ଘ ବର୍ଷ ଧରି ମୀର ମହଲା ବସ୍ତିର ସର୍ଦାର ରହି ଆସିଥିଲେ। କିନ୍ତୁ ବସ୍ତିରେ ଅବଦୁଲ ସତାର ହତ୍ୟା ଘଟଣା ପରେ ସେ ବିବାଦକୁ ଆସିଥିଲେ। ବସ୍ତିର ଗୋଲଡେନ କ୍ଲବ ବାରଣ୍ଡାରେ ବସିଥିଲା ବେଳେ ଅବଦୁଲ ସତାରଙ୍କୁ ଦୁର୍ବୃତ୍ତମାନେ ଗୁଳି କରି ହତ୍ୟା କରିଥିଲେ। ଏହି ଘଟଣାରେ ପୁଲିସ ହିଟଲର ଓ ତାଙ୍କ ପୁଅ ଗୁଠୁଙ୍କୁ ଅନେକ ଥର ପଚରାଉଚରା କରିଥିଲା। ଏହି ଘଟଣାକୁ ନେଇ ବସ୍ତି ବାସିନ୍ଦା ହିଟଲରଙ୍କୁ ସର୍ଦାର ପଦରୁ ହଟାଇ ଦେଇଥିଲେ। ଗ୍ୟାଙ୍ଗଷ୍ଟରଙ୍କ ଗୁପ୍ତ ଆଡ୍ଡା ତେଣ୍ଡାକୁଡ଼ା-କ୍ରିଷ୍ଣାନନ୍ଦପୁର ତେଣ୍ଡାକୁଡା ଓ କ୍ରିଷ୍ଣାନନ୍ଦପୁର ଅଞ୍ଚଳ କେନ୍ଦ୍ରାପଡା, ଜଗତସିଂହପୁର ଓ କଟକ ଜିଲ୍ଲାର ସୀମାରେ ରହିଛି। ଜିଲ୍ଲା ପୁଲିସ ମୁଖ୍ୟାଳୟଠାରୁ ଦୂରରେ ରହୁଥିବାରୁ ବହୁ ସମୟରେ ଅପରାଧୀମାନେ ସଂଗଠିତ ଅପରାଧ ଘଟାଇ ଏହି ସ୍ଥାନରେ ଆଶ୍ରୟ ନେଇଥାନ୍ତି। ଏହି ଅଂଚଳରେ ବିଭିନ୍ନ ଗ୍ୟାଙ୍ଗଷ୍ଟର ଆଡ୍ଡା ଜମାନ୍ତି। ବିିଭିନ୍ନ ସଂପ୍ରଦାୟର ଯୁବକ ବି ସେମାନଙ୍କ ଗୋଷ୍ଠୀରେ ସାମିଲ ହୋଇ ଅସାମାଜିକ କାଯ୍ୟର୍ରେ ଲିପ୍ତ ରହୁଥିବା ପୁଲିସ ରେକର୍ଡ କହୁଛି । ଏଭଳି ପରିବେଶର ବଢିଥିବା ହବିବୁର୍‌ ପରବର୍ତ୍ତୀ ସମୟରେ ମୌଳବାଦୀଙ୍କ ସଂସ୍ପର୍ଶରେ ଆସି ଘରଛାଡି ଆତଙ୍କବାଦୀ ସଂଗଠନରେ ଯୋଗ ଦେଇଥିବା ସନ୍ଦେହ କରାଯାଉଛି। କିନ୍ତୁ ହବିବୁର ଏହି ଅଞ୍ଚଳର ଅନ୍ୟ କାହା ସହିତ ସଂପର୍କରେ ଥିଲା, ସେ ସଂପର୍କରେ ଏବେ ପୁଲିସ ଖୋଳତାଡ଼ ଜାରି ରଖିଛି।

ସମ୍ବନ୍ଧିତ ଖବର