ଭୁବନେଶ୍ବର : ନକଲି ସାର ବ୍ୟବହାର କରି ଚାଷୀ ଖର୍ଚ୍ଚାନ୍ତ ହେଉଛି। ଉତ୍ପାଦନ ବି ବାଧାପ୍ରାପ୍ତ ହେଉଛି। କିନ୍ତୁ ଏଥିରେ ଲଗାମ ଲଗାଇବା ପାଇଁ ରାଜ୍ୟ ସରକାରଙ୍କ କୌଣସି ଠୋସ ବ୍ୟବସ୍ଥା ଗ୍ରହଣ କରୁନାହାନ୍ତି। ବର୍ଷାଧିକ କାଳ ହେଲା ସାର ଯାଞ୍ଚ ପାଇଁ ସ୍ବତନ୍ତ୍ର ପ୍ରବର୍ତ୍ତନ ନିର୍ଦେଶାଳୟ ପାଇଁ ପ୍ରସ୍ତାବ ଦିଆଯାଇଥିଲେ ମଧ୍ୟ ଏହାକୁ ଅନୁମୋଦନ ମିଳିପାରୁନାହିଁ। ୩୦ଟି ଜିଲ୍ଲା ପାଇଁ ମାତ୍ର ୩ଟି ସାର ପରୀକ୍ଷାଗାର ଭୁବନେଶ୍ବର, ସମ୍ବଲପୁର ଏବଂ ରାୟଗଡ଼ାରେ ରହିଛି। କିନ୍ତୁ ସେଠାରେ ମଧ୍ୟ କୃଷି ବିଭାଗ ନିଜ ଧାର୍ଯ୍ୟ ଲକ୍ଷ୍ୟ ପୂରଣ କରି ପାରୁନାହିଁ। ବ୍ରହ୍ମପୁର ଏବଂ ବାଲେଶ୍ବରରେ ପରୀକ୍ଷାଗାର ନିର୍ମାଣାଧୀନ ରହିଛି। ଏଭଳି ସ୍ଥିତିରେ କେବଳ ଖରିଫରେ ୧୧ଶହ କୋଟିରୁ ଉର୍ଧ୍ବ ଟଙ୍କାର ରାସାୟନିକ ସାର କାରବାରର ସ୍ବଚ୍ଛତାକୁ କିଏ ଦେଖିବ ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏଭଳି ସମୟରେ ସାର୍ ପାଇଁ ଲାଞ୍ଚ କାରବାର ଅଭିଯୋଗରେ ଜଣେ ଅଧିକାରୀ ଭିଜିଲାନ୍ସରେ ଧରାପଡ଼ିବା ଘଟଣା ଏହି ପ୍ରସଙ୍ଗର ଗମ୍ଭୀରତା ବଢ଼ାଇ ଦେଇଛି।

Advertisment

କୃଷି ବିଭାଗରୁ ମିଳିଥିବା ସୂଚନା ଅନୁସାରେ, ଖରିଫରେ ଓଡ଼ିଶାକୁ ୯ ଲକ୍ଷ ଏବଂ ରବିରେ ୩ ଲକ୍ଷ ମେଟ୍ରିକ ଟନର ରାସାୟନିକ ସାରର ଆବଶ୍ୟକତା ଥାଏ। ଏଥିରୁ କେବଳ ଖରିଫରେ ୟୁରିଆରେ ସର୍ବାଧିକ ୪ ଲକ୍ଷ ମେଟ୍ରିକ ଟନ, ଡିଏପି ୨ ଲକ୍ଷ, ଏମଓପି ଏବଂ ଏନପିକେର ଚାହିଦା ୧ ଲକ୍ଷ ମେଟ୍ରିକ ଟନ ଲେଖାଏ ରିହାତିରେ ବିକ୍ରି ହୁଏ। ୟୁରିଆ ବ୍ୟତୀତ ଅନ୍ୟ ତିନୋଟି ଯାକ ସାରର ଦର ଆକାଶ ଛୁଆଁ ହୋଇଛି। ସମବାୟ ସମିତି, ଡିଲର ଜରିଆରେ ଏମାନଙ୍କ କାରବାର ସମ୍ପର୍କରେ ପୋର୍ଟାଲରେ କୃଷି ବିଭାଗ ପାଖରେ ତଥ୍ୟ ରହିଛି। ନିୟମ ଅନୁଯାୟୀ, କୃଷି ବିଭାଗର ଟିମ ବିଭିନ୍ନ ସ୍ଥାନରୁ ଏହାର ନମୁନା ସଂଗ୍ରହ କରି ପରୀକ୍ଷାଗାରକୁ ପଠାଇବେ। ୧୫ ଦିନ ମଧ୍ୟରେ ଏହାର ଫଳାଫଳ ରିପୋର୍ଟ ଦିଆଯାଏ। ନକଲି ସାର ଉପରେ ଲଗାମ ପାଇଁ ସାର ପ୍ରସ୍ତୁତକାରୀ କମ୍ପାନି କିମ୍ବା ଡିଲର ଉପରେ କାର୍ଯ୍ୟାନୁଷ୍ଠାନ ହେବା କଥା। କିନ୍ତୁ କୃଷି ବିଭାଗ ପକ୍ଷରୁ ନିୟମିତ ସାର ଯାଞ୍ଚ କରାଯାଉନଥିବାରୁ ଧାର୍ଯ୍ୟ ଲକ୍ଷ୍ୟ ଅନୁସାରେ ନମୁନା ବି ପରୀକ୍ଷଣ ହୋଇ ପାରୁନାହିଁ।

publive-image pratisrutiplus.com

କିଛି ବର୍ଷ ପୂର୍ବରୁ ଆନ୍ଧ୍ରପ୍ରଦେଶର ଏକ ସାର କମ୍ପାନି ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇଥିବା ଜଣାପଡ଼ିଛି। ଅନ୍ୟ କେଉଁ କମ୍ପାନି, କେଉଁ ଡିଲର ବିରୋଧରେ କ’ଣ କାର୍ଯ୍ୟାନୁଷ୍ଠାନ ହୋଇଛି ତାହା ସ୍ପଷ୍ଟ ନୁହେଁ। ୨୦୨୧ ମସିହାରେ ଧାର୍ଯ୍ୟ ଲକ୍ଷ୍ୟ ଅନୁସାରେ ୫୫୦୦ ନମୁନା ସାର ପରୀକ୍ଷଣ କରାଯାଇଥିବା ବିଭାଗ କହୁଥିଲେ ମଧ୍ୟ ସେଥିରୁ କେତେ ନକଲି ଏବଂ ଏହାକୁ ନେଇ କେତେ ଜଣଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇଛି ତାହା ଜଣାପଡ଼ି ନାହିଁ। ସମ୍ବଲପୁର ସାର ପରୀକ୍ଷାଗାରରେ ବାର୍ଷିକ ୨୫୦୦ ନମୁନା ସଂଗ୍ରହର କ୍ଷମତା ରହିଛି। ଆବଶ୍ୟକ କର୍ମଚାରୀ ଅଭାବରୁ ୧୦୦୦ରୁ ୧୧୦୦ ମଧ୍ୟରେ ନମୁନା ପରୀକ୍ଷା ହୋଇଛି। ସେଥିରୁ ଅଧିକାଂଶ ଠିକ ଥିବା ସମ୍ବଲପୁର କୃଷି ବିଭାଗ ସୂତ୍ରରୁ ପ୍ରକାଶ। ରାୟଗଡ଼ା ପରୀକ୍ଷାଗାର ସମ୍ପର୍କରେ ସୂଚନା ମିଳିନାହିଁ। କୃଷି ବିଶେଷଜ୍ଞଙ୍କ ଅନୁସାରେ, ଅନ୍ୟ ରାଜ୍ୟ ଭଳି ଓଡ଼ିଶାରେ ରାସାୟନିକ ସାର ଯାଞ୍ଚ ପାଇଁ ସ୍ବତନ୍ତ୍ର ପ୍ରବର୍ତ୍ତନ ନିର୍ଦେଶାଳୟ କିମ୍ବା ସ୍କ୍ବାଡ୍‌ ନାହାନ୍ତି। ରାଜ୍ୟରୁ ବ୍ଲକସ୍ତର ପର୍ଯ୍ୟନ୍ତ ଯେଉଁମାନଙ୍କ ହାତରେ ସାର ଗ୍ରହଣ ଠାରୁ ବିକ୍ରିର ଦାୟିତ୍ବ ରହିଛି, ସେମାନେ ଯାଞ୍ଚ କରୁଛନ୍ତି। କମ୍ପାନି ଏବଂ ଡିଲର ମାନଙ୍କ ସହିତ ସେମାନଙ୍କ ସିଧାସଳଖ ସମ୍ପର୍କ ରହୁଛି। ଏଥିଯୋଗୁଁ ଅନେକ କ୍ଷେତ୍ରରେ କଳାବଜାର ସମ୍ପର୍କରେ ଅଧିକାରୀ, କର୍ମଚାରୀମାନେ ଅବଗତ ହେଲେ ସୁଦ୍ଧା ପଦକ୍ଷେପ ଗ୍ରହଣ କରିପାରନ୍ତି ନାହିଁ। ଆହୁରି ମଧ୍ୟ ପ୍ରଭାବଶାଳୀ ବ୍ୟକ୍ତି ଏହି କାରବାରରେ ଜଡ଼ିତ ଥିବାରୁ ଅଧିକାରୀଙ୍କ ପାଇଁ ବିଭିନ୍ନ ପ୍ରକାର ପ୍ରତିବନ୍ଧକ ସୃଷ୍ଟି କରାଯାଉଛି। ତେଣୁ ନକଲି ସାର କାରବାର ନିୟନ୍ତ୍ରଣ ପାଇଁ ଅନ୍ୟ ରାଜ୍ୟ ଭଳି ଏଠାରେ ସ୍ବତନ୍ତ୍ର ପ୍ରବର୍ତ୍ତନ ନିର୍ଦେଶାଳୟ ପାଇଁ ଅନେକ ଦିନରୁ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦେଇଛି କୃଷି ବିଭାଗ। ମାତ୍ର ଏହାକୁ ନେଇ କୌଣସି ପଦକ୍ଷେପ ଗ୍ରହଣ ହୋଇନାହିଁ।

ଅପରପକ୍ଷରେ ଦୁଇ ବର୍ଷ ହେଲା ସାରର ଯେଉଁଭଳି ସଙ୍କଟ ହେଉଛି ଏହାର ଫାଇଦା ଉଠାଇ ନକଲି ସାର କାରବାର ବୃଦ୍ଧି ପାଇବାରେ ଲାଗିଛି। ନିୟମିତ ଯାଞ୍ଚ ସହିତ କାର୍ଯ୍ୟାନୁଷ୍ଠାନ ନହେଲେ ନକଲି ସାର ବ୍ୟବସାୟୀ ଉତ୍ସାହିତ ହେବେ। ଚାଷୀ କ୍ଷତିଗ୍ରସ୍ତ ହେବା ସହିତ ଉତ୍ପାଦନ ହ୍ରାସ ପାଇବ। ଉପରୋକ୍ତ ରାସାୟନିକ ସାର ସହିତ ରାଜ୍ୟରେ ଜୈବିକ, ବାୟୋଫର୍ଟିଲାଇଜର, ମାଇକ୍ରୋ ନ୍ୟୁଟ୍ରେଣ୍ଟ ସମେତ ଆହୁରି ବିଭିନ୍ନ ସାର କାରବାର ହୁଏ। ଯାହା ସମ୍ପର୍କରେ ସରକାରଙ୍କ ପାଖରେ ତଥ୍ୟ ନାହିଁ। କମ୍ପାନି ଏବଂ ଡିଲର ଜରିଆରେ ଏହି ସାର କିଏ ଏବଂ କେତେ ବିକ୍ରି ହୁଏ ଏଥିସମ୍ପର୍କରେ କେହି ଜାଣନ୍ତି ନାହିଁ।