କଟକ: କଟକ ପୌର ନିଗମରେ ଜିମ୍‌ ଉପକରଣ କିଣାରେ ବଡ଼ଧରଣର ଦୁର୍ନୀତି ହୋଇଥିବାର ଅଭିଯୋଗ କରି ଭିନ୍ନ ଢଙ୍ଗରେ ପ୍ରତିବାଦ କରାଯାଇଛି। ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଓ ସିଟି ଇଂଜିନିୟରଙ୍କ ଫଟୋ ରହିତ ବ୍ୟାନର୍‌ ସହରର ବିଭିନ୍ନ ସ୍ଥାନରେ ଟଙ୍ଗାଯାଇଛି। ୫ କୋଟି ଟଙ୍କାର ଜିମ୍‌ ଉପକରଣ କିଣାରେ ମହାଦୁର୍ନୀତି ହୋଇଥିବା ବେଳେ ଏଥିରେ ନିଗମ ସିଟି ଇଂଜିନିୟରଙ୍କ ହାତ ରହିଛି, କଟକବାସୀଙ୍କ ଟିକସ ଅର୍ଥରେ ମନଇଚ୍ଛା ଜିମ୍‌ ଉପକରଣ କିଣାଯାଇଛି, ନିଗମ ସିଟି ଇଂଜିନିୟରଙ୍କୁ ତୁରନ୍ତ ଚାକିରିରୁ ବହିଷ୍କାର କରିବା ସହ ଭିଜିଲାନ୍ସ ତଦନ୍ତ କରିବାକୁ ବ୍ୟାନର୍‌ରେ ଲେଖାଯାଇଛି। ସହରର ଅରୁଣୋଦୟନଗର ସ୍ଥିତି ସିଡିଏ କାର୍ଯ୍ୟାଳୟ ସମ୍ମୁଖରେ, ବାଦାମବାଡ଼ି ପଛପାର୍ଶ୍ବ ବିକାଶ ଭବନ ଗଡ଼ା ନିକଟରେ ଓ ସହରର ବିଭିନ୍ନ ସ୍ଥାନରେ ଏଭଳି ଏକାଧିକ ବ୍ୟାନର୍‌ ମରାଯାଇଛି। ଏହାକୁ ନେଇ ଆଜି ପୌର ନିଗମ ଓ ସିଡିଏ କାର୍ଯ୍ୟାଳୟରେ ଚର୍ଚ୍ଚା ଜୋର ଧରିଥିବ‌ା ବେଳେ ମଧ୍ୟାହ୍ନରେ ଏହାକୁ ନିଗମ କର୍ମଚାରୀଙ୍କ ଦ୍ବାରା ଖୋଲି ଦିଆଯାଇଥିଲା।

Advertisment

ସହରର ବିଭିନ୍ନ ପାର୍କ ଓ ଖୋଲା ସ୍ଥାନରେ ପୌର ନିଗମ ତରଫରୁ ଜିମ୍‌ ସାମଗ୍ରୀ ଲଗାଯାଉଛି। ଜିମ୍‌ ଉପକରଣ ଦେବା ପାଇଁ ପୌର ନିଗମ ସିଟି ଇଂଜିନିୟର ଅତନୁ ସାମନ୍ତ ଚିଠି ନମ୍ବର ୧୩୯୧(ପିଡବ୍ଲ୍ୟୁ)ରେ ଗତ ଫେବ୍ରୁଆରି ୧୬ରେ ୫ କୋଟି ୮ ହଜାର ୭୫୦ ଟଙ୍କାର ଏକ କାର୍ଯ୍ୟାଦେଶ ରାଜ୍‌ ଇକ୍ୟୁପମେଣ୍ଟ ଇଣ୍ଡିଆ ପ୍ରାଇଭେଟ୍‌ ଲିମିଟେଡ୍‌, ନାଗପୁରକୁ ଦେଇଥିଲେ। ଏଥିରେ ୧୫ ପ୍ରକାର ଉପକରଣର ୫୫୫ଟି ପିସ୍‌ ଦେବାକୁ କୁହାଯାଇଥିଲା। ତେବେ ସିଟି ଇଂଜିନିୟର ଓଡ଼ିଶା ମ୍ୟୁନିସିପାଲ କର୍ପୋରେସନ୍‌ ଆକ୍ଟ ୨୦୦୩ (ଓଡ଼ିଶା ଅକ୍ଟର ୧୧ ଅଫ୍‌ ୨୦୦୩)ନିୟମ ବିରୋଧରେ ଯାଇ ଏହି ଆଦେଶ ଦେଇଥିବାର ଅଭିଯୋଗ ହୋଇଥିଲା। ନିୟମ ଅନୁସାରେ ନିଗମ କମିସନର ୧ କୋଟି ଟଙ୍କା, ଷ୍ଟାଣ୍ଡିଂ କମିଟି ୨କୋଟି ଟଙ୍କା ଓ କାଉନ୍‌ସିଲ ୪ କୋଟି ଟଙ୍କା ମଧ୍ୟରେ ଟେଣ୍ଡର କିମ୍ବା ଜିନିଷ କିଣିବାକୁ ଅର୍ଡର କରିପାରିବେ। ଏହାଠାରୁ ଅଧିକ ଟଙ୍କାର କାର୍ଯ୍ୟାଦେଶ କିମ୍ବା ଟେଣ୍ଡର ଦେବାର କ୍ଷମତା କେବଳ ସରକାରଙ୍କର ରହିଛି। ତେବେ ସିଟି ଇଂଜିନିୟର ୫ କୋଟିରୁ ଅଧିକ ଟଙ୍କାର ଜିମ୍‌ ଉପକରଣ ଦେବାକୁ କିପରି କାର୍ଯ୍ୟାଦେଶ ବାହାର କରିଲେ ବୋଲି ପ୍ରଶ୍ନ ଉଠିଥିଲା। ଅନ୍ୟପଟେ ୨ ଲକ୍ଷ ଟଙ୍କାରୁ ଅଧିକ ଟଙ୍କାର କାର୍ଯ୍ୟ ବା ଜିନିଷ କିଣା ପାଇଁ ଇ-ଟେଣ୍ଡର କରିବାକୁ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ବିଜ୍ଞପ୍ତି ନମ୍ବର ୧୬୧/୦୩-୦୧-୨୦୧୮ରେ କହିଥିବା ବେଳେ ଜିମ୍‌ ଉପକରଣ କିଣା ସମୟରେ ଏହାକୁ ପାଳନ କରାଯାଇ ନଥିଲା। ଏହା ପଛରେ ଏକ ବଡ଼ ଦୁର୍ନୀତି ଥିବାର ଅଭିଯୋଗ ହୋଇଥିଲା।