‘ସୁବର୍ଣ୍ଣପୁରର ମହାନଦୀ ସଭ୍ୟତା ବହୁ ପ୍ରାଚୀନ’

ଇଙ୍କଫେଷ୍ଟ ୨୦୨୩ ଚତୁର୍ଥ ସନ୍ଧ୍ୟା

ସୋନପୁର: ପଞ୍ଚମ ବାର୍ଷିକ ପୁସ୍ତକ ଓ ସାରସ୍ବତ ମେଳା ଇଙ୍କଫେଷ୍ଟ୍–୨୦୨୩ ର ଚତୁର୍ଥ ସନ୍ଧ୍ୟା ଶୁକ୍ରବାର ସୋନପୁର ରୟାଲ ପଡ଼ିଆରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ‘ମହାନଦୀ ସଭ୍ୟତା ଓ ସୁବର୍ଣ୍ଣପୁର ଭୂଖଣ୍ଡ’ ଶୀର୍ଷକ କଥାଚକ୍ର ଅନୁଷ୍ଠିତ ହୋଇଥିଲା। ପ୍ରାଧ୍ୟାପକ ଡ. ଜ୍ୟୋତିରଞ୍ଜନ ବହିଦାରଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଐତିହାସିକ ତଥା ସୋନପୁର କଲେଜର ପୂର୍ବତନ ଅଧ୍ୟକ୍ଷ ଡ. କେଦାରନାଥ ମିଶ୍ର, ଅଧ୍ୟାପକ ଡ. ସୁଦାମ ଦୀପ ପ୍ରମୁଖ ଆଲୋଚନାରେ ଭାଗ ନେଇଥିଲେ। ସେମାନେ କହିଥିଲେ, ‘ସୁବର୍ଣ୍ଣପୁର ଜିଲ୍ଲାର ମହାନଦୀ ସଭ୍ୟତା ବହୁ ପ୍ରାଚୀନ। ଓଡ଼ିଶାର ଜୀବନ ରେଖା କହାଯାଉଥିବା ମହାନଦୀ ଅବବାହିକାରେ ରହିଥିବା ନଦୀ ସଭ୍ୟତାର ରହିଛି ନିଜସ୍ବ ସ୍ବତନ୍ତ୍ରତା। ଏକ ସମୃଦ୍ଧ କୃଷି ପରମ୍ପରା, ସୁସଂହତ ସାମାଜିକ ଜୀବନଚର୍ଯ୍ୟା ଓ ସଂହତି, ଶୃଙ୍ଖଳା ଆଦି ମହାନଦୀ ସଭ୍ୟତାର ପରିଚୟ।

ମହାନଦୀର ବିଭିନ୍ନ ସ୍ଥାନରେ ଖନନରୁ ମଳିଥିବା ଭଗ୍ନାବଶେଷ ତଥା ପ୍ରାପ୍ତ ଶିଳାଲେଖ, ତାମ୍ରଫଳକ ଏହି ନଦୀସଭ୍ୟତାର ପ୍ରାଚୀନତାକୁ ପ୍ରମାଣ କରେ।’ ବେଣୁଧର ପ୍ରଧାନ ପ୍ରାରମ୍ଭିକ ସୂଚନା ଦେଇଥିବା ବେଳେ ଅଧ୍ୟ‌ାପକ ଦେବାଶିଷ ପ୍ରଧାନ ଧନ୍ୟବାଦ ଦେଇଥିଲେ। ଏଥିରେ ଇଙ୍କଫେ‌ଷ୍ଟର ସଭାପତି ସ୍ବାଧୀନ ମେହେର, ଉପସଭାପତି ଗତିକୃଷ୍ଣ ମିଶ୍ର, ସମ୍ପାଦକ ଅମ୍ବୁଜ ଶତପଥୀ, ଯୁଗ୍ମ ସମ୍ପାଦକ ଡ. ଦେବାଶିଷ ପାଣ୍ଡିଆ, କବି ଆର୍ତ୍ତତ୍ରାଣ ବାବୁ, ଡ. ପୁରୁଷୋତ୍ତମ ମିଶ୍ର, ଶ୍ୟାମ ଓଁ ପ୍ରସାଦ ମିଶ୍ର, ଜଗନ୍ନାଥ ଧରୁଆ ପ୍ରମୁଖ ସହଯୋଗ କରିଥିଲେ।

ସମ୍ବନ୍ଧିତ ଖବର