କେନ୍ଦୁଝର/ଚମ୍ପୁଆ: କେନ୍ଦୁଝର ଜିଲ୍ଲା ଚମ୍ପୁଆ ରେଞ୍ଜ ବାଲିବନ୍ଧ ଫରେଷ୍ଟ ବିଟ୍ ଅନ୍ତର୍ଗତ ଚମକପୁର ଜଙ୍ଗଲରେ ଅସୁସ୍ଥ ଥିବା ଏକ ଦନ୍ତାହାତୀର ଆଜି ମୃତ୍ୟୁ ଘଟିଛି। ଅସୁସ୍ଥ ଦନ୍ତାହାତୀର ଚିକିତ୍ସା ପରେ ସେ ସୁସ୍ଥ ହୋଇଆସୁଥିଲା। ଦୁଇଦିନ ତଳେ ଏକ ହାତୀପଲ ଆକ୍ରମଣ କରିବାରୁ ଦନ୍ତାଟି ଅଧିକ ଗୁରୁତର ହୋଇପଡ଼ିଥିଲା। ଆଜି ତା’ର ମୃତ୍ୟୁ ହୋଇଛି। ବନ ବିଭାଗ ପକ୍ଷରୁ ମୃତହାତୀର ବ୍ୟବଚ୍ଛେଦ କରାଯାଇଛି।
ପ୍ରାପ୍ତ ସୂଚନା ଅନୁସାରେ, ଅକ୍ଟୋବର୨୬ ତାରିଖରେ ଚମକପୁର ଜଙ୍ଗଲରେ ଏକ ଦନ୍ତାହାତୀ ଅସୁସ୍ଥ ଥିବା ବନ ବିଭାଗ ଖବର ପାଇଥିଲା। ବିଭାଗୀୟ କର୍ମଚାରୀ ଏବଂ ଡାକ୍ତରୀଦଳ ପହଞ୍ଚି ହାତୀକୁ ଟ୍ରାଙ୍କୁଲାଇଜ୍ କରିବା ପରେ ଚିକିତ୍ସା କରାଯାଇଥିଲା। ହାତୀଟି ଧୀରେଧୀରେ ସୁସ୍ଥ ହେଉଥିଲା। ନଭେମ୍ବର ୨୮ ତାରିଖରେ ଉକ୍ତ ଦନ୍ତାହାତୀକୁ ଏକ ହାତୀପଲ ଆକ୍ରମଣ କରିଥିଲେ। ହାତୀପଲରେ ଥିବା ଏକ ଦନ୍ତାହାତୀର ଦାନ୍ତ ଏହି ଅସୁସ୍ଥ ଦନ୍ତାହାତୀର କାନରେ ପଶି ଯାଇଥିଲା। ଫଳରେ ପ୍ରବଳ ରକ୍ତସ୍ରାବ ହୋଇଥିଲା। ରକ୍ତସ୍ରାବ ପରେ ଦନ୍ତାଟି ଆହୁରି ଗୁରୁତର ହେବା ସହ ଆଜି ତା’ର ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ହାତୀ ମୃତ୍ୟୁ ଖବର ପାଇବା ପରେ ଆର୍ଏସିସିଏଫ୍ ଅରୁଣ କୁମାର ମିଶ୍ର, କେନ୍ଦୁଝର ଡିଏଫ୍ଓ ଏଚ୍ଡି ଧନରାଜ, ଏସିଏଫ୍ ଘନଶ୍ୟାମ ମହାନ୍ତ, ଚମ୍ପୁଆ ଡେପୁଟି ରେଞ୍ଜର ସଂଜୀବ ରାଉତ, ଚମ୍ପୁଆ ଫରେଷ୍ଟର ପିଅନ ନାଏକ, ବଡ଼ବିଲ ରେଞ୍ଜର ରଂଜନ ପାଣି ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚିଥିଲେ। ବିଭାଗୀୟ ଅଧିକାରୀଙ୍କ ଉପସ୍ଥିତିରେ ପ୍ରାଣୀ ଚିକିତ୍ସକ ପ୍ରକାଶ ଗୋଡ଼େଇ, ଦେବାଶିଷ ମହାପାତ୍ର ଏବଂ ସତ୍ୟନାରାୟଣ ଜେନା ପ୍ରମୁଖ ହାତୀର ମୃତଦେହ ବ୍ୟବଚ୍ଛେଦ କରିଥିଲେ।