ଓକିଲବାବୁରୁ ଭାଇସାହେବ, ଭାଇସାହେବରୁ ଗୁରୁଜୀ
ବେଗୁନିଆରୁ ଅନୁଗୁଳ ଯାଏଁ ଭୟର ବାତାବରଣ
ସଂଗଠନର ମାସିକ ଖର୍ଚ୍ଚ ୪୦ଲକ୍ଷ ଟଙ୍କା
ଗଠନ ହୋଇଥିଲା ସଶସ୍ତ୍ର ବାହିନୀ

Advertisment

ଖୋର୍ଦ୍ଧା : ସଅର ଓ ପଛୁଆବର୍ଗର ଲୋକଙ୍କ ନିକଟରେ ଗତ ୧୪ ବର୍ଷ ମଧ୍ୟରେ ଓକିଲ ବାବୁରୁ ଭାଇସାହେବ ଓ ଭାଇସାହେବରୁ ଗୁରୁଜୀ ରୂପେ ସମ୍ମାନ ପାଉଥିବା ମାନସ ଦାସ ଏବଂ ତାଙ୍କ ରାଷ୍ଟ୍ରୀୟ ସାମାଜିକ ନ୍ୟାୟ ମଞ୍ଚ ଓ ଛାମୁଆ ମାନବବାଦ ସଂଗଠନର ଗୁମର ଧୀରେ ଧୀରେ ପଦାରେ ପଡ଼ିବାକୁ ଲାଗିଛି। ଏହି ସଂଗଠନର ଲମ୍ବା ଅପରାଧ ତାଲିକା ବେଗୁନିଆ ଅଭିମାନପୁରରୁ ଆରମ୍ଭ ହୋଇ ଖୋର୍ଦ୍ଧା, ଟାଙ୍ଗୀ, ପିପିଲି, ଡେଲାଙ୍ଗ, ନିମାପଡ଼ା, କଳାହାଣ୍ତି, ଅନୁଗୁଳ ଯାଏଁ ବ୍ୟାପିଛି। ସଂଗଠନକୁ ରାଜନେତାଙ୍କଠାରୁ ଆରମ୍ଭ କରି ପୁଲିସ କର୍ମଚାରୀ ପର୍ଯ୍ୟନ୍ତ ସମସ୍ତେ ସହଯୋଗ କରୁଥିଲେ। ଭୋଟ ପା‌ଇଁ ୨୦୧୯ ନିର୍ବାଚନ ସମୟରେ ଜଣେ ନୁହେଁ, ଏକାଧିକ ନେତା ମାନସ ଦାସଙ୍କ ଶରଣରେ ଥିଲେ। ଏପରିକି ବରିଷ୍ଠ ବିଜେଡି ନେତା ତଥା ରାଜ୍ୟସଭା‌ ସାଂସଦ ପ୍ରଶାନ୍ତ ନନ୍ଦ ମଧ୍ୟ ମାନସ ଦାସଙ୍କ ପାଦ ଛୁଇଁ ପ୍ରଣାମ କରି ଆଶୀର୍ବାଦ ଭିକ୍ଷା କରୁଥିବା ଦେଖିବାକୁ ମିଳିଥିଲା। ଏହି ଭିଡିଓ ଏବେ ଭାଇରାଲ୍‌ ହୋଇଛି। ସେହିପରି ପୂର୍ବତନ ସାଂସଦ ପ୍ରସନ୍ନ ପାଟ୍ଟଶାଣୀ ଆଉ ଦୁଇ ପାଦ ଆଗକୁ ଯାଇ ମାନସ ଦାସଙ୍କୁ ‘ପୃଥିବୀର ଶ୍ରେଷ୍ଠ ଗୁରୁ’ ଏବଂ ଏଭଳି ଗୁରୁଙ୍କ ଶିଷ୍ୟ ହୋଇ ବିଧାୟକ ପ୍ରିୟଦର୍ଶୀ ମିଶ୍ର ଧନ୍ୟ ବୋଲି ଏକ ସଭାରେ କହିଥିଲେ। ସେହିଭଳି କଳାହାଣ୍ତି, ଅନୁଗୁଳର ଅନେକ ବିଜେଡି ନେତା ମଧ୍ୟ ତାଙ୍କ ଠାରୁ ଆଶୀର୍ବାଦ ନେଇଥିବା ତାଙ୍କ ନିକଟତମ ମହଲରୁ ସୂଚନା ମିଳିଛି।

ମାନସ ଦାସଙ୍କ ରାଷ୍ଟ୍ରୀୟ ସାମାଜିକ ନ୍ୟାୟ ମଞ୍ଚ ଏକ ଅଣପଞ୍ଜୀକୃତ ସଂସ୍ଥା। ଏହି ସଂସ୍ଥା ଅଧୀନରେ ବିଭିନ୍ନ ସ୍ଥାନରେ ଛାମୁଆ ସଂଗଠନ କାମକରୁଛି। ଖୋଦ୍‌ ମାନସ ଦାସଙ୍କ ସୁରକ୍ଷା ପାଇଁ ୩୦ ଜଣ ଯୁବକ ସର୍ବଦା ପ୍ରସ୍ତୁତ ରହିଥାନ୍ତି। ଏହି ଘରୋଇ ସୁରକ୍ଷା ବାହିନୀର ବେଗୁନିଆ ଅଞ୍ଚଳରେ ପ୍ରମୁଖ ଥିଲେ ସ୍ବପ୍ନେଶ୍ବର ନାୟକ। ବର୍ତ୍ତମାନ ସେ ସତ୍ୟବ୍ରତ ନାୟକଙ୍କ ହତ୍ୟା ଘଟଣାରେ ଗିରଫ ହୋଇଛନ୍ତି। ସେହିଭଳି ବିଭିନ୍ନ ଅଞ୍ଚଳରେ ଛାମୁଆ ସଂଗଠନର ଦାୟିତ୍ବ ସ୍ଥାନୀୟ ଯୁବକଙ୍କୁ ଦିଆଯାଇଛି। ସଭ୍ୟ ଚାନ୍ଦା, ମାସିକ, ତ୍ରୟମାସିକ ଓ ବାର୍ଷିକ ଚାନ୍ଦାରୁ ମାସିକ ୩୦-୪୦ଲକ୍ଷ ଟଙ୍କା ଖର୍ଚ୍ଚ ହୁଏ। ଏହି ଟଙ୍କାରୁ ସଂଗଠନର ସଶସ୍ତ୍ର ଘରୋଇ ବାହିନୀର ସଦସ୍ୟଙ୍କୁ ମାସିକ ୩ ହଜାରରୁ ୧୦ ହଜାର ଟଙ୍କା ଯାଏଁ ଦିଆଯାଇଥାଏ। ଏହାସହ ସେମାନେ ଯେତିକି ସଭ୍ୟ ସଂଗ୍ରହ କରିବେ, ସଂଗଠନ ବଢ଼ାଇବେ ତଦନୁସାରେ ସେମାନଙ୍କୁ ଅତିରିକ୍ତ ଭତ୍ତା ମଧ୍ୟ ମିଳିଥାଏ। ସଂଗଠନର ଏଭଳି ଗୁମର କଥା ଖୋଦ୍‌ ସଂଗଠନରେ ସକ୍ରିୟ ଭାବେ ଜଡ଼ିତ କେତେକ ଯୁବକ ନିଜ ନାମ ଗୁପ୍ତ ରଖିବା ସର୍ତ୍ତରେ କହିଛନ୍ତି।

ସେମାନଙ୍କ କହିବା କଥା ହେଲା, ଏଭଳି କଙ୍ଗାରୁ କୋର୍ଟ କରି ମାଡ଼ ମାରିବା ସଂଗଠନର ଏକ ନିୟମିତ ଘଟଣା। ନିର୍ବାଚନ ସମୟରେ ମଧ୍ୟ ନିର୍ଦ୍ଦିଷ୍ଟ ନେତା ଓ ଦଳକୁ ଭୋଟ ଦେବା ପାଇଁ ଫତୁଆ ଜାରି ହୋଇଥାଏ। ଏହାର ଖିଲାପ କଲେ, କିମ୍ବା ଚାନ୍ଦା ନଦେଲେ, ନିଜର ସମ୍ପର୍କୀୟଙ୍କୁ ସଂଗଠନରେ ସାମିଲ୍‌ ନକଲେ ସମୀକ୍ଷା କରାଯାଇ ସମସ୍ତଙ୍କ ସମ୍ମୁଖରେ ମାଡ଼ ମାରାଯାଇଥାଏ। ଏହାପରେ ଖୋଦ୍‌ ମାନସ ଦାସ ସେମାନଙ୍କୁ ବିଭିନ୍ନ ମାମଲାର ଭୟ ଦେଖାଇ ଚୁପ୍ କରିଦିଅନ୍ତି। ଗାଁରେ ବୈଠକ କରି ସେ ସେମାନଙ୍କ ବାପା ଭଳି ନିଜ ପୁଅ-ଝିଅର ଦୋଷକୁ ଦେଖି ଦଣ୍ତ ଦେଉଛନ୍ତି ବୋଲି ସାନ୍ତ୍ବନା ମଧ୍ୟ ଦିଅନ୍ତି। କେବଳ ଭୟରେ ସଂଗଠନର ସଦସ୍ୟ ହୋଇଥିବା ସାଧାରଣ ଲୋକ କାହିଁକି ବେଗୁନିଆ ଓ ଖୋର୍ଦ୍ଧା ସଦର ଥାନା, ଜଙ୍କିଆ ଥାନା ଅଧୀନର ଅନେକ ପୁଲିସ କର୍ମଚାରୀ ମଧ୍ୟ ସଂଗଠନର ଏଭଳି କାମ ସମ୍ପର୍କରେ ସବୁ ଜାଣି ଚୁପ୍‌ ରୁହନ୍ତି। ଫାଣ୍ତି କର୍ମଚାରୀଙ୍କ ଠାରୁ ଆରମ୍ଭ କରି ଥାନା ଅଧିକାରୀ ଯାଏଁ ସଂଗଠନଠାରୁ ବିଭିନ୍ନ ସହାୟତା ପାଇଥା’ନ୍ତି। ବିଭିନ୍ନ ମାମଲାକୁ ରଫାଦଫା କରିବାରେ ଲାଞ୍ଚଠାରୁ ଆରମ୍ଭ କରି ଥାନାରୁ ମାମଲା ମାନସ ଦାସଙ୍କ ନିକଟକୁ ପଠାଇବାରେ ଉଭୟ ଲାଭବାନ ହୋଇଥାନ୍ତି।

ବର୍ତ୍ତମାନ ଜାମୁସାହି, ଦେଉଳି ଭଳି ଟାଙ୍ଗୀ ବ୍ଲକର ଜଙ୍କିଆ ଓ ଖୋର୍ଦ୍ଧା ସଦର ଥାନା ଅଧୀନର ଅନେକ ଗାଁରେ ମଧ୍ୟ ଏଭଳି କଙ୍ଗାରୁ କୋର୍ଟ ଓ ମାଡ଼ ମରାଯାଇଥିବା ଘଟଣା ଏବେ ଆଲୋଚନାର ବିଷୟ ହୋଇଛି।