ବ୍ରହ୍ମପୁର ବାଳସୁଧାର ଗୃହରୁ ୬ ଅନ୍ତେବାସୀ ଫାଟକ ଡେଇଁ ଚମ୍ପଟ

ବ୍ରହ୍ମପୁର: ବିଳମ୍ବିତ ରାତିରେ ଗ୍ରିଲ ତାଡି ବାଳସୁଧାର ଗୃହରୁ ଚମ୍ପଟ ମାରିଲେ ୬ ଜଣ ଅନ୍ତେବାସୀ | ବ୍ରହ୍ମପୁରରେ ଥିବା ବାଳସୁଧାର ଗୃହରେ ଗତକାଲି ରାତିରେ ଏଭଳି ଘଟଣା ଘଟିଛି | ମିଳିଥିବା ସୂଚନା ମୁତାବକ ବାଳସୁଧାର ଗୃହରୁ ବିଳମ୍ବିତ ରାତ୍ରି ପ୍ରାୟ ୨ଟା ବେଳେ ୬ ଜଣ ଅନ୍ତେବାସୀ ଚମ୍ପଟ ମାରି କୁଆଡେ ପଳାଇଛନ୍ତି | ବିଳମ୍ବିତ ରାତିରେ ରାତ୍ରି ଜଗୁଆଳି ଯେତେବେଳେ ଏହି ୬ ଜଣ ରହୁଥିବା କୋଠରୀରେ କେହି ନଥିବାର ଦେଖିଥିଲେ ସେ ତୁରନ୍ତ ସୁପରିଟେଣ୍ଡେଣ୍ଟ ପି.ରମେଶ ରାଓଙ୍କୁ ସୂଚନା ଦେଇଥିଲେ | ଏହା ପରେ ସୁପରିଟେଣ୍ଡେଣ୍ଟ ଆଜି ବୈଦ୍ୟନାଥପୁର ଥାନାରେ ଏନେଇ ଅଭିଯୋଗ କରିଛନ୍ତି |

ଫେରାର ହୋଇଥିବା ଅନ୍ତେବାସୀଙ୍କ ମଧ୍ୟରୁ ପୁରୀରୁ ଜଣେ ଥିବାବେଳେ ବ୍ରହ୍ମପୁରରୁ ଜଣେ, କୋରାପୁଟର ୨ ଜଣ ଓ ଗଜପତି ଜଣେ ଅନ୍ତେବାସୀ ରହିଛନ୍ତି | ବିଭିନ୍ନ ପ୍ରକାରର ଅପରାଧ କରି ଏମାନେ ବାଳସୁଧାର ଗୃହରେ ଥିବାବେଳେ ଖବର ପାଇ ବୈଦ୍ୟନାଥପୁର ପୁଲିସ ତନାଘନା ଆରମ୍ଭ କରିଛି। ତେବେ ବାରମ୍ବାର ଅନ୍ତେବାସୀମାନେ ଚମ୍ପଟ ମାରିବା ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି |

ସୂଚନା ଥାଉ କି ଗତବର୍ଷ ମଧ୍ୟ ଏହି ବାଳସୁଧାର ଗୃହରୁ ୭ ଜଣ ଚମ୍ପଟ ମାରିଥିଲେ | ସେମାନଙ୍କ ମଧ୍ୟରୁ ୪ ଜଣଙ୍କୁ ଧରାଯାଇଥିବାବେଳେ ୩ ଜଣ ଏବେ ବି ଫେରାର ଅଛନ୍ତି |

ସମ୍ବନ୍ଧିତ ଖବର