ମୋବାଇଲ୍ ଫାଇନାନ୍ସ ନାମରେ ଅଭିନବ ଠକାମୀ ! ବ୍ୟାଙ୍କ ଓ ଫାଇନାନ୍ସ କମ୍ପାନୀର ୫୦ଲକ୍ଷ ଟଙ୍କା କ୍ଷତି ଆଶଙ୍କା

ଖୋର୍ଦ୍ଧା: ଘରୋଇ ଓ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଓ ବଜାଜ ଫାଇନାନ୍ସ ଭଳି ଅଣ ବ୍ୟାଙ୍କିଙ୍ଗ୍ ଫାଇନାନ୍ସ କମ୍ପାନୀ କ୍ରେଡିଟ୍ କାର୍ଡ କିମ୍ବା ସପିଂ କାର୍ଡ ଜାରି କରିଥାଏ । ବିଭିନ୍ନ ଦୋକାନରେ ଏହି କାର୍ଡ ଦ୍ୱାରା ଜଣେ ଗ୍ରାହକ କିଛି ଅଗ୍ରୀମ ଦେଇ ନିର୍ଦ୍ଦିଷ୍ଟ ସୀମା ମଧ୍ୟରେ ସାମଗ୍ରୀ ନେବାରେ ସୁଯୋଗ ରହିଥାଏ । ବଳକା ଟଙ୍କାକୁ ଗ୍ରାହକ ମାସିକ କିସ୍ତିରେ ସୁଝିଥାନ୍ତି । କିନ୍ତୁ ଏହି କାର୍ଡ଼ରେ ଗ୍ରାହକଙ୍କୁ ସାମଗ୍ରୀ ବଦଳରେ ନଗଦ ଟଙ୍କା ଦେବା ସଂପୂର୍ଣ୍ଣ ଭାବେ ବେଆଇନ । ତେବେ ଏଭଳି ବେଆଇନ କାର୍ଯ୍ୟର ପ୍ରଲୋଭନରେ ଗ୍ରାହକଙ୍କୁ ଟଙ୍କା ନଦେଇ ଠକିବା ଭଳି ଏକ ମାମଲା ଖୋର୍ଦ୍ଧା ସହରରେ ଘଟିଛି । ଏହି ଠକାମୀରେ ପ୍ରାୟ ୪୦ରୁ ୫୦ ଲକ୍ଷ ଟଙ୍କା ଜାଲିଆତି ହୋଇଥିବା ଜଣାଯାଇଛି ।

ସୂଚନାନୁସାରେ, ଖୋର୍ଦ୍ଧା ସହରର ବିଭିନ୍ନ ସ୍ଥାନରେ ଏକ ବୃହତ୍ ଇଲକ୍ଟ୍ରିକାଲ୍ସ ଓ ମୋବାଇଲ୍ ଦୋକାନର ପ୍ରାୟ ୫ଟି ଦୋକାନ ଶୃଙ୍ଖଳ ରହିଛି । ଏହି ଦୋକାନରେ ଗ୍ରାହକମାନେ ସପିଂ କାର୍ଡରେ ମୋବାଇଲ୍ ଆଦି ନେଇ ମାସିକ କିସ୍ତିରେ ସୁଝିବାର ବ୍ୟବସ୍ଥା ରହିଛି । ଏଥିପାଇଁ ସମ୍ପୃକ୍ତ ଫାଇନାନ୍ସ କମ୍ପାନୀ ଓ ବ୍ୟାଙ୍କର ବ୍ୟବସାୟିକ ପ୍ରତିନିଧି ରହିଛନ୍ତି । ଯେତେବେବେଳ ଗ୍ରାହକ ମୋବାଇଲ୍କୁ ଋଣରେ କିଣେ ସେତେବେଳେ ସେ ନିଜର ପରିଚୟ ପତ୍ର, କ୍ରସ ଚେକ୍ ଓ ବ୍ୟାଙ୍କ ଜମା ଖାତାର ବିବରଣୀ, ବାୟୋମେଟ୍ରିକ୍ ଚିହ୍ନଟ ଆଦି ଦାଖଲ କରିବାକୁ ପଡ଼ିଥାଏ । ଏହାପରେ ସମ୍ପୃକ୍ତ ଦୋକାନୀ ଉକ୍ତ ମୋବାଇଲ୍ ସହ ଗ୍ରାହକଙ୍କ ଫଟୋ ଉଠାଇଥାଏ । ଗ୍ରାହକ ମୋବାଇଲ୍ ନେବା ପରେ ପ୍ରତିମାସରେ ନିର୍ଦ୍ଦିଷ୍ଟ ପରିମାଣର ଟଙ୍କା ଗ୍ରାହକଙ୍କ ବ୍ୟାଙ୍କ ଜମାଖାତାରୁ କଟିଥାଏ । କିନ୍ତୁ ଗ୍ରାହକ, ଦୋକାନ ମାଲିକ ଓ ସେଠାରେ ଥିବା ବ୍ୟାଙ୍କିଙ୍ଗ୍ ଓ ଫାଇନାନ୍ସର ପ୍ରତିନିଧିଙ୍କ ସଲାସୁତରାରେ ମୋବାଇଲ୍ ସହ ଫଟୋ ଉଠାଇବା ପରେ କେତେକ ଗ୍ରାହକ ମୋବାଇଲ୍ ବଦଳରେ ସମପରିମାଣର ଟଙ୍କା ନେବାକୁ ସ୍ୱୀକୃତି ଦେଇଥିଲେ । ଉକ୍ତ ଦୋକାନ ମାଲିକ ଓ ବ୍ୟାଙ୍କର ପ୍ରତିନିଧି ମଧ୍ୟ ଉକ୍ତ ଟଙ୍କା ସେମାନଙ୍କ ବ୍ୟାଙ୍କ ଖାତାକୁ ପଠାଯିବାର ପ୍ରତିଶ୍ରୁତି ଦେଇଥିଲେ ।

ଉଦାହରଣ ସ୍ୱରୂପ, ନିର୍ଦ୍ଦିଷ୍ଟ କମ୍ପାନୀର ମୋବାଇଲ୍ର ଦାମ ୨୦ହଜାର ଟଙ୍କା । ସପିଂ କାର୍ଡ ଦ୍ୱାରା ଜଣେ ଗ୍ରାହକ ୪ ହଜାର ଟଙ୍କା ଅଗ୍ରୀମ ଓ ନିର୍ଦ୍ଧାରିତ ନଥିପତ୍ର ଦାଖଲ କଲେ । ଗ୍ରାହକ ମୋବାଇଲ୍ ନେବା ଭଳି ପ୍ରମାଣ ଦେଖାଇବା ପାଇଁ ଦୋକାନ ମାଲିକ ଓ ଉକ୍ତ ବ୍ୟାଙ୍କ ପ୍ରତିନିଧି ଫଟୋ ମଧ୍ୟ ଉଠାଇଲେ । ଏହାପରେ ଗ୍ରାହକ ମୋବାଇଲ୍ ନନେଇ ଦୋକାନୀ ଠାରୁ ୧୬ହଜାର ଟଙ୍କା ନଗଦ ନେବାକୁ ସ୍ୱୀକୃତି ଦେଲେ । କିନ୍ତୁ ଦୀର୍ଘ ଦିନ ବିତିଯିବା ପରେ ମଧ୍ୟ ଗ୍ରାହକଙ୍କ ଖାତାକୁ ଉକ୍ତ ଟଙ୍କା ଆସିନଥିବାରୁ ଆଜି ଉକ୍ତ ଗ୍ରାହକମାନେ ଖୋର୍ଦ୍ଧା ଟାଉନ୍ ଥାନାର ଦ୍ୱାରସ୍ଥ ହୋଇଥିବା ଜଣାଯାଇଛି । ଏଭଳି ବେଆଇନ କାରବାରରେ ବ୍ୟାଙ୍କ ଓ ଫାଇନାନ୍ସ କମ୍ପାନୀକୁ ୪୦ରୁ ୫୦ଲକ୍ଷ ଟଙ୍କା କ୍ଷତି ହୋଇଥିବା ଜଣାଯାଇଛି ।

ଏନେଇ ସମ୍ପୃକ୍ତ ବ୍ୟାଙ୍କ ଓ ଫାଇନାନ୍ସ କମ୍ପାନୀଗୁଡ଼ିକ ପକ୍ଷରୁ କୌଣସି ଅଭିଯୋଗ କରାଯାଇନଥିବା ବେଳେ ଆର୍ବିଆଇ ନିୟମାନୁସାରେ, ଏଭଳି କାରବାରରେ ସମ୍ପୃକ୍ତ ଉଭୟ ଗ୍ରାହକ, ଦୋକାନୀ ଓ ବ୍ୟାଙ୍କ ଆଦିର ଭାରପ୍ରାପ୍ତ ବ୍ୟକ୍ତିବିଶେଷ ଦୋଷୀ ଅଟନ୍ତି । ଏହି ଜାଲିଆତି ନେଇ ଟାଉନ ଥାନା ସହ ଯୋଗାଯୋଗ କରିବାରେ କୌଣସି ପ୍ରତିକ୍ରିୟା ଦିଆଯାଇନାହିଁ । ତେବେ ଥାନାର ଜଣେ ଅଧିକାରୀ କହିଛନ୍ତି ଯେ ଏଭଳି ଅଭିଯୋଗ ହୋଇଛି, ଏହା ଅର୍ଥନୈତିକ ଅପରାଧ ହୋଇଥିବାରୁ ଏନେଇ ଆଇନର ଦିଗ ବିଚାର ଚାଲିଛି । ଆଇନାନୁସାରେ, ପରବର୍ତୀ ପଦକ୍ଷେପ ନିଆଯିବ ।

ସମ୍ବନ୍ଧିତ ଖବର