ଆହତ ବିଜେଡି ନେତ୍ରୀଙ୍କ ମୃତ୍ୟୁ

ବ୍ୟାସନଗର : ଦାନଗଦୀ ନିକଟରେ ଦୁର୍ଘଟଣାରେ ଗୁରୁତର ହୋଇଥିବା ବିଜେଡି ନେତ୍ରୀ ଜ୍ୟୋତି ଶର୍ମା (୩୪) ଙ୍କର ସୋମବାର ଅପରାହ୍‌ଣରେ ମୃତ୍ୟୁ ହୋଇଛି। ଗତ ୧୨ ତାରିଖ ମଧ୍ୟାହ୍ନରେ ସେ ଦାନଗଦୀ ଆଡ଼କୁ ଯାଉଥିବାବେଳେ କୌଣସି ଏକ ଗାଡ଼ି ଧକ୍କା ଦେଇ ଚାଲିଯାଇଥିଲା। ଏଥିରେ ସେ ଗୁରୁତର ହୋଇଥିଲେ। ୪ ଦିନଧରି ସେ ଭୁବନେଶ୍ବରର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ। ସୋମବାର ଅପରାହ୍‌ରେ ସେ ଆଖିବୁଜିଥିଲେ।

ବ୍ୟାସନଗର ପୌରାଞ୍ଚଳ ଶର୍ମା କଲୋନିର ହରିକିଶନ ଶର୍ମାଙ୍କ ଝିଅ ଜ୍ୟୋତି ଜଣେ ଦୃଢ଼ ସଂଗଠକ ଓ ସମାଜସେବୀ ଭାବେ ପରିଚିତ ଥିଲେ। ପ୍ରତିବର୍ଷ ଗଣେଶ ପୂଜାରେ ରକ୍ତଦାନ ଶିବିର ଆୟୋଜନ କରିବା ସହ ଲୋକମାନଙ୍କୁ ସହାୟତା କରୁଥିଲେ। ତାଙ୍କ ପରଲୋକ ଖବର ପାଇ କୋରେଇ ବିଧାୟକ ଅଶୋକ ବଳ ଡାକ୍ତରଖାନାରେ ପହଞ୍ଚି ଶେଷଦର୍ଶନ କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି। ପୂର୍ବତନ କୋରେଇ ବିଧାୟକ ଆକାଶ ଦାସନାୟକ, ବିଜେଡି ନେତ୍ରୀ ସଂଘମିତ୍ରା ଜେନା, ସରୋଜିନୀ ବଳ, ଉଷାରାଣୀ ସାମଲ, ଇନ୍ଦିରା ପ୍ରିୟଦର୍ଶିନୀ ମହାନ୍ତି, ମଞ୍ଜୁଶ୍ରୀ ପଣ୍ଡା, ବିଜେଡି ନେତା ରସାନନ୍ଦ ମହାନ୍ତି, ଅମୂଲ୍ୟ ନାୟକ, ଦେବେନ୍ଦ୍ର ସାମଲ, ବ୍ରଜକିଶୋର ରାଉତ, ମହେଶ ଧଳ, ଗୋବିନ୍ଦ ଜେନା, ସୁବାସ ବଳ, ରୋମିଓ ରଞ୍ଜନ ପୁହାଣ, ବିବେକାନନ୍ଦ ମହାନ୍ତି, ଅଜୟ ସାହୁ ଓ ଆଲୋକ ମହାନ୍ତି ପ୍ରଭୃତି ଶୋକ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର