ଜଗତସିଂହପୁର: ଜଗତସିଂହପୁର ଜିଲ୍ଲାରେ ମେଡିକାଲ୍‌ କଲେଜ୍‌ ପ୍ରତିଷ୍ଠା ଦାବିରେ ଆଜି ଜିଲ୍ଲା ସ୍ବାସ୍ଥ୍ୟ ସୁରକ୍ଷା ଅଭିଯାନ ପକ୍ଷରୁ ଅଭିନବ ପ୍ରତିବାଦ ଦେଖିବାକୁ ମିଳିଛି। ଆନ୍ଦୋଳନକାରୀମାନେ ରାସ୍ତାରେ ଦଣ୍ଡ ମାରି, ଆଣ୍ଠେଇ ଆଣ୍ଠେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ‌ଶୋଭାଯାତ୍ରାରେ ଯାଇଥିଲେ। ସେଠାରେ କିଛି ସମୟ ନାରାବାଜି କରିଥିଲେ। ମେଡିକାଲ୍ କଲେଜ୍ ପ୍ରତିଷ୍ଠା ହେବା ପର୍ଯ୍ୟନ୍ତ ଏହି ଆନ୍ଦୋଳନ ଜାରି ରହିବ ବୋଲି ସେମାନେ ଚେତାବନୀ ଦେଇଥିଲେ। ଏହି ଆନ୍ଦୋଳନ ଚାଲିଥିବା ବେଳେ ଦୁଇ ଜଣ ଆନ୍ଦୋଳନକାରୀ ଅଚେତ ହୋଇପଡ଼ିଥିଲେ। ଦେବୀ ପ୍ରସାଦ ମହାରଣା ଓ ପ୍ରମୋଦ କୁମାର ଦାସଙ୍କୁ ଅଚେତ ଅବସ୍ଥାରେ ଉଦ୍ଧାର କରି ଜଗତସିଂହପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।

Advertisment

ଆଜି ପୂର୍ବାହ୍ଣ ପ୍ରାୟ ୧୦ଟାରେ ଜିଲ୍ଲା ସ୍ବାସ୍ଥ୍ୟ ସୁରକ୍ଷା ଅଭିଯାନ ପକ୍ଷରୁ ଥାନା ଛକ ନିକଟରୁ ଅଭିନବ ଉପାୟରେ ଶୋଭାଯାତ୍ରା ବାହାରିଥିଲା। ଆନ୍ଦୋଳନକାରୀମାନେ ମୁଖ୍ୟ ରାସ୍ତାରେ ଆଣ୍ଠେଇ, ଦଣ୍ଡ ମାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଯାଇଥିଲେ। ଜିଲ୍ଲାର ବୁଦ୍ଧିଜୀବୀ, ବରିଷ୍ଠ ନାଗରିକ, ଆଇନଜୀବୀ, ସାଧାରଣ ନାଗରିକ ପ୍ରମୁଖ ସାମିଲ ହୋଇ ମେଡିକାଲ କଲେଜ୍ ପ୍ରତିଷ୍ଠା ଦାବି କରିଥିଲେ। ସ୍ବାସ୍ଥ୍ୟ ସୁରକ୍ଷା ଅଭିଯାନ ପକ୍ଷରୁ ପୂର୍ବରୁ ସମାନ ଦାବିନେଇ ଜଗତସିଂହପୁର ସହର ବନ୍ଦ କରାଯାଇଥିଲା। କିଛିଦିନ ପୂର୍ବରୁ ଜଗତସିଂହପୁର ପୌରାଞ୍ଚଳ ଓ ଏହାର ଆଖପାଖ ଅଞ୍ଚଳ ବାଇକ୍ ଶୋଭାଯାତ୍ରା ମଧ୍ୟ ଅନୁଷ୍ଠିତ ହୋଇଥିଲା। ପ୍ରାୟ ୧୦ ମାସ ହେଲା ଏହି ଆନ୍ଦୋଳନ ଜାରି ରହିଛି। ଜିଲ୍ଲା ସ୍ବାସ୍ଥ୍ୟ ସୁରକ୍ଷା ଅଭିଯାନର ମୁଖ୍ୟ ସଂଯୋଜକ ଆଇନଜୀବୀ ବାସୁଦେବଙ୍କ କହିବା ଅନୁସାରେ, ଜିଲ୍ଲାପାଳଙ୍କଠାରୁ ଆରମ୍ଭ କରି ମୁଖ୍ୟମନ୍ତ୍ରୀଙ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ ଦାବିପତ୍ର ଦିଆଯାଇଛି। କିନ୍ତୁ କେହି ଶୁଣୁନାହାନ୍ତି। ଯାହାଫଳରେ ଆନ୍ଦୋଳନକୁ ଓହ୍ଲାଇବାକୁ ବାଧ୍ୟ ହେଲୁ। ବିଶେଷ କରି ଆଜିର ଆନ୍ଦୋଳନ ଜନପ୍ରତିନିଧିଙ୍କ ପାଇଁ ଉଦ୍ଦିଷ୍ଟ ଥିଲା। ବିଧାୟକ, ସାଂସଦମାନେ ମେଡିକାଲ୍ କଲେଜ୍, ସ୍ବାସ୍ଥ୍ୟ ସେବାରେ ଉନ୍ନତି, ସରକାରୀ ଡିଗ୍ରି କଲେଜ୍ ଭଳି ପ୍ରସଙ୍ଗକୁ ବିଧାନସଭା କିମ୍ବା ଲୋକସଭାରେ ଉଠାଉ ନାହାନ୍ତି। ଜନପ୍ରତିନିଧିଙ୍କ ଉଦାସୀନତା ପାଇଁ ଆଜି ଜିଲ୍ଲା ବିକଳାଙ୍ଗ ହୋଇଯାଇଛି। ସ୍ବାସ୍ଥ୍ୟ, ଶିକ୍ଷାକ୍ଷେତ୍ରରେ ଯଥେଷ୍ଟ ପଛରେ ପଡ଼ିଛି ବୋଲି ସେ ଅଭିଯୋଗ କରିଛନ୍ତି।