ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ ଓ କର୍ମଚାରୀ ସମନ୍ୱୟ ସମିତିର ଅଭିନବ ଆନ୍ଦୋଳନ

ନୂଆପଡ଼ା: ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ ଓ କର୍ମଚାରୀ ସମନ୍ବୟ ସମିତିର ଡାକରାରେ ଜିଲ୍ଲାର ସମସ୍ତ ନୂତନ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଓ ମହାବିଦ୍ୟାଳୟ ସମ୍ମୁଖରେ ଶିକ୍ଷକ ଓ କର୍ମଚାରୀ ଅଭିନବ ଉପାୟରେ ଆନ୍ଦୋଳନ କରିଛନ୍ତି। ସରକାରଙ୍କ ସହ ବାରମ୍ବାର ଆଲୋଚନା ସତ୍ତ୍ୱେ କୌଣସି ସୁଫଳ ମିଳି ନଥିବାରୁ ପ୍ଲାକାର୍ଡ ଧରି ନିଜ ନିଜ ସ୍କୁଲ ସମ୍ମୁଖରେ ଧାରଣା ଦେଇଥିବା ଦେଖାଯାଇଛି। ଆଜି ଦିନ ପ୍ରାୟ ୧୧ଟାରେ ଜିଲ୍ଲାର ସମସ୍ତ ୫୧ଟି ନୂତନ ଅନୁଦାନପ୍ରାପ୍ତ ଉଚ୍ଚ ବିଦ୍ୟାଳୟ, ୬ଟି ମହାବିଦ୍ୟାଳୟ ଓ ୮ଟି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଏକ ଘଣ୍ଟିଆ ଧାରଣା ଅନୁଷ୍ଠିତ ହୋଇଥିଲା।

ଏଥିରେ ସମସ୍ତ ଶିକ୍ଷକ ଓ କର୍ମଚାରୀ ସାମିଲ ହୋଇଥିଲେ। ୧୯୪ ଯୋଗ୍ୟ ବିବେଚିତ ବିଦ୍ୟାଳୟକୁ ଅନୁଦାନ ପ୍ରଦାନ କରିବା, ୨୨୬/୩୯୯ ବର୍ଗ ବିଦ୍ୟାଳୟ କର୍ମଚାରୀଙ୍କୁ ସପ୍ତମ ବେତନ ପ୍ରଦାନ କରିବା, ଚାକିରି କାଳକୁ ୬୦ରୁ ୬୨ ବର୍ଷକୁ ବୃଦ୍ଧି କରିବା, ପୁରୁଣା ପେନସନ ଲାଗୁ କରିବା ଆଦି ଦାବି କରାଯାଇଛି। ଦାବି ପୂରଣ ନହେଲେ ଏପ୍ରିଲ ୨୬ରେ ଭୁବନେଶ୍ୱରରେ ବିଶାଳ ସମାବେଶ କରାଯିବ ବୋଲି ସମନ୍ବୟ ସମିତି ପକ୍ଷରୁ ଚେତାବନୀ ଦିଆଯାଇଛି। ସମନ୍ବୟ ସମିତିର ଜିଲ୍ଲା ଆବାହକ ତଥା ଓଷ୍ଟା ଜିଲ୍ଲା ସମ୍ପାଦକ ରବୀନ୍ଦ୍ର ନାଥ ଯୋଷୀ, ଓଷ୍ଟା ଜିଲ୍ଲା ସଭାପତି ବନବିହାରୀ ମେହେର, ରାଜ୍ୟ କାର୍ଯ୍ୟକାରିଣୀ ସଭ୍ୟ ପ୍ରଦୀପ୍ତ ଯୋଷୀ, ଦିଲୀପ ନାଏକ, ସୁବ୍ରତ ପାଣିଗ୍ରାହୀ, ପ୍ରିୟମଞ୍ଜରୀ ବେହେରା, ଭୋଜରାଜ ହଂସ, ଚିତ୍ତରଂଜନ ଦୁବେ, ଆଦାମ ପାଣ୍ଡେ, ଅନିରୁଦ୍ଧ ପଣ୍ଡା, ସୁବାସ ଚନ୍ଦ୍ର ସାହୁ, ଭରତ ଚନ୍ଦ୍ର ବେହେରା, ସୀମାଞ୍ଚଳ ଦାସ, ତାରାଚାନ୍ଦ ଥପ୍ପା, ପଣ୍ଡୋରାମ ପାଣ୍ଡେ, ପ୍ରଫୁଲ୍ଲ ମହାରଣା, ତପନ ବହିଦାର, ଦେବେନ୍ଦ୍ର ରଣା, ସୁଶାନ୍ତ ବିଶି, ପ୍ରଦୀପ ପତି, ରାଜ କୁମାର ତାଣ୍ଡି, ସୁରେଶ ମହାନ୍ତି, ଅଭିମନ୍ୟୁ ସାହୁ, ନିରାକାର ସାହୁ ପ୍ରମୁଖ ଆନ୍ଦୋଳନରେ ସାମିଲ ହୋଇଥିଲେ।
କୋମନା: ପାଞ୍ଚ ଦଫା ଦାବି ନେଇ ନିଜ ନିଜ ଶିକ୍ଷା ଅନୁଷ୍ଠାନ ସମ୍ମୁଖରେ ପ୍ଲାକାର୍ଡ ଧରି ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ କର୍ମଚାରୀ ପ୍ରତିବାଦ ଜାହିର କରିଛନ୍ତି। ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ କର୍ମଚାରୀ ସମନ୍ବୟ ସମିତି ଦାବି ପୂରଣ ନେଇ ବାରମ୍ବାର ଦାବି କରି ଆସୁଥିବା ବେଳେ ସରକାର ପଦକ୍ଷେପ ନେଉନାହାନ୍ତି। ଆଗାମୀ ଦିନରେ ଆନ୍ଦୋଳନକୁ ଜୋର୍‌ଦାର୍ କରାଯିବ ବୋଲି ଚେତାବନୀ ଦେଇଛନ୍ତି।

ସମ୍ବନ୍ଧିତ ଖବର