ସୂର୍ଯ୍ୟ ନାରାୟଣ ଲେଙ୍କା
ରାଜନଗର: ମହାନଦୀ, ବ୍ରାହ୍ମଣୀ, ବୈତରଣୀ ନଦୀର ତ୍ରିକୋଣଭୂମିରେ ଗଢି ଉଠିଥିବା ତଥା ପ୍ରାକୃତିକ ସମ୍ପଦରେ ପରିପୂର୍ଣ୍ଣ ଭିତରକନିକା ଏବେ ବିପଦରେ। ଜଳବାୟୁ ପରିବର୍ତ୍ତନ ଯୋଗୁଁ ଗୋଟେ ପଟେ ସମୁଦ୍ର ଜଙ୍ଗଲ ମଧ୍ୟକୁ ମାଡ଼ି ଆସୁଛି । ଅନ୍ୟପଟେ ବ୍ରାହ୍ମଣୀ, ବୈତରଣୀ ନଦୀ ପୋତି ହୋଇ ପଠା ସୃଷ୍ଟି ହେବା ଯୋଗୁଁ ଲୁଣା ଜଙ୍ଗଲ ମଧ୍ୟକୁ ମଧୁର ଜଳସ୍ରୋତ ନିୟମିତ ଭାବେ ହ୍ରାସ ପାଉଛି। ଭିତରକନିକା ମଧ୍ୟକୁ ମଧୁର ଜଳସ୍ରୋତ କମିବା ଯୋଗୁଁ ବଗଗହନ, ମଠଆଡିଆ, ପ୍ରଭାତି ନିକଟରେ ହଜାର ହଜାର ଲୁଣା ଗଛ ମରିଯିବା ଏହାର ଉଦାହରଣ। ଅବଶ୍ୟ ବ୍ୟାପକ ବୃକ୍ଷରୋପଣ ଯୋଗୁଁ ଫରେଷ୍ଟ ସର୍ଭେ ଅଫ୍ ଇଣ୍ଡିଆ ରିପୋର୍ଟରେ ଭିତରକନିକାରେ ଲୁଣା ଜଙ୍ଗଲ ପରିସୀମା ବୃଦ୍ଧି ପାଇଥିଲେ ମଧ୍ୟ ଜାତୀୟ ଉଦ୍ୟାନ ମଧ୍ୟକୁ ମଧୁରଜଳ ପରିମାଣ ହ୍ରାସ ପାଉଛି । ତାହା ଲୁଣା ଜଙ୍ଗଲ ଓ ଭିତରକନିକାର ଜୈବ ବିବିଧତା ପ୍ରତି ବଡ଼ ବିପଦକୁ ଡାକି ଆଣୁଛି।
ଭାରତ ସରକାରଙ୍କ ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ବିଭାଗର ଫରେଷ୍ଟ ସର୍ଭେ ଅଫ୍ ଇଣ୍ଡିଆ-୨୦୨୧ ଅନୁସାରେ ଅନ୍ୟ ରାଜ୍ୟ ତୁଳନାରେ ଓଡିଶାରେ ଗତ ୨ ବର୍ଷରେ ଲୁଣା ଜଙ୍ଗଲ ସବୁଠୁ ଅଧିକ ବୃଦ୍ଧି ପାଇଛି । ସାରା ଭାରତରେ ୧୭ ବର୍ଗ କିଲୋମିଟର ଲୁଣା ଜଙ୍ଗଲ ବୃଦ୍ଧି ପାଇଥିବା ବେଳେ ସେଥିମଧ୍ୟରୁ ଓଡିଶାରେ ୮-୩୪ ବର୍ଗ କିଲୋମିଟର ଓ କେବଳ ଭିତରକନିକା ଜାତୀୟ ଉଦ୍ୟାନରେ ୭.୭୬ ବର୍ଗ କିଲୋମିଟର ଲୁଣା ଜଙ୍ଗଲ ବୃଦ୍ଧି ପାଇଛି । ଫରେଷ୍ଟ ସର୍ଭେ ଅଫ୍ ଇଣ୍ଡିଆର ଏହି ରିପୋର୍ଟ ଆମକୁ ଉଲ୍ଲସିତ କରୁଛି । ମାତ୍ର ପ୍ରକୃତ ସ୍ଥିତି ଏବେ ଭିତରକନିକାକୁ ସଂକଟ ମଧ୍ୟକୁ ଟାଣି ଆଣିଲାଣି । ଭିତରକନିକାର ବଗଗହନ, ମଠଆଡିଆ ଓ ପ୍ରଭାତି ନିକଟରେ ବିରଳ ହଜାର ହଜାର ଲୁଣା ଗଛ ମରିଯିବା ଖବର ଜୈବ ବିବିଧତା ପ୍ରତି ବିପଦ ସୃଷ୍ଟି କରିଛି। ଜୁଆର ପାଣି ହାର କମି କମି ପାଣି ମାଡ଼ିବା ବନ୍ଦ ହୋଇଯିବା ଯୋଗୁଁ ଗତ ୫ ବର୍ଷରେ ଏହି ୩ଟି ସ୍ଥାନରେ ଲୁଣା ଜଙ୍ଗଲର ଅପମୃତ୍ୟୁ ସାମ୍ନାକୁ ଆସିଥିଲା। ମଧୁରଜଳ ସ୍ରୋତ ଭିତରକନିକାକୁ ନିୟମିତ ଭାବେ ହ୍ରାସ ପାଇବା ମଧ୍ୟ ଭିତରକନିକା ପ୍ରତି ବିପଦ ସୃଷ୍ଟି କରିଛି। ହେନ୍ତାଳ ଲୁଣା ଜଙ୍ଗଲ ସୃଷ୍ଟି ପାଇଁ ଏକ ନିର୍ଦ୍ଧିଷ୍ଟ ପରିମାଣର ମଧୁର ଓ ଲୁଣି ଜଳ ଆବଶ୍ୟକ। ନଦୀମାନଙ୍କରେ ପ୍ରବାହିତ ମିଠା ପାଣି ଓ ସମୁଦ୍ରରୁ ପ୍ରତିଦିନ ଜୁଆରରେ ଆସୁଥିବା ଲୁଣି ପାଣିର ମିଶ୍ରଣରେ ଲୁଣା ଜଙ୍ଗଲ ବଞ୍ଚି ରହିଥାଏ। ବ୍ରାହ୍ମଣୀ ଓ ବୈତରଣୀ ନଦୀର ମଧୁର ଜଳସ୍ରୋତ ଧିରେ ଧିରେ କମିବାରେ ଲାଗିଛି। ୧୬ ଅକ୍ଟୋବର ୨୦୨୨ରେ ବନବିଭାଗ, ଚିଲିକା ଉନ୍ନୟନ କର୍ତୃପକ୍ଷ ଓ ଦିଲ୍ଲୀସ୍ଥିତ ଜିଇଜେଡ୍ ସଂସ୍ଥାର ମିଳିତ ଆନୁକୂଲ୍ୟରେ ଆୟୋଜିତ କର୍ମଶାଳାରେ ଭିତରକନିକା ଜାତୀୟ ଉଦ୍ୟାନକୁ ୭୦ ପ୍ରତିଶତ ମଧୁର ଜଳ ପ୍ରବାହିତ ହେଉଥିଲା । ତାହା ଏବେ ବର୍ଷା ଦିନେ ୪୦ ପ୍ରତିଶତକୁ ଖସି ଆସିଥିବା ବେଳେ ଖରାଦିନେ ଏହା ୧୫ ପ୍ରତିଶତ ମଧ୍ୟରେ ରହୁଛି। ଯାହାକୁ ଲୁଣା ଜଙ୍ଗଲ ପ୍ରତି ଭୟଙ୍କର ବିପଦକୁ ଡାକି ଆଣୁଛି। ସ୍ଲୋ ମେଥଡ୍ ପକ୍ରିୟାରେ ଲୁଣା ଗଛ ଗୁଡିକ ପ୍ରଭାବିତ ହୋଇଥାଏ। ଏବେଠୁ ଯଦି ଏ ନେଇ ପଦକ୍ଷେପ ନିଆନଯାଏ, ଆଉ କିଛିଦିନ ପରେ ଭିତରକନିକାରେ କିଛି ପ୍ରଜାତିର ଲୁଣା ଜଙ୍ଗଲ ଲୋପ ପାଇଯିବାର ଆଶଙ୍କା ଏଡ଼ାଯାଇନପାରେ।
ଅନ୍ୟପକ୍ଷରେ ଜଳବାୟୁ ପରିବର୍ତ୍ତନ ଯୋଗୁଁ ସମୁଦ୍ର ଜନବସତିକୁ ମାଡିଯିବା ଯୋଗୁଁ ସାତଭାୟାବାସୀଙ୍କୁ ବିସ୍ଥାପିତ ହେବାକୁ ପଡିଛି। ଏବେ ବଙ୍ଗୋପସାଗର ସାତଭାୟାର ପୁରୁଣା ଜନବସତିଠାରୁ ଏକକୂଳା ଯାଏଁ ୧୨ କିମି ବେଳାଭୂମିରେ ତାଣ୍ଡବ ରଚୁଛି। ସାତଭାୟାରୁ ଏକକୂଳା ଯାଏଁ ଥିବା ବାଲିପାହାଡକୁ ଅଧିକାଂଶ ସ୍ଥାନରେ ସମୁଦ୍ର ଧୋଇ ନେବା ପରେ ଏବେ ସମୁଦ୍ର ଜୁଆର ଲୁଣା ଜଙ୍ଗଲ ମଧ୍ୟରେ ତାଣ୍ଡବ ରଚୁଛି। ଗତ ୧୦ ବର୍ଷ ଭିତରେ ସାତଭାୟାରୁ ଏକକୂଳା ମଧ୍ୟରେ ପ୍ରାୟ ୧ ଲକ୍ଷରୁ ଅଧିକ ଗଛକୁ ଓପାଡି ସମୁଦ୍ର ତା’ଗର୍ଭକୁ ନେଇ ଯାଇଛି। ଏଥିସହ ହବାଳିଖଟି ନିକଟରେ ଫରେଷ୍ଟ ଗେଷ୍ଟ ହାଉସ୍ ସମୁଦ୍ର ଗର୍ଭରେ ଲୀନ ହେବା ପରେ ନୂତନ ଭାବେ ଡଲଫିନ୍ ହାଉସ ନିର୍ମାଣ ହୋଇଥିଲା। ଗତ ୩ ବର୍ଷରେ ପ୍ରାୟ ୨ଶହ ମିଟର ସମୁଦ୍ର କୂଳକୁ ସେ ସ୍ଥାନରେ ମାଡି ଆସି ନୂତନ ଡଲଫିନ୍ ହାଉସ ପ୍ରତି ବିପଦ ସୃଷ୍ଟି କରିଛି। ଭିତରକନିକା ପ୍ରତି ବିପଦ ସେତିକିରେ ସରିନି। ଜଳବାୟୁ ପରିବର୍ତ୍ତନ ଓ ଲୁଣା ଜଙ୍ଗଲ ମଧ୍ୟକୁ ମଧୁର ଜଳ ହ୍ରାସ ଓ ଖାଦ୍ୟାଭାବ କାରଣରୁ ବଗଗହନକୁ ଦେଶୀୟ ପକ୍ଷୀ ମୁହଁ ମୋଡି ଦେଇଥିବା ବେଳେ ମଠଆଡିଆକୁ କେବଳ ଗେଣ୍ଡାଳିଆ ଆସୁଛନ୍ତି। ଅତିଥି ଅଲିଭରିଡ୍ଲେ କଇଁଛଙ୍କ ଗଣ ଅଣ୍ଡାଦାନସ୍ଥଳ ନାସୀ-୨ ସଙ୍କୁଚିତ ହୋଇଯିବା ଯୋଗୁଁ ଅଲିଭ୍ ରିଡଲେଙ୍କ ଗଣ ଅଣ୍ଡାଦାନ ସଂଖ୍ୟା ଗତ କିଛି ବର୍ଷ ହେଲା ଋଷିକୂଲ୍ୟାଠାରୁ କମିବାରେ ଲାଗିଛି। ଏହାବାଦ୍ ଭିତରକନିକାରେ ସ୍ଥାନାଭାବ ଓ ଖାଦ୍ୟାଭାବ ଯୋଗୁଁ ବଉଳା କୁମ୍ଭୀର ନଦୀ ନାଳରେ ପ୍ରବେଶ କରି ଆତଙ୍କ ଖେଳାଇ ସାରିଲେଣି। ବାଡି ପୋଖରୀ ତୁଠରୁ ମହିଳାଙ୍କୁ ଟାଣି ନେବା ଘଟଣା କୁମ୍ଭୀର ଆତଙ୍କ ସ୍ଥିତିକୁ ଭୟଙ୍କର କରିଛି। କୁମ୍ଭୀରଙ୍କ ବସତି ଅଞ୍ଚଳରେ କେତେକ ସ୍ଥାନରେ ବେଢଜାଲ ବସାଇ ମାଛ ମାରିବା ଯୋଗୁଁ କୁମ୍ଭୀରଙ୍କ ପାଇଁ ଖାଦ୍ୟାଭାବ ସ୍ଥିତି ସୃଷ୍ଟି ହେବାରୁ କୁମ୍ଭୀର ଜନବସତି ମୁହାଁ ହୋଇଥିବା କୁହାଯାଉଛି । ଭିତରକନିକା ଚତୁଃପାଶ୍ୱର୍ରେ ବେଆଇନ, ଚିଙ୍ଗୁଡିଘେରି ପରିବେଶ ସନ୍ତୁଳନକୁ ବିଗାଡି ସାରିଲାଣି। ଏହାବାଦ୍ କୁଢ କୁଢ ପଲିଥିନ ଓ ପ୍ଲାଷ୍ଟିକ ଆବର୍ଜନା ନଦୀ, ସମୁଦ୍ରରେ ପଡିବା ଭିତରକନିକାର ଜୀବଜନ୍ତୁ ଓ ଜୈବ ବିବିଧତା ପ୍ରତି ବଡ ବିପଦ ସୃଷ୍ଟି କରିଛି। ଗତବର୍ଷ ଉଦ୍ଧାର ମୃତ ୧୭ ଫୁଟ ଲମ୍ବର କୁମ୍ଭୀର ପେଟରୁ ପଲିଥିନ ଓ ପ୍ଲାଷ୍ଟିକ ବାହାରିବା ଘଟଣା ଜୈବ ବିବିଧତା ପ୍ରତି କେତେ ବଡ଼ ବିପଦ ସୃଷ୍ଟି କରିଛି, ତାହା ସ୍ପଷ୍ଟ ଭାବେ ବୁଝିହେବ। ଏବେଠୁ ଯଦି ଭିତରକନିକାକୁ ଘେରି ରହିଥିବା ବିପଦଗୁଡ଼ିକ ପ୍ରତି ଧ୍ୟାନ ଦିଆନଯାଏ, ତେବେ ଭବିଷ୍ୟତ ପିଢ଼ି ଭୟଙ୍କର ବିପଦକୁ ସାମ୍ନା କରିବେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/01/bhitarakanika.jpg)