କେନ୍ଦୁଝର: କେନ୍ଦୁଝରରେ ବହୁଦିନ ଧରି ନିର୍ମାଣ ଚାଲିଥିବା କ୍ୟାନ୍ସର ହସ୍ପିଟାଲ କାମ ଏବେ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଆସନ୍ତା ମାସରୁ ଏହା କାର୍ଯ୍ୟକ୍ଷମ ହୋଇ ରୋଗୀ ସେବା ଆରମ୍ଭ କରିବ ବୋଲି ଜଣାପଡ଼ିଛି। ଏହି ହସ୍ପିଟାଲ ଦ୍ବାରା କେନ୍ଦୁଝର ସମେତ ପଡ଼ୋଶୀ ଜିଲ୍ଲାର ଲୋକେ ଉପକୃତ ହେବେ। କେନ୍ଦୁଝର ଓ ପଡ଼ୋଶୀ ଜିଲ୍ଲାଗୁଡ଼ିକର କ୍ୟାନ୍ସର ରୋଗୀଙ୍କୁ ଆଖି ଆଗରେ ରଖି ସେମାନଙ୍କୁ ଅତ୍ୟାଧୁନିକ କେମୋ ଥେରାପି ଚିକିତ୍ସା ଯୋଗାଇ ଦେବାକୁ ଯୋଜନା କରାଯାଇଥିଲା। ପରେ କେନ୍ଦ୍ର ସରକାରଙ୍କ ଆଟମିକ୍ ଏନର୍ଜି ରିସର୍ଚ୍ଚ ବୋର୍ଡ ଏହାକୁ ମଞ୍ଜୁରି ଦେଇଥିଲା। କ୍ୟାନ୍ସର ହସ୍ପିଟାଲ ନିର୍ମାଣ ପାଇଁ ଜିଲ୍ଲା ପ୍ରଶାସନର ପ୍ରସ୍ତାବକୁ ରାଜ୍ୟ ସରକାର ଗ୍ରହଣ କରିବା ପରେ କଟକ ଆଚାର୍ଯ୍ୟ ହରିହର ସ୍ନାତକୋତ୍ତର କର୍କଟ ରୋଗ ଅନୁଷ୍ଠାନର ନିର୍ଦ୍ଦେଶକ ଓ ବିଶେଷଜ୍ଞ ଦଳ କେନ୍ଦୁଝର ଆସି ଜିଲ୍ଲା ପ୍ରଶାସନ ସହ ଆଲୋଚନା କରିଥିଲେ।
ଶେଷରେ କେନ୍ଦୁଝର ଧରଣୀଧର ମେଡିକାଲ କଲେଜ ଓ ହସ୍ପିଟାଲ ପରିସରରେ କ୍ୟାନ୍ସର ହସ୍ପିଟାଲ ପ୍ରତିଷ୍ଠା ପାଇଁ ସ୍ଥିର ହୋଇଥିଲା। ଏଥିପାଇଁ ଡିଏମ୍ଏଫ୍ରୁ ପ୍ରାୟ ୩୮ କୋଟି ଟଙ୍କା ଅନୁଦାନ ଯୋଗାଇ ଦିଆଯାଇଛି। ପ୍ରଭୁପାଦ କନ୍ଷ୍ଟ୍ରକ୍ସନ ଏହାର ନିର୍ମାଣ ଦାୟିତ୍ବ ନେଇଥିବାବେଳେ ମୁମ୍ବାଇ ଟାଟା ମେମୋରିଆଲ ହସ୍ପିଟାଲର ବିଶେଷଜ୍ଞ ଦଳ ହସ୍ପିଟାଲ ପାଇଁ ନକ୍ସା ପ୍ରସ୍ତୁତ କରିଥିଲେ। ଅନ୍ୟ ହସ୍ପିଟାଲଠାରୁ କ୍ୟାନ୍ସର ହସ୍ପିଟାଲର ନିର୍ମାଣ କାମ ସମ୍ପୂର୍ଣ୍ଣ ଭିନ୍ନ ଓ ସ୍ବତନ୍ତ୍ର ହୋଇଥିବାରୁ କାମ ସରିବାରେ ବିଳମ୍ବ ହେଉଥିଲା। ପ୍ରଥମେ ୨୦୨୩ ଡିସେମ୍ବର ଓ ପରେ ୨୦୨୪ ଅକ୍ଟୋବର ସୁଦ୍ଧା ହସ୍ପିଟାଲ ନିର୍ମାଣ ଶେଷ ହେବ ବୋଲି ଆକଳନ କରାଯାଉଥିଲା। ତେବେ ବିଳମ୍ବ ହେଲେ ମଧ୍ୟ ହସ୍ପିଟାଲ ନିର୍ମାଣ ଶେଷ ହେବାକୁ ଯାଉଛି। ଏହି ଅତ୍ୟାଧୁନିକ ହସ୍ପିଟାଲ ଆସନ୍ତା ଏପ୍ରିଲ ମାସରୁ ରୋଗୀ ସେବା ଆରମ୍ଭ କରିବ ବୋଲି କୁହାଯାଉଛି।