ଜଳେଶ୍ୱର: ବାଲେଶ୍ବର ଜିଲ୍ଲା ଜଳେଶ୍ୱର ପୌରାଞ୍ଚଳ ୮ନମ୍ବର ୱାର୍ଡ ପଞ୍ଚୁଘଣ୍ଟା ଗ୍ରାମରେ ୪ଟି ପ୍ରକଳ୍ପରେ କାମ ନ ହୋଇ ବିଲ୍ ଉଠାଇ ନିଆଯାଇଥିବା ଅଭିଯୋଗରେ ବିଜେପି ପକ୍ଷରୁ ଅଭିନବ ପ୍ରତିବାଦ କରାଯାଇଛି। କାର୍ଯ୍ୟାନୁଷ୍ଠାନ ଦାବିକରି ପୌର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ପ୍ରକୋଷ୍ଠ ଭିତରେ ଖୋଳ, ଝାଞ୍ଜ ବଜାଇ କୀର୍ତ୍ତନ କରିଛନ୍ତି। ଏପରିକି ସହକାରୀ ଯନ୍ତ୍ରୀଙ୍କ ବେକରେ ଫୁଲମାଳ ପିନ୍ଧାଇଛନ୍ତି।
ଜଳେଶ୍ୱର ସହରର ବିଭିନ୍ନ ସ୍ଥାନରେ ଉନ୍ନୟନମୂଳକ କାର୍ଯ୍ୟ ପାଇଁ ପୌର ପରିଷଦ ପକ୍ଷରୁ ୬୨ଟି ପ୍ରକଳ୍ପ ପାଇଁ ଟେଣ୍ଡର ଆହ୍ବାନ କରାଯାଇଥିଲା। ସେହି ତାଲିକାରେ ୮ ନମ୍ବର ୱାର୍ଡ ପଞ୍ଚୁଘଣ୍ଟା ଗ୍ରାମରେ ୪ଟି ପ୍ରକଳ୍ପ ରହିଥିଲା। ଏହି ୪ଟି ପ୍ରକଳ୍ପ ପାଇଁ ୭ ଲକ୍ଷ ୩୩ ହଜାର ମଞ୍ଜୁର ହୋଇ ପ୍ରକଳ୍ପର ଟେଣ୍ଡର ଦୁଇଜଣ ଠିକାଦାରଙ୍କ ନାମରେ ଥିବାବେଳେ କୌଣସି ଗୋଟିଏ ବି ସ୍ଥାନରେ କାର୍ଯ୍ୟ ହୋଇନାହିଁ। କିନ୍ତୁ ସମସ୍ତ ବିଲ୍ ଉଠାଇ ନିଆଯାଇଛି।
କାମ ହୋଇ ନଥିବାରୁ ଲୋକେ ପାଣି କାଦୁଅରେ ଯାଉଛନ୍ତି ବୋଲି ପୂର୍ବତନ ନଗର ସଭାପତି ତଥା ପୌରପାଳିକା ଦାୟିତ୍ୱରେ ଥିବା ସାଂସଦ ପ୍ରତିନିଧି ଫାଲଗୁନୀ ପାଣିଗ୍ରାହୀ, ବିଜେପି ନଗର ସଭାପତି ଶିବ ନାରାୟଣ ମହାପାତ୍ର, କାଉନ୍ସିଲର ଚନ୍ଦନ ଦାସ, ଗ୍ରାମବାସୀ ଦୁର୍ଗା ଶଙ୍କର ଭୂୟାଁ, ବଲ୍ଲଭ ଘୋଷ, ଗୌରବ ଘୋଷ, ଅରୁଣ କୁମାର ଦାସ, ରାମକୃଷ୍ଣ ସାହୁ, ଦେବବ୍ରତ ପାଣିଗ୍ରାହୀ, ତୁଷାର ରଞ୍ଜନ ଦେ, ସୁଶାନ୍ତ କୋୟାଲ, ଧନଞ୍ଜୟ ଗିରି ପ୍ରମୁଖ ଅଭିଯୋଗ କରିଛନ୍ତି। ଏହାର ପ୍ରତିବାଦରେ ପୂର୍ବହ୍ଣ ସାଢ଼େ ୧୧ଟା ସମୟରେ ଜଳେଶ୍ୱର ନଗର ବିଜେପି କର୍ମକର୍ତ୍ତା ଖୋଳ, ଝାଞ୍ଜ ବଜାଇ ପୌର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ଅଫିସ୍ ଭିତରେ କୀର୍ତ୍ତନ କରିଥିଲେ। ଏହି ଅନିୟମିତତା ପାଇଁ ପୌର ସହକାରୀ ଯନ୍ତ୍ରୀ ସୁଶୀଲ କୁମାର ମୁର୍ମୁଙ୍କୁ ଦାୟୀ କରି ତାଙ୍କୁ ଫୁଲ ମାଳ ପିନ୍ଧାଇଥିଲେ। ପୌର କାର୍ଯ୍ୟନିର୍ବାହୀ ଅଧିକାରୀ ହେମନ୍ତ କୁମାର ସିଂ କହିଛନ୍ତି, ଅଭିଯୋଗ ହସ୍ତଗତ ହୋଇଛି। ଏହାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନିଆଯିବ। ଅପରପକ୍ଷେ, ଏ ସମ୍ପର୍କରେ ସମ୍ପୃକ୍ତ ୱାର୍ଡ କାଉନ୍ସିଲର ଚିତ୍ତରଞ୍ଜନ ମହାନ୍ତି କହିଛନ୍ତି ୪ଟି ଯାକ କାର୍ଯ୍ୟ ହୋଇଛି। ରାଜନୈତିକ ଅଭିସନ୍ଧି ରଖି ଏପରି ଅଭିଯୋଗ କରାଯାଉଥିବା ସେ କହିଛନ୍ତି।