ସମ୍ବଲପୁର: ସମ୍ବଲପୁର ମାନସିକ ରୋଗୀ ଥଇଥାନ କେନ୍ଦ୍ର ‘ସମର୍ଥ’ ନିର୍ଯାତନା ଘଟଣାରେ ରାଜ୍ୟ ସାମାଜିକ ସୁରକ୍ଷା ବିଭାଗର ଏଫ୍ଏ ତଥା ସ୍ବତନ୍ତ୍ର ସଚିବଙ୍କୁ ନୋଟିସ୍ ଜାରି କରାଯାଇଥିବା କହିଛନ୍ତି ବିଭାଗୀୟ ନିର୍ଦ୍ଦେଶକ ନିୟତି ପଟ୍ଟନାୟକ। ‘ସମ୍ବାଦ’ରେ ପ୍ରକାଶିତ ରିପୋର୍ଟକୁ ଆଧାର କରି ସେ ଏହି ଚିଠି ଦେଇଥିବା ଜଣାଇଛନ୍ତି। ଅନ୍ୟଦିଗରେ ‘ସମର୍ଥ’ରେ ଅମାନୁଷିକ ନିର୍ଯାତନା ଏବଂ ଦୁଷ୍କର୍ମ ମାମଲାରେ ମୁଖ୍ୟ ଅଭିଯୁକ୍ତ ହରୀଶ ଦାଶକୁ ୨ଦିନିଆ ରିମାଣ୍ଡ୍ରେ ଅଣାଯାଇଥିବା ଧନୁପାଲି ଥାନା ଅଧିକାରୀ ସୁବ୍ରତ ପାଣିଗ୍ରାହୀ କହିଛନ୍ତି।
‘ସମର୍ଥ’ କେନ୍ଦ୍ରରେ ମାଡ଼ମରା ଘଟଣା ଭିଡିଓ ଭାଇରାଲ ହେବା ପରେ ଅନେକ ଗୁମର ଫିଟିବାରେ ଲାଗିଛି। ଏଠାରେ ଅନ୍ତେବାସୀଙ୍କୁ ଅତ୍ୟନ୍ତ ଦୟନୀୟ ଅବସ୍ଥାରେ ରଖାଯାଇଥିଲା। ସମ୍ବଲପୁର ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଅଗଷ୍ଟ ୧୪ ତାରିଖରୁ ରାଜ୍ୟ ସାମାଜିକ ସୁରକ୍ଷା ବିଭାଗର ଏଫ୍ଏ ତଥା ସ୍ବତନ୍ତ୍ର ସଚିବଙ୍କୁ ରିପୋର୍ଟ କରିଥିଲେ। ‘ସମର୍ଥ’ କେନ୍ଦ୍ରରୁ ପରିଚାଳନା ପ୍ରତ୍ୟାହାର ଏବଂ ଏଠାରେ ଥିବା ଅନ୍ତେବାସୀଙ୍କୁ ବଇଜାମୁଣ୍ଡାସ୍ଥିତ ସରକାରୀ ସମନ୍ବିତ କଂପ୍ଲେକ୍ସକୁ ସ୍ଥାନାନ୍ତରଣ ପାଇଁ ସୁପାରିସ କରିଥିଲେ। ସବୁ ଜାଣି ସୁଦ୍ଧା ବିଭାଗୀୟ ଏଫ୍ଏ ତଥା ସ୍ବତନ୍ତ୍ର ସଚିବ କାହିଁକି କୌଣସି ପଦକ୍ଷେପ ଗ୍ରହଣ କଲେ ନାହିଁ, ତାର ଉତ୍ତର ରଖିବା ପାଇଁ ନିର୍ଦ୍ଦେଶକ ଚିଠି କରିଛନ୍ତି। ପୂର୍ବରୁ ଏଭଳି ରିପୋର୍ଟ ଆସିଥିବା ନେଇ ସେ ଅବଗତ ନଥିଲେ, ‘ସମ୍ବାଦ’ରେ ଖବର ପ୍ରକାଶ ପରେ ହିଁ ଜାଣିଥିବା କହିଛନ୍ତି। ସୂଚନା ଅନୁଯାୟୀ କେବଳ ସମ୍ବଲପୁରର ‘ସମର୍ଥ’ ନୁହେଁ, ସମଗ୍ର ରାଜ୍ୟରେ ମାନସିକ ରୋଗୀଙ୍କ ସ୍ଥାୟୀ ଏବଂ ଅସ୍ଥାୟୀ ଥଇଥାନ ପାଇଁ ଅନେକ ସାମାଜିକ ସଙ୍ଗଠନକୁ ଦାୟିତ୍ବ ଦିଆଯାଇଛି।
ସାମାଜିକ ସୁରକ୍ଷା ବିଭାଗର ଅତିରିକ୍ତ ସଚିବଙ୍କୁ ନୋଟିସ୍
ଏହି ସାମାଜିକ ସଙ୍ଗଠନଗୁଡ଼ିକ ସରକାରୀ ନିୟମ ଉଲ୍ଲଂଘନ କରି ଅସହାୟ ମାନସିକ ରୋଗୀଙ୍କୁ ଅତ୍ୟନ୍ତ ଦୟନୀୟ ଅବସ୍ଥାରେ ରଖୁଛନ୍ତି। ‘ସମର୍ଥ’ ଘଟଣାରୁ ଶିକ୍ଷାଲାଭ କରି ରାଜ୍ୟର ଅନ୍ୟ କେନ୍ଦ୍ର ପ୍ରତି ମଧ୍ୟ ସାମାଜିକ ସୁରକ୍ଷା ବିଭାଗ ଦୃଷ୍ଟି ଦେବା ପାଇଁ ସାମାଜିକ କର୍ମକର୍ତ୍ତାମାନେ କହିଛନ୍ତି। ଦେବଗଡ଼ ପ୍ରଶାସନରୁ ମିଳିଥିବା ସୂଚନା ଅନୁସାରେ, ଦେବଗଡ଼ର ପ୍ରସ୍ତାବିତ ଅସ୍ଥାୟୀ ମାନସିକ ରୋଗୀ ଥଇଥାନ କେନ୍ଦ୍ର ପରିଚାଳନା ଦାୟିତ୍ବ ‘ସମର୍ଥ’କୁ ଦେବା ପାଇଁ ନିଷ୍ପତ୍ତି ନିଆଯାଇଥିଲା। ସମ୍ବଲପୁର ଘଟଣା ପଦାକୁ ଆସିବା ପରେ ସେମାନେ ଏହି ନିଷ୍ପତ୍ତିକୁ ରଦ୍ଦ କରି ଦେଇଛନ୍ତି। ରାସ୍ତାକଡ଼ରୁ ଉଦ୍ଧାର ଦେବଗଡ଼ର ୫ ଜଣ ମାନସିକ ରୋଗୀ ‘ସମର୍ଥ’ କେନ୍ଦ୍ରରେ ଅଛନ୍ତି।
ଅନ୍ୟପଟେ ଧନୁପାଲି ଥାନା ଅଧିକାରୀ କହିଛନ୍ତି, ହରୀଶ ଦାଶ ଆଜି ରିମାଣ୍ଡରେ ଆସିବା ପରେ ତାଙ୍କର ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଛି। ରିମାଣ୍ଡ ସମୟରେ ଅନ୍ତେବାସୀଙ୍କୁ ନିର୍ଯାତନା ଓ ଦୁଷ୍କର୍ମ ସହିତ ଅନ୍ୟ ଅପରାଧରେ ସଂପୃକ୍ତି ନେଇ ପୁଲିସ ତାଙ୍କୁ ପଚରାଉଚରା କରିବ। ଏଥିରେ କେବଳ ସେ ଏକୁଟିଆ ଥିଲେ ନା ଅନ୍ୟ କେହି ସହଯୋଗୀ ଥିଲେ, ବିଶେଷ କରି କେଉଁ ବଡ଼ଅଧିକାରୀଙ୍କ ଛାୟାତଳେ ସେ କାର୍ଯ୍ୟ କରୁଥିଲେ ସେ ନେଇ ଖେଳତାଡ଼ କରାଯିବ ବୋଲି ଅତିରିକ୍ତ ଏସ୍ପି ଶଶାଙ୍କ ଶେଖର ସୂଚନା ଦେଇଛନ୍ତି। ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ କହିଛନ୍ତି, ଆଜି ବଇଜାମୁଣ୍ଡସ୍ଥିତ ସମନ୍ବିତ କମ୍ପ୍ଲେକ୍ସରେ ୫ ଜଣିଆ ଡାକ୍ତରୀ ଦଳ ସମସ୍ତ ଅନ୍ତେବାସୀଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରିଛନ୍ତି। ଅନ୍ତେବାସୀଙ୍କ ମାନସିକ ରୋଗ ପରୀକ୍ଷା ପାଇଁ ଗୁରୁତ୍ବ ଦିଆଯାଉଛି। ଏଥିପାଇଁ ସ୍ବତନ୍ତ୍ର ମାନସିକ ରୋଗ ବିଶେଷଜ୍ଞ ଶୀଘ୍ର ଆସିବେ। ମାନସିକ ଭାବରେ ସୁସ୍ଥ ରୋଗୀଙ୍କୁ ଶୀଘ୍ର ସେମାନଙ୍କ ଘରକୁ ପଠାଯିବାର ବ୍ୟବସ୍ଥା କରାଯିବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/02/04/G7o1MA0QxmwRMO1UsTUB.jpg)