ଅଣନିଯୁକ୍ତ ଶିକ୍ଷକ ହିନ୍ଦୀ, ସଂସ୍କୃତ ଓ କ୍ରୀଡ଼ା ଶିକ୍ଷକ ସଂଘର ଅଭିନବ ବିକ୍ଷୋଭ ପ୍ରଦର୍ଶନ: ରାସ୍ତାରେ କାନ ଧରି ଆଣ୍ଠେଇଲେ

ଭୁବନେଶ୍ୱର : ରାଜ୍ୟର ବିଭିନ୍ନ ହାଇସ୍କୁଲରେ ୪ ହଜାରରୁ ଅଧିକ ହିନ୍ଦୀ, ସଂସ୍କୃତ ଓ କ୍ରୀଡ଼ା ଶିକ୍ଷକ ପଦ ଖାଲି ପଡ଼ିଛି। ଅଥଚ ଓଏସ୍ଏସ୍‌ଟିଇଟି ପାସ୍ କରି ୧୦ ହଜାରୁ ଅଧିକ ଶିକ୍ଷକ ଶିକ୍ଷୟିତ୍ରୀ ଅଣନିଯୁକ୍ତ ଅବସ୍ଥାରେ ଅଛନ୍ତି। ତେଣୁ ଆଜି ଏହି ଅଣନିଯୁକ୍ତ ହିନ୍ଦୀ, ସଂସ୍କୃତ ଓ କ୍ରୀଡ଼ା ଶିକ୍ଷକ ସଂଘ ଲୋୟର‌ ପିଏମ୍‌ଜିରେ ଅଭିନବ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ରାସ୍ତା ଉପରେ କାନ ଧରି ଆଣ୍ଠୁଆ ବସି ଏହି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।

ସଂଘର ଅଭିଯୋଗ ଅନୁସାରେ ୨୦୧୪ ମସିହାରୁ ହିନ୍ଦୀ, ସଂସ୍କୃତ ଓ କ୍ରୀଡ଼ା ଶିକ୍ଷକ ପଦବି ପୂରଣ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇନାହିଁ। ୨୦୧୪ ମସିହାରୁ ୨୦୧୯ ମସିହା ଭିତରେ ୧୦ ହଜାରରୁ ଅଧିକ ପିଲା ଓଏସ୍ଏସ୍‌ଟିଇଟି ପାସ୍ କରି ନିଯୁକ୍ତି ଆଶାରେ ଅପେକ୍ଷା କରିଛନ୍ତି। ବଡ଼ କଥା ହେଉଛି ସରକାରଙ୍କ ଘୋଷଣା ଅନୁସାରେ ଏ ପର୍ଯ୍ୟନ୍ତ ହିନ୍ଦୀ, ସଂସ୍କୃତ ଓ କ୍ରୀଡ଼ା ଶିକ୍ଷକ ପାଇଁ ୪୪୪୫ ପଦ ଖାଲି ପଡ଼ିଛି। ତେଣୁ ଏହି ସବୁ ପଦରେ ନିଯୁକ୍ତି ପାଇଁ ସରକାର ତୁରନ୍ତ ବିଜ୍ଞପ୍ତି ପ୍ରକାଶ କରନ୍ତୁ ବୋଲି ସଂଘ ଦାବି କରିଛି। ଆସନ୍ତା ଅଗଷ୍ଟ ୨୧ ସୁଦ୍ଧା ଏହି ସବୁ ଶିକ୍ଷକ ପଦବି ପୂରଣ ପାଇଁ ବିଜ୍ଞପ୍ତି ପ୍ରକାଶ କରାଯାଉ ବୋଲି ସଂଘ ପକ୍ଷରୁ ଦୃଢ଼ ଦାବି କରାଯାଇଛି। ସେହିପରି ସଂରକ୍ଷଣ ଜନିତ ପଦବି ପାଇଁ ଯୋଗ୍ୟ ପ୍ରାର୍ଥୀ ନମିଳିଲେ, ସେସବୁରେ ସାଧାରଣ ବର୍ଗର ପ୍ରାର୍ଥୀଙ୍କୁ ନିଯୁକ୍ତି ଦିଆଯାଉ ବୋଲି ସଂଘ ଦାବି କରିଛି। ଏଥିସହିତ ସଂଘ ଦାବି କରିଛି ଯେ ଅନ୍ୟ ପ୍ରତିଯୋଗିତା ପରୀକ୍ଷା ପ୍ରଶ୍ନପତ୍ର ପରି ଓଡ଼ିଆ, ହିନ୍ଦୀ ଓ ଇଂରାଜୀ ଭାଷାରେ ପ୍ରଶ୍ନପତ୍ର ପ୍ରସ୍ତୁତ କରାଯାଉ ଏବଂ ପରୀକ୍ଷାର ମୂଲ୍ୟାୟନକୁ ୨ଭାଗରେ ବିଭକ୍ତ କରାନଯାଇ ସଂପୂର୍ଣ୍ଣ ମାର୍କରୁ ପାସ୍ ମାର୍କ ନିର୍ଦ୍ଧାରଣ କରାଯାଉ। ସେହିପରି କେବଳ ପାଠ୍ୟଖସଡ଼ା ଅନ୍ତର୍ଭୁକ୍ତ ପ୍ରଶ୍ନକୁ ନେଇ ପରୀକ୍ଷା କରିବା ପାଇଁ ଦାବି କରାଯାଇଛି। ଆଗାମୀ ଅଗଷ୍ଟ ୨୧ ଭିତରେ ସେମାନଙ୍କ ଦାବି ପୂରଣ ନହେଲେ, ସେମାନେ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଆଗରେ ଆମରଣ ଅନଶନ କରିବେ ବୋଲି ସଂଘ ସଭାପତି ଏସ୍‌କେ ମୁସ୍ତାକିନ୍‌ ଚେତାବନୀ ଦେଇଛନ୍ତି।

ସମ୍ବନ୍ଧିତ ଖବର