ବ୍ରହ୍ମପୁର : ବ୍ରହ୍ମପୁର ଗସ୍ତରେ ଆସିଥିବା ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ସଂଧ୍ୟାରେ ଗୋସାଇଁ ନୂଆଗାଁସ୍ଥିତ ମା’ କାଳୁଆଙ୍କ ନୂତନ ବିଗ୍ରହ ପ୍ରତିଷ୍ଠା ଉତ୍ସବରେ ଯୋଗଦେବାକୁ ଯିବାବେଳେ ଦଳର ଜଣେ କର୍ମୀ ହଠାତ୍‌ କାଳି ପିଙ୍ଗିଥିଲେ। ପାଖରେ ଥିବା ରାଜ୍ୟ ସଭାପତିଙ୍କ ସହ ଅନ୍ୟ ନେତୃବୃନ୍ଦଙ୍କ ଉପରେ ଏହାର କିଛି ଛିଟିକା ପଡ଼ିଥିବା ଜଣାପଡ଼ିଛି। କାଳି ପକାଇଥିବ‌ା ଯୁବକ ଜଣକ ସ୍ଥାନୀୟ ଅଂଚଳର ପୂର୍ବତନ ମଣ୍ଡଳ ଯୁବମୋର୍ଚ୍ଚାର ଜଣେ କର୍ମକର୍ତ୍ତା ଥିଲେ, ଏବଂ ସେ ନିଜର ଅସନ୍ତୋଷ ଜାହିର୍‌ କରିବା ପାଇଁ ଏଭଳି କରିଥିବା ସୂଚନା ମିଳିଛି।

Advertisment

ଦଳ ପକ୍ଷରୁ ଏଥିନେଇ କୌଣସି ସୂଚନା ଦିଆଯାଇ ନଥିବା ବେଳେ କାଳି ପିଙ୍ଗା ଭିଡ଼ିଓ ଏବେ ସୋସିଆଲ୍‌ ମିଡ଼ିଆରେ ଭାଇରାଲ୍‌ ହେବାରେ ଲାଗିଛି। ଉକ୍ତ ଭିଡ଼ିଓରେ ରାଜ୍ୟ ସଭାପତିଙ୍କ ସହ ଜିଲ୍ଲା ସଭାପତି ବିଭୂତି ଜେନା, ପୂର୍ବତନ ଜିଲ୍ଲା ସଭାପତି କାହ୍ନୁଚରଣ ପତି, ରାଜ୍ୟ ଉପସଭାପତି ଭୃଗୁ ବକ୍ସିପାତ୍ର ପ୍ରମୁଖ ରହିଥିବା ଦେଖିବାକୁ ମିଳିଛି। କାଳି ଫିଙ୍ଗାକୁ ନେଇ ବିଜେପି ନେତା ଓ କର୍ମୀ ମଧ୍ୟରେ ବଚସା ଓ ଧସ୍ତାଧସ୍ତି ହେଉଥିବା ମଧ୍ୟ ଦେଖିବାକୁ ମିଳିଛି।

ଉଲ୍ଲେଖଯୋଗ୍ୟ, ଆଜି ଅପରାହ୍ନରେ ବିଜେପି ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଦଳରେ କନ୍ଦଳ ରହିଥିବା ନେଇ ସାମ୍ବାଦିକଙ୍କ ପ୍ରଶ୍ନକୁ ରାଜ୍ୟ ସଭାପତି ଶ୍ରୀ ସାମଲ ଖଣ୍ଡନ କରିଦେଇଥିଲେ। ଦଳର ନେତା ଓ କର୍ମୀ ବେଶ୍ ଶୃଙ୍ଖଳିତ, ଗଂଜାମ ଜିଲ୍ଲାରେ ଦଳର ସଂଗଠନ ମଜବୁତ୍ ଥିବା ପ୍ରକାଶ କରିଥିଲେ। ମାତ୍ର କିଛି ଘଣ୍ଟା ପରେ କାଳି ଫିଙ୍ଗା ଘଟଣାରୁ ଦଳରେ ସବୁ କିଛି ଠିକ୍ ନାହିଁ ବୋଲି ସ୍ପଷ୍ଟ ବାରି ହୋଇ ପଡ଼ିଛି।