ନୀଳଗିରି : ଝିଅ ଜନ୍ମ ହେବାରୁ ରାକ୍ଷସ ସାଜିଲା ବାପା। ଆସନ୍ତାକାଲି ଏକୋଶିଆ ଥିବାବେଳେ ଝିଅକୁ କୀଟନାଶକ ଇଞ୍ଜେକ୍‌ସନ ଦେଇ ମାରିବାକୁ ଉଦ୍ୟମ କରିଛି। ୨୦ଦିନର କଅଁଳ ଶିଶୁଟି ଏବେ ଡାକ୍ତରଖାନାରେ ମୃତ୍ୟୁ ସହ ସଂଗ୍ରାମ କରୁଛି। ଅନ୍ୟପଟେ ହୃଦୟହୀନ ବାପାକୁ ପୁଲିସ ଅଟକ ରଖିଛି। ବାଲେଶ୍ବର ନୀଳଗିରି ଅଞ୍ଚଳରେ ଘଟିଛି ଏହି ଅମାନୁଷିକ କାଣ୍ଡ।

Advertisment

ହତ୍ୟା ଉଦ୍ୟମ କରିଥିବା ନିଷ୍ଠୁର ବାପା ଜଣକ ହେଲା, ବାଲେଶ୍ବର ସହର ମଲ୍ଲିକାଶପୁରର କାର୍ତ୍ତିକ ମହାର୍ଣ୍ଣାଙ୍କ ପୁଅ ଚନ୍ଦନ ମହାର୍ଣ୍ଣା। ବର୍ଷକ ତଳେ ନୀଳଗିରି ବ୍ଲକ୍‌ ସିଙ୍ଗିରୀ ଗ୍ରାମର ତନ୍ମୟା ସିଂହଙ୍କୁ ବିବାହ କରିଥିଲା ଚନ୍ଦନ। ଗତ ୯ ତାରିଖରେ ବାଲେଶ୍ବରର ଏକ ଘରୋଇ ଡାକ୍ତରଖାନାରେ ତନ୍ମୟା ଏକ ଶିଶୁକନ୍ୟାକୁ ଜନ୍ମ ଦେଇଥିଲେ। ସେଠାରେ ୭ ଦିନ ରହିବାପରେ ଝିଅକୁ ନେଇ ବାପଘରେ ଥିଲେ ତନ୍ମୟା। ଆସନ୍ତାକାଲି ନବଜାତକର ଏକୋଇଶିଆ ପାଳନ ପାଇଁ ଘର ଲୋକ ବ୍ୟସ୍ତ ଥିଲେ। ହେଲେ, ଝିଅ ଜନ୍ମ ହୋଇଥିବାରୁ ରାଗରେ ଜଳୁଥିଲା ଚନ୍ଦନ ଏବଂ ଗତକାଲିଠାରୁ ସେ ଆସି ଶ୍ବଶୁର ଘରେ ରହିଥିଲା। ଆଜି ସକାଳେ ସୁଯୋଗ ଦେଖି ଝିଅକୁ ବିଷ ଇଞ୍ଜେକ୍ସନ ଦେଇଥିଲା ସେ। ଯନ୍ତ୍ରଣାରେ ଶିଶୁକନ୍ୟାଟି ଜୋର୍‌ରେ କାନ୍ଦିବାକୁ ଲାଗିଥିଲା। ତନ୍ମୟା ଦୌଡ଼ି ଆସି ସ୍ବାମୀ ଚନ୍ଦନଙ୍କ ହାତରେ ରକ୍ତ ଲାଗିଥିବା ଓ ଝିଅର ବାମପଟ ବାହୁରୁ ରକ୍ତ ବାହାରୁଥିବା ଦେଖିଥିଲେ। ଘର ଲୋକ ଜାଣିବା ପରେ ଚନ୍ଦନକୁ ଅଟକ ରଖିବା ସହ ଝିଅକୁ ସଙ୍ଗେ ସଙ୍ଗେ ବାଲେଶ୍ବର ମେଡିକାଲ କଲେଜ ହାସ୍‌ପାତାଳକୁ ନେଇ ଯାଇଥିଲେ। ସେଠାରେ ଝିଅଟି ବର୍ତ୍ତମାନ ଗୁରୁତର ଅବସ୍ଥାରେ ଚିକିତ୍ସାଧୀନ ରହିଛି।

ଘଟଣା ସଂପର୍କରେ ତନ୍ମୟା ନୀଳଗିରି ଥାନାରେ ଅଭିଯୋଗ କରିଥିଲେ। ପୁଲିସ ଆଗରେ ‌ଚନ୍ଦନ ବିଷାକ୍ତ ଇଞ୍ଜେକସନ ଦେଇଥିବା ସ୍ବୀକାର କରିଛି।