ସମ୍ବଲପୁର: ମାନସିକ ରୋଗୀ ଥଇଥାନ କେନ୍ଦ୍ର ‘ସମର୍ଥ’ରେ ଅନ୍ତେବାସୀଙ୍କୁ ନିର୍ଯାତନା ମାମଲାରେ ଗିରଫ ସଂଖ୍ୟା ୪କୁ ବୃଦ୍ଧି ପାଇଛି। ଏହି ଘଟଣାରେ ମୁଖ୍ୟ ଅଭିଯୁକ୍ତ କେନ୍ଦ୍ର ପରିଚାଳକ ହରିଶ ଦାଶଙ୍କ ପୁଅ ଲକି ଶୁଭ୍ରଜିତ ଦାଶ ଏବଂ ପୁଅର ସାଙ୍ଗ ଶୁଭମ ବେହେରାଙ୍କୁ ଆଜି ଧନୁପାଲି ପୁଲିସ ଗିରଫ କରି କୋର୍ଟଚାଲାଣ କରିଛି। ଉଭୟ ଯୁବକ ଅନ୍ତେବାସୀଙ୍କ ସହିତ ମାଡ଼ପିଟ କରୁଥିବା ନେଇ ପୁଲିସ ତଦନ୍ତରୁ ସାମନାକୁ ଆସିବାପରେ ସେମାନଙ୍କୁ ଗିରଫ କରାଯାଇଥିବା ଅତିରିକ୍ତ ଏସ୍‌ପି ଶଶାଙ୍କ ଶେଖର ସୂଚନା ଦେଇଛନ୍ତି। ଅନ୍ୟପକ୍ଷରେ ଜଣେ ମହିଳା ଅନ୍ତେବାସୀଙ୍କ ଅଭିଯୋଗ ଆଧାରରେ ହରିଶ ଦାଶଙ୍କ ବିରୋଧରେ ପୁଲିସ ଦୁଷ୍କର୍ମ ମାମଲା ରୁଜୁ କରିଛି। 

Advertisment

ପୁଅ ସହିତ ୨ ଜଣଙ୍କୁ ବାନ୍ଧିଲା ପୁଲିସ, ଗିରଫ ସଂଖ୍ୟା ୪କୁ ବୃଦ୍ଧି 

ମାନସିକ ରୋଗୀ ଥଇଥାନ କେନ୍ଦ୍ର ‘ସମର୍ଥ’ କେଳେଙ୍କାରୀର ଗୋଟିଏ ପରେ ଗୋଟିଏ ଗୁମର ଖୋଲିବାରେ ଲାଗିଛି। ଏଠାରେ ଅନ୍ତେବାସୀଙ୍କ ସହିତ କେବଳ ମାଡ଼ପିଟ ନୁହେଁ, ଦୁଷ୍କର୍ମ ମଧ୍ୟ କରାଯାଉଥିବା ନେଇ ଗୁରୁତର ଅଭିଯୋଗ ହୋଇଛି। ବର୍ତ୍ତମାନ ପର୍ଯ୍ୟନ୍ତ କେବଳ ଜଣେ ଅନ୍ତେବାସୀ ଏ ସଂକ୍ରାନ୍ତରେ ମୁହଁ ଖୋଲିଛନ୍ତି। ଯାହାଙ୍କର ଡାକ୍ତରୀ ମାଇନା କରାଯାଇଛି। ଅଭିଯୋଗକାରିଣୀ ବର୍ତ୍ତମାନ ପୁଲିସ ହେପାଜତରେ ଅଛନ୍ତି। ଅନ୍ୟ ଅନ୍ତେବାସୀ କ’ଣ ବୟାନ ଦେଉଛନ୍ତି, ତାହା ଜଣାପଡ଼ିନାହିଁ। ମାନସିକ ରୋଗରେ ପୀଡ଼ିତ ଥିବାରୁ ସେମାନଙ୍କ ସହିତ ହୋଇଥିବା ନିର୍ଯାତନା ସଂପର୍କରେ କେହି ସ୍ପଷ୍ଟ କହିପାରୁନାହାନ୍ତି। କୌଣସି ଅଘଟଣ ଆଶଙ୍କାରେ ‘ସମର୍ଥ’ କେନ୍ଦ୍ରରେ ପୁଲିସ ସୁରକ୍ଷାକୁ ଆହୁରି କଡ଼ାକଡ଼ି କରାଯାଇଛି। ଆଜି ପୁଣି ଅତିରିକ୍ତ ଏସପି, ଏସ୍‌ଡିପିଓ ଏବଂ ଧନୁପାଲି ଥାନା ଅଧିକାରୀ କେନ୍ଦ୍ରରେ ପହଞ୍ଚି ପଚରାଉଚରା କରିଥିଲେ। ଅନୁଷ୍ଠାନର ଅନ୍ତେବାସୀଙ୍କ ପ୍ରତି ଖାଲି ହରିଶ ଏବଂ ସ୍ବାଗତିକା ଅତ୍ୟାଚାର କରୁନଥିଲେ; ହରିଶଙ୍କ ପୁଅ ଲକି ଶୁଭ୍ରଜିତ ମଧ୍ୟ ଯେତେବେଳେ କେନ୍ଦ୍ରକୁ ଆସୁଥିଲା ସାଙ୍ଗ ଶୁଭମ ସହିତ ଅନ୍ତେବାସୀଙ୍କୁ ମନଇଚ୍ଛା ପିଟୁଥିଲା। ଉଭୟଙ୍କ ବିରୋଧରେ ଅନ୍ୟ ଅଭିଯୋଗ ନେଇ ତଦନ୍ତ ଜାରି ରହିଛି। ସ୍ବାଗତିକାଙ୍କ ପୁଅ ମଧ୍ୟ ବିଭିନ୍ନ ସମୟରେ ଏହି କେନ୍ଦ୍ରକୁ ଆସୁଥିବା ଜଣାପଡ଼ିଛି। ତାର କଣ ଭୂମିକା ରହିଛି, ଜଣାପଡ଼ିନାହିଁ। 

ସୂଚନା ଅନୁଯାୟୀ, ମାନସିକ ଥଇଥାନ କେନ୍ଦ୍ରରେ ମାନଦଣ୍ଡ ଅନୁଯାୟୀ କର୍ମଚାରୀ ମଧ୍ୟ ନାହାନ୍ତି। ଏଠାରେ କେବଳ ସ୍ବାଗତିକା ଏବଂ ଆଉ ଜଣେ ରୋଷେୟା ଅଛନ୍ତି। କେନ୍ଦ୍ରର ଅନ୍ୟ କାର୍ଯ୍ୟଗୁଡ଼ିକ ହରିଶ ଅନ୍ତେବାସୀଙ୍କ ଜରିଆରେ କରାଉଥିଲେ। ତେଣୁ ‘ସମର୍ଥ’ ନାମରେ ସରକାର ଏବଂ ଘରୋଇ ଭାବରେ ଆସୁଥିବା ଅନୁଦାନକୁ ହରିଶ କେଉଁ ବାଟରେ ଖର୍ଚ୍ଚ କରୁଥିଲେ, ସେ ନେଇ ପ୍ରଶାସନ ପକ୍ଷରୁ ଖୋଳତାଡ଼ ଜାରି ରହିଛି। ଏହି ସଂସ୍ଥାକୁ ମାନସିକ ରୋଗୀ ଥଇଥାନ ଦାୟିତ୍ବ ଦିଆଯାଇଥିବାରୁ ସାମାଜିକ ସୁରକ୍ଷା ବିଭାଗର ପୁରୁଣା କର୍ମଚାରୀ ଏବଂ ଅଧିକାରୀଙ୍କ ବିରୋଧରେ ଜନଅସନ୍ତୋଷ ସୀମା ଡେଇଁଛି। ଏହି ସଂସ୍ଥା ଅନେକ କେଳେଙ୍କାରୀରେ ଜଡ଼ିତ ଥିବାର ଅଭିଯୋଗ ଉଠିଛି। ସ୍ଥାନୀୟ ଅଧିବାସୀଙ୍କ କହିବାନୁସାରେ, ଏ ସଂକ୍ରାନ୍ତରେ ସେମାନେ ପୂର୍ବତନ ଜିଲ୍ଲାପାଳଙ୍କ ପାଖକୁ ଯାଇ ଅଭିଯୋଗ କରିଥିଲେ ମଧ୍ୟ ସେ ଶୁଣିନଥିଲେ। ସେଥିପାଇଁ ସ୍ଥାନୀୟ ଲୋକଙ୍କ ସହିତ ହରିଶଙ୍କର ବ୍ୟବହାର ଭଲ ନଥିଲା। ତଦନ୍ତ ରିପୋର୍ଟ ଆସିବା ପରେ ଆହୁରି କଳଙ୍କିତ ଅଧ୍ୟାୟ ପଦାକୁ ଆସିବ ବୋଲି ଆଲୋଚନା ହେଉଛି।