ରାଜଗାଙ୍ଗପୁର: ବିଲେଇଗଡ଼ ବଡ଼ଯୋର ନାଳ ନିକଟରେ ଗତ ରାତିରେ ଏକ ଦ୍ରୁତଗାମୀ ଇନୋଭା ଗାଡ଼ି ଭାରସାମ୍ୟ ହରାଇ ରାସ୍ତାତଳକୁ ଖସି ଦୁର୍ଘଟଣାଗ୍ରସ୍ତ ହେବାରୁ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି। ମୃତକ ଦୁଇ ଜଣ ହେଉଛନ୍ତି ଝଗରପୁର ଅଞ୍ଚଳର ସତ୍ୟଜିତ ଡୁଙ୍ଗଡୁଙ୍ଗ(୨୪) ଓ କୁତ୍ରା ଅଞ୍ଚଳର ବିନୟ (୨୬)। ‌

Advertisment

ସେମାନଙ୍କ ସହ କାର୍‌ ଭିତରେ ଥିବା ସଚିନ ଗୁରୁତର ହୋଇଛନ୍ତି। ଘଟଣାରୁ ପ୍ରକାଶ ଯେ ଗତକାଲି ରାତିରେ କୁତ୍ରା ଅଞ୍ଚଳର ତିନି ଜଣ ସାଙ୍ଗ ଓଡ଼ି ୦୨ବିଭି ୩୧୭୫ ଇନୋଭା କାର୍‌ରେ ସୁନ୍ଦରଗଡ଼ରୁ ରାଉରକେଲା ପଟକୁ ଯାଉଥିଲେ। ବାଟରେ ବିଲେଇଗଡ଼ ନିକଟରେ କାର୍‌ଟି ଦ୍ରୁତଗତିରେ ଆସି ରାସ୍ତାକଡ଼ରେ ଏକ ଗଛରେ ପିଟି ହୋଇଥିଲା। ଫଳରେ ଘଟଣାସ୍ଥଳରେ ସତ୍ୟଜିତଙ୍କର ମୃତ୍ୟୁ ହୋଇଥିଲା। କାଂସବାହାଲ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତାହତମାନଙ୍କୁ ଉଦ୍ଧାର କରି ଡାକ୍ତରଖାନାକୁ ପଠାଇଥିଲେ। ଡାକ୍ତରଖାନା ନେବା ବାଟରେ ବିନୟଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ପୁଲିସ ଉଭୟ ଦୁର୍ଘଟଣାଗ୍ରସ୍ତ ଗାଡ଼ି ଓ ମୃତଦେହ ଜବତ କରି ଘଟଣାର ତଦନ୍ତ ଚଳାଇଛି।