ବ୍ରହ୍ମପୁର : ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଗସ୍ତସମୟରେ କାଳିମାଡ଼ ଘଟଣାକୁ ନେଇ ରାଜନୈତିକ ସ୍ତରରେ ଚର୍ଚ୍ଚା ଲାଗିରହିଛି। ଏପରିସ୍ଥଳେ, ଏହି ଘଟଣା ଏବେ ଥାନାରେ ପହଞ୍ଚିଛି। କାଳିମାଡ଼ କରିଥିବା ଯୁବକ ଥାନାରେ ପାଲଟା ଅଭିଯୋଗ କରିଥିବା ବେଳେ ଜଣେ କର୍ପୋରେଟର୍‌ ମଧ୍ୟ ଥାନାରେ ହତ୍ୟା ଉଦ୍ୟମ ଅଭିଯୋଗ ଆଣିଛନ୍ତି। ଫଳ‌ରେ, ବିଜେପିର ସ୍ଥାନୀୟ ରାଜନୀତିରେ ଯେ ସବୁକିଛି ଠିକ୍‌ ଚାଲିନାହିଁ ଏହି ଘଟଣାରୁ ସ୍ପଷ୍ଟ ହୋଇଛି।

Advertisment

ଗତକାଲି ସନ୍ଧ୍ୟାରେ ଶ୍ରୀ ସାମଲଙ୍କ ଗସ୍ତ ସମୟରେ ଗୋସାଇଁ ନୂଆଗାଁ ବଡ଼ସାହିରେ ଏକ ଅପ୍ରୀତିକର ଘଟଣା ସାମ୍ନାକୁ ଆସିଥିଲା। ଦଳର ଜିଲ୍ଲା ସଭାପତି ବିଭୂତି ଭୂଷଣ ଜେନାଙ୍କୁ ବିରୋଧ କରି ଜଣେ ଯୁବକ କାଳି ମାଡ଼ କରିଥିଲେ। ରାଜ୍ୟ ସଭାପତିଙ୍କ ସମେତ ଆଖପାଖରେ ଥିବା ଅନ୍ୟ ନେତୃବୃନ୍ଦଙ୍କ ପୋଷାକରେ ମଧ୍ୟ କାଳି ଛିଟା ପଡ଼ିଥିବା ଦେଖିବାକୁ ମିଳିଥିଲା। ଇତିମଧ୍ୟରେ କାଳି ମାଡ଼ ଘଟଣାର ୨୪ଘଣ୍ଟା ଅତିକ୍ରାନ୍ତ ହେଲାଣି। ହେଲେ, ବିଜେପି ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ ଅବା ଥାନାରେ ମଧ୍ୟ ଏହି ଘଟଣାକୁ ନେଇ କୌଣସି ଅଭିଯୋଗ ହୋଇନାହିଁ।

ଅନ୍ୟପକ୍ଷରେ, ଭାଇରାଲ୍ ଭିଡିଓରେ ଯେଉଁ ଯୁବକ ଜିଲ୍ଲା ସଭାପତିଙ୍କୁ କାଳି ଫିଙ୍ଗୁଥିବା ଦେଖାଯାଉଛି, ସେହିସମୟରେ କିଛି ବିଜେପି ନେତା ତାଙ୍କୁ ଅତର୍କିତ ଆକ୍ରମଣ କରିଥିବା ନେଇ ଗତକାଲି ରାତିରେ ହିଁ ସେ ଥାନାରେ ଅଭିଯୋଗ କରିଥିବା ଜଣାପଡ଼ିଛି। ସେଥିରେ ସେ ୮ଜଣଙ୍କୁ ଅଭିଯୁକ୍ତ ଦର୍ଶାଇଛନ୍ତି। ପୁଲିସ ମଧ୍ୟ ତାଙ୍କ ଅଭିଯୋଗ ଆଧାରରେ ଏକ ମାମଲା ରୁଜୁ କରିଛି। ଖାଲି ସେ ନୁହନ୍ତି, ସ୍ଥାନୀୟ ବିଜେପି କର୍ପୋରେଟର୍‌ ନୀଳକଣ୍ଠ ସାହୁ ବି ଆଜି ଥାନାରେ ଜିଲ୍ଲା ବିଜେପି ସଭାପତିଙ୍କ ବିରୋଧରେ ଏକ ଅଭିଯୋଗ କରିଛନ୍ତି। ତାଙ୍କ ୱାର୍ଡ଼କୁ ରାଜ୍ୟ ସଭାପତିଙ୍କ ଗସ୍ତ ବେଳେ ବ୍ରହ୍ମପୁର, ୨୯/୫(ଇମିସ) ଜଣେ ପୂର୍ବତନ ମଣ୍ତଳ ଯୁବମୋର୍ଚ୍ଚା ସଭାପତି ଜିଲ୍ଲା ସଭାପତିଙ୍କୁ ବିରୋଧ ପ୍ରଦର୍ଶନ କରିଥିଲେ। ଏହାକୁ ନେଇ ଉତ୍ତେଜନା ଦେଖାଦେଇଥିବା ବେଳେ ସେ ଛଡ଼ାଇବାକୁ ଉଦ୍ୟମ କରିଥିଲେ। କିନ୍ତୁ, ତାଙ୍କୁ ଜିଲ୍ଲା ସଭାପତିଙ୍କ ନିର୍ଦ୍ଦେଶକ୍ରମେ ଅନ୍ୟ ବରିଷ୍ଠ ନେତାମାନେ ମାଡ଼ ମାରିଥିବା, ଏବଂ ଜିଲ୍ଲା ସଭାପତି ତାଙ୍କୁ ହତ୍ୟା କରିବା ପାଇଁ ଷଡ଼୍‌ଯନ୍ତ୍ର କରିଥିବା ନେଇ ଉକ୍ତ ଅଭିଯୋଗପତ୍ରରେ ଦର୍ଶାଇଛନ୍ତି। ଏହାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିବେଦନ କରିବା ସହ ତାଙ୍କ ଜୀବନ ପ୍ରତି ବିପଦ ଥିବାରୁ ପୁଲିସ ସୁରକ୍ଷା ମଧ୍ୟ ଲୋଡ଼ିଛନ୍ତି।