ସୁପ୍ରିମକୋର୍ଟଙ୍କ ରାୟର ଅଭିନବ ପ୍ରତିବାଦ: ଆଇନଜୀବୀଙ୍କ ଜୋତା ପଲିସ୍‌, ଭିକ୍ଷାବୃତ୍ତି

ପୁରୀ : ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ମାମଲାରେ ସୁପ୍ରିମକୋର୍ଟଙ୍କ ରାୟର ଆଜି ଅଭିନବ ପ୍ରତିବାଦ ଜଣାଇଛନ୍ତି ପୁରୀର ଆଇନଜୀବୀମାନେ। ଜରିମାନା ଟଙ୍କା ଜମା ପାଇଁ କଚେରି ଛକରେ ଆଇନଜୀବୀଙ୍କ କଳା ପୋଷାକ ପରିଧାନ ପୂର୍ବକ ପଥଚାରୀଙ୍କ ଜୋତା ସଫା କରିବା ସହ ଏ ବାବଦକୁ ୧ ଟଙ୍କାର ଭିକ୍ଷା ନିବେଦନ କରିଛନ୍ତି। ଭିକ୍ଷାରେ ମିଳିଥିବା ଏହି ଟଙ୍କା ସୁପ୍ରିମକୋର୍ଟଙ୍କ ନିକଟରେ ଜମା ଦିଆଯିବ ବୋଲି ଆଇନଜୀବୀ ପ୍ରିୟଦର୍ଶନ ପଟ୍ଟନାୟକ କହିଛନ୍ତି। ଅନ୍ୟପଟେ ଆଗାମୀ ଦିନରେ ପ୍ରତି କୋର୍ଟ ଆଗରେ ଏଭଳି ଅଭିନବ ପ୍ରତିବାଦ ପୂର୍ବକ ଭିକ୍ଷାବୃତ୍ତି କରାଯିବ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି। ଏଭଳି ଅଭିନବ ପ୍ରତିବାଦ ଆଜି ଚର୍ଚ୍ଚାର ବିଷୟ ପାଲଟିଛି।

ଶ୍ରୀଜଗନ୍ନାଥ ସେନା ଆବାହକ ଶ୍ରୀ ପଟ୍ଟନାୟକଙ୍କ ସହ ଅନ୍ୟ ଦୁଇଜଣ ଆଇନଜୀବୀ ଆଜି କଚେରି ଛକରେ ତିନିଟି ଭିକ୍ଷାଥାଳି ଧରି ଭିକ୍ଷାବୃତ୍ତି କରିବା ସହ ଜୋତା ପଲିସ୍‌ ଜରିଆରେ ଜୋତା ସଫା କରିଛନ୍ତି। ଶ୍ରୀ ପଟ୍ଟନାୟକ କହିଛନ୍ତି, ଶ୍ରୀମନ୍ଦିର ଚତୁଃପାର୍ଶ୍ବ ୧୦୦ ମିଟର ନିଷିଦ୍ଧାଞ୍ଚଳରେ ବେଆଇନ୍‌ ନିର୍ମାଣ ଓ ଖନନ ନିର୍ମାଣ ପ୍ରସଙ୍ଗରେ ସୁପ୍ରିମକୋର୍ଟ ବିଭିନ୍ନ ଆଇନଗତ ମତ ଦେଇ ଦରଖାସ୍ତକାରୀଙ୍କ ଉପରେ ୧ ଲକ୍ଷ ଟଙ୍କା ଜରିମାନା କରିଛନ୍ତି। କୁହାଯାଇଛି, ଦରଖାସ୍ତକାରୀ କୁଆଡ଼େ କୋର୍ଟଙ୍କ ମୂଲ୍ୟବାନ ସମୟ ନଷ୍ଟ କରିଛନ୍ତି ଓ ନିଜର ପ୍ରଚାର ପାଇଁ ଏଭଳି ମାମଲା କରିଛନ୍ତି। ସୁପ୍ରିମକୋର୍ଟଙ୍କ ରାୟକୁ ଆମେ ସମ୍ମାନ ଦେଉଛୁ, କିନ୍ତୁ ଆଇନଜୀବୀ ଭାବେ ୧ ଲକ୍ଷ ଟଙ୍କା ଜରିମାନା ସହଜେ ଗ୍ରହଣଯୋଗ୍ୟ ନୁହେଁ। ଜଗତର ନାଥ ଜଗନ୍ନାଥଙ୍କ ଉପରେ ଏହି ମାମଲା ଥିବାରୁ କୋର୍ଟରେ ଦେଢ଼ଘଣ୍ଟା ଧରି ଶୁଣାଣି ହେଲା, ୪୦ ଫର୍ଦ୍ଦର ରାୟ ଆସିଲା। ଏଭଳି ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗକୁ କୋର୍ଟ ବ୍ୟକ୍ତିଗତ ଓ ମୂଲ୍ୟହୀନ କହିବା ଅଗଣିତ ଭକ୍ତଙ୍କୁ ଆଘାତ ଦେଇଛି। ହାତ ନ ଥିବାରୁ ମହାପ୍ରଭୁ ଏହି ଜରିମାନା ଟଙ୍କା ଦେଇପାରିବେନି, ଏଣୁ ଜୋତା ସଫା ଓ ଭିକ୍ଷା କରି ୧ ଟଙ୍କା ଲେଖାଏଁ ଆଦାୟ କରି କୋର୍ଟଙ୍କୁ ଦିଆଯିବ। ଏହା ସାରା ଓଡ଼ିଶାରେ ଚାଲିବ। ମାମଲାରେ ଗୁରୁତ୍ବପୂର୍ଣ୍ଣ ଦିଗ ହେଉଛି, ରାଜ୍ୟ ସରକାର ଆଉ ଖନନ କି ବଡ଼ ବଡ଼ ନିର୍ମାଣ କରିବେନି ବୋଲି ସତ୍ୟପାଠ ଦେଇଛନ୍ତି। ଶ୍ରୀମନ୍ଦିର ଫାଟର ଭରଣା କରିବେ। ପ୍ରତ୍ନତତ୍ତ୍ବ ବିଭାଗ ସହ ମିଶି କାମ ଚାଲିବ। ଏହା ଅର୍ଥ ଶ୍ରୀମନ୍ଦିର ସୁରକ୍ଷା ଉପରେ ଧ୍ୟାନ ଦିଆଯିବ ଓ ଆଇନ ଅନୁସାରେ କାର୍ଯ୍ୟ କରାଯିବ। ଏହା ହିଁ ଆମ ଆନ୍ଦୋଳନର ମୁଖ୍ୟ ଦିଗ ଥିଲା ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି।

ସମ୍ବନ୍ଧିତ ଖବର