ଭୁବନେଶ୍ବର : ସକାଳ ପ୍ରାୟ ୮ଟାରୁ ୮.୩୦ ହେବ। ହଠାତ୍ ନବୀନ ନିବାସ ସମ୍ମୁଖରେ ରୁଣ୍ଡ ହୋଇଗଲେ କିଛି ମହିଳାଙ୍କ ସମେତ ଶହ ଶହ ସଂଖ୍ୟାରେ ଚାଷୀ। ସାଙ୍ଗରେ ଆଣିଥିବା ଦୁଇଟି ଟ୍ରାକ୍ଟର, ତିନୋଟି ଚାରି ଚକିଆ ଗାଡ଼ିରୁ ସବୁ ଧାନ ଢ଼ାଳି ଦେଇଥିଲେ ନବୀନ ନିବାସ ସମ୍ମୁଖରେ। ନବୀନ ନିବାସ ଫାଟକ ନିକଟକୁ ମାଡ଼ି ଯାଇ ବିରୋଧ କରିଥିଲେ। ବିଳମ୍ବରେ ହେଲେ ମଧ୍ୟ ପୁଲିସ ପରିସ୍ଥିତିକୁ ଆୟତ୍ତ କରିବାକୁ ଚେଷ୍ଟା କରିଥିଲେ। ଚାଷୀମାନଙ୍କୁ ହଟାଇବା ପାଇଁ ଉଦ୍ୟମ ବେଳେ ଉଭୟଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା। ପରେ ଚାଷୀଙ୍କୁ ପ୍ରଥମେ ଏୟାରପୋର୍ଟ ଥାନା ଓ ପରେ ରିଜର୍ଭ ଗ୍ରାଉଣ୍ଡକୁ ନିଆଯାଇଥିଲା। ପରେ ବ୍ୟକ୍ତିଗତ ମୁଚାଲିକାରେ ଚାଷୀମାନଙ୍କୁ ଛାଡ଼ିଦେଇଥିଲା ପୁଲିସ।

Advertisment

ଧାନ କଟନିଛଟନି ପ୍ରତିବାଦ, ମଣ୍ଡିରେ ଅବ୍ୟବସ୍ଥା, ପ୍ରଶାସନର ଅବହେଳା ପ୍ରତିବାଦ କରି ଆଜି ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ଏଭଳି ଢଙ୍ଗରେ ନବୀନ ନିବାସ ଘେରାଉ କରାଯିବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ଏତେ ସକାଳୁ ନବୀନ ନିବାସ ଆଗରେ ଚାଷୀମାନେ ଏଭଳି ବିରୋଧ ପ୍ରଦର୍ଶନ କରିବେ ତାହା ପୁଲିସ ଜାଣିପାରିନଥିଲା। ଏଥିସହିତ ସବୁବେଳେ କଡ଼ା ସୁରକ୍ଷା ଭିତରେ ରହୁଥିବା ନବୀନ ନିବାସକୁ କିଭଳି ସୁରକ୍ଷା ଦିଆଯାଇଛି, ତାହାର ନମୁନା ଆଜି ପୂରା ଭୁବନେଶ୍ବର ଓ ଉଚ୍ଚ ପଦାଧିକାରୀମାନେ ଦେଖିଛନ୍ତି। ପ୍ରଶ୍ନ ଉଠିଛି, ନବ ନିର୍ମାଣ କୃଷକ ସଂଗଠନର ଏଭଳି ବିକ୍ଷୋଭ ନେଇ ଗୁଇନ୍ଦା ବିଭାଗ କିଭଳି ସୂଚନା ପାଇ ପାରିଲା ନାହିଁ? ନବୀନ ନିବାସ ସମ୍ମୁଖରେ ସବୁବେଳେ କଡ଼ା ସୁରକ୍ଷା ବ୍ୟବସ୍ଥା ରହୁଥିବା ବେଳେ ୨୪ ଘଣ୍ଟା ପୁଲିସର ପଇଁତରା। ସେଠାରେ ସବୁବେଳେ ୧୪୪ ଧାରା ଜାରି ହୋଇ ରହିଛି। ହେଲେ ଚାଷୀମାନେ କିପରି କଡ଼ା ସୁରକ୍ଷା ଭେଦ କରି ନବୀନ ନିବାସ ପାଖାପାଖି ପହଞ୍ଚିବାକୁ ସକ୍ଷମ ହେଲେ?

ସୋମବାର ସକାଳୁ ସକାଳୁ ସୁନ୍ଦରପଦା ଓ ରାଜମହଲ ଛକ ପଟୁ ଶହ ଶହ ସଂଖ୍ୟାରେ ଚାଷୀ ହାତରେ ପ୍ଲା-କାର୍ଡ ସହିତ ଟ୍ରାକ୍ଟର ଓ ଚାରି ଚକିଆ ଯାନ ଧରି ସିଧା ନବୀନ ନିବାସରେ ପହଞ୍ଚିଥିଲେ। ନବୀନ ନିବାସ ସମ୍ମୁଖ‌ରେ ଧାନ ଢଳି ପ୍ରତିବାଦ ଜଣାଇଥିଲେ। ବିନା କୌଣସି ସୂଚନା ଓ ଅନୁମତିରେ ଚାଷୀମାନେ ରାଜରାସ୍ତାରେ ଗଡ଼ି ନିଜ ଦାବି ପୂରଣ କରିବାକୁ ଗର୍ଜନ ଛାଡ଼ିଥିଲେ। ଚାଷୀଙ୍କ ଏଭଳି ବିକ୍ଷୋଭ ଯୋଗୁ ସକାଳୁ ସକାଳୁ ନବୀନ ନିବାସ ସମ୍ମୁଖ ରାଜରାସ୍ତା କିଛି ସମୟ ପାଇଁ ଜାମ୍‌ ହୋଇଥିଲା। ଆନ୍ଦୋଳନକାରୀ ଚାଷୀଙ୍କୁ ରାସ୍ତାରୁ ହଟାଇବାକୁ ପୁଲିସ୍‌କୁ ନାକେଦମ ହେବାକୁ ପଡ଼ିଲା।

ଚାଷୀମାନେ ମଣ୍ଡିରେ କଟ୍‌ନି ଛଟ୍‌ନିକୁ ଚାଷୀମାନେ କଡା ବିରୋଧ କରୁଥିଲେ। ମିଲର୍ସ ଓ ମଣ୍ଡି ଅବ୍ୟବସ୍ଥାକୁ ନେଇ ଅସନ୍ତୋଷ ଝାଡ଼ିଥିଲେ। ସରକାର ସେମାନଙ୍କ ଦାବି ଶୁଣୁ ନ ଥିବା କାରଣରୁ ସେମାନେ ବାଧ୍ୟହୋଇ ନବୀନ ନିବାସ ଆସିଥିବା କହିଥିଲେ। ଚାଷୀମାନେ ପଚାରୁଥିଲେ, ଧାନ କ୍ୟୁଣ୍ଟାଲ ପିଛା ୭ରୁ ୯ କେଜି କାଟ୍‌ କାହିଁକି କରାଯିବ? ଧାନ କାଟ ବନ୍ଦ ବନ୍ଦ କରିବାରେ ପ୍ରଶାସନର ଭୂମିକା କ’ଣ? ସରକାର କାହିଁକି ମିଲରମାନଙ୍କ ପାଖରେ ଆତ୍ମସପର୍ମଣ କରିଛନ୍ତି?

ନବ ନିର୍ମାଣ କୃଷକ ସଂଗଠନର କେନ୍ଦ୍ରୀୟ ନେତା ଅକ୍ଷୟ କୁମାର ଓ ରାଜ୍ୟ ସଂଯୋଜକ ଶେଷଦେବ ନନ୍ଦ କହିଥିଲେ, କଟ୍‌ନି ଛଟ୍‌ନି ଆଳରେ ମିଲରମାନେ ଦିନ ଦ୍ବିପ୍ରହରରେ କୋ‌ଟି କୋଟି ଟଙ୍କା ଚାଷୀଙ୍କଠାରୁ ଲୁଟି ନେଉଛନ୍ତି। ଯୋଗାଣ ବିଭାଗ ମାର୍ଗ ଦର୍ଶିକା ଅନୁଯାୟୀ ଧାନ କିଣା ଯାଉନାହିଁ। ଜିଲ୍ଲାସ୍ତରୀୟ ସ୍କ୍ବାଡ୍ ଧାନ ମଣ୍ଡି ପରିଦର୍ଶନ କରୁନାହାନ୍ତି। ଏପରିକି ବିଡ଼ିଓ, ତହସିଲଦାରମାନେ ଯେଉଁମାନେ ସଂପୃକ୍ତ ବ୍ଲକର ନୋଡ଼ାଲ ଅଫିସର ଦାୟିତ୍ବରେ ଅଛନ୍ତି, ସେମାନେ ମଣ୍ଡି ପରିଦର୍ଶନ କରୁନାହାନ୍ତି। ଏହାକୁ ନେଇ ଖୁବ୍ ଶୀଘ୍ର ରାଜ୍ୟବ୍ୟାପୀ ବଡ଼ ଧରଣର ଆନ୍ଦୋଳନ କରାଯିବ।

ନବୀନ ନିବାସ ଘେରାଉ କାର୍ଯ୍ୟକ୍ରମରେ ରାଜ୍ୟ ସହ ସଂଯୋଜ ଉମାକାନ୍ତ ଭାରତ, ଯୁବ ଛାତ୍ର ସଂଯୋଜକ ମନୱର ଅଲ୍ଲୀ, ନିମାଇଁ ସ୍ବାଇଁ, ଅଶୋକ ଶାନ୍ତି, ମାଧବ ମହାନ୍ତି, ଜୟନ୍ତ ତ୍ରିପାଠୀ, ସୁରେଶ ମାନସିଂହ, କାହ୍ନୁ ପରିଡ଼ା, ରବି ପ୍ରସନ୍ନ ସ୍ବାଇଁ, ବିଚିତ୍ର ପଣ୍ଡା ପ୍ରମୁଖ ସାମିଲ୍ ହୋଇଥିଲେ।