ଭୁବନେଶ୍ବର : ଏକର ପିଛା ଚାଷ ଖର୍ଚ୍ଚ ୩୦ ହଜାରରୁ ଅଧିକ। ଏହାକୁ ଆଧାର କରି ସମବାୟ ବ୍ୟାଙ୍କ ପକ୍ଷରୁ କୃଷି ଋଣ ଦିଆଯାଏ। କିନ୍ତୁ ପ୍ରାକୃତିକ ବିପର୍ଯ୍ୟୟରେ କ୍ଷତିଗ୍ରସ୍ତଙ୍କୁ ଇନପୁଟ୍ ସବ୍ସିଡି ହେକ୍ଟର ପିଛା ଜଳସେଚିତ ଅଞ୍ଚଳରେ ୧୩,୫୦୦ ଏବଂ ଅଣଜଳସେଚିତ ପାଇଁ ୬୫୦୦ ଟଙ୍କା ରହିଛି। ଅପରପକ୍ଷରେ ବିହନ ଠାରୁ ଡିଜେଲ, ସାର ପର୍ଯ୍ୟନ୍ତ ଚାଷ ପାଇଁ ବ୍ୟବହୃତ ପ୍ରତ୍ୟେକ ସାମଗ୍ରୀ ଦର ଆକାଶ ଛୁଆଁ ହେଲାଣି। ଏପରିସ୍ଥଳେ ୨୦୧୫ ମସିହାରେ କେନ୍ଦ୍ର ସରକାରଙ୍କ ଅର୍ଥ କମିସନ ରିପୋର୍ଟ ଆଧାରରେ ଦିଆଯାଉଥିବା ଇନପୁଟ୍ ସବ୍ସିଡି କିନ୍ତୁ ଆଜି ପର୍ଯ୍ୟନ୍ତ ପରିବର୍ତ୍ତନ ହୋଇନାହିଁ। ରିଲିଫ କୋଡ୍କୁ ତ୍ରୁଟିପୂର୍ଣ୍ଣ ଦର୍ଶାଇ ଏହାର ପୁନର୍ବିଚାର ପାଇଁ ରାଜ୍ୟର ବିଭିନ୍ନ ଅଞ୍ଚଳର ଚାଷୀ ସଙ୍ଗଠନମାନେ ଦାବି କରୁଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
୧୯୭୦ରୁ ୨୦୨୧ ମସିହା ମଧ୍ୟରେ ୪୩ ଥର ବିଭିନ୍ନ ପ୍ରକାର ପ୍ରାକୃତିକ ବିପର୍ଯ୍ୟୟ ଯୋଗୁଁ ଏକର-ଏକର ଫସଲ ନଷ୍ଟ ହୋଇ ଚାଷୀ ସର୍ବସ୍ବାନ୍ତ ହୋଇଛନ୍ତି। ପୂର୍ବ ଓଡ଼ିଶାକୁ ବନ୍ୟା, ପଶ୍ଚିମକୁ ମରୁଡ଼ି, ଉତ୍ତର, ଦକ୍ଷିଣକୁ ବାତ୍ୟା ପ୍ରତିବର୍ଷ ଡରାଉଛି। ଚଳିତ ବର୍ଷ ପ୍ରଥମେ ମରୁଡ଼ିର ଆଶଙ୍କା ଥିଲା। ବର୍ତ୍ତମାନ ବନ୍ୟା ଯୋଗୁଁ ହେକ୍ଟର-ହେକ୍ଟର ଫସଲ ବରବାଦ ହୋଇଛି। ରାଜ୍ୟ ସରକାରଙ୍କ ପକ୍ଷରୁ ଏହାର କ୍ଷତି ଆକଳନ କରାଯାଉଛି। ଏସଆରସି ଗାଇଡଲାଇନ ଅନୁସାରେ, ପଞ୍ଚାୟତ ପିଛା ୩୩ ପ୍ରତିଶତ ଫସଲ ନଷ୍ଟ ହୋଇଥିଲେ ଚାଷୀଙ୍କୁ ଇନପୁଟ୍ ସବସିଡି ଦିଆଯିବ। ଏହି ଇନପୁଟ୍ ସବ୍ସିଡି ୭୫ ପ୍ରତିଶତ କେନ୍ଦ୍ର ସରକାର, ୨୫ ପ୍ରତିଶତ ରାଜ୍ୟ ସରକାରଙ୍କ ପକ୍ଷରୁ ଦିଆଯାଏ। ସ୍ଥଳ ବିଶେଷରେ ମାତ୍ରାଧିକ କ୍ଷୟକ୍ଷତି ହୋଇଥିଲେ ରାଜ୍ୟ ସରକାର ନିଜ ତରଫରୁ କ୍ଷତିପୂରଣ ପ୍ୟାକେଜ ଘୋଷଣା କରନ୍ତି।
କୃଷି ବିଶେଷଜ୍ଞ ନଟବର ଷଡ଼ଙ୍ଗୀ ଅଣଜଳସେଚିତ ଏବଂ ଜଳସେଚିତ ଅଞ୍ଚଳରେ ସହାୟତା ରାଶିର ବିଷମତାକୁ ନେଇ ପ୍ରଶ୍ନ କରିଛନ୍ତି। ସେ କହିଛନ୍ତି, ଉଭୟ କ୍ଷେତ୍ରର ଚାଷ ଖର୍ଚ୍ଚ ସମାନ। କେବଳ ଜଳସେଚିତ ଚାଷୀମାନେ ଜଳ କର ଅଧିକ ଦିଅନ୍ତି କିନ୍ତୁ ତାହାର ଅର୍ଥ ନୁହେଁ ଯେ ଇନପୁଟ୍ ସବ୍ସିଡିରେ ଏତେ ବଡ଼ ତାରତମ୍ୟ ରହିବ। ପରିବେଶବିତ୍ ରଞ୍ଜନ ପଣ୍ଡା ଖର୍ଚ୍ଚ ଆଧାରରେ ଇନପୁଟ୍ ସବ୍ସିଡି ମିଳୁନାହିଁ ବୋଲି କହିଛନ୍ତି। କେଉଁ ଆଧାରରେ ଏହା ନିର୍ଧାରିତ ହେଉଛି ଏହାର ଉତ୍ତର କାହା ପାଖରେ ନାହିଁ। ଭାଲଚନ୍ଦ୍ର ଷଡ଼ଙ୍ଗୀ ଇନପୁଟ୍ ସବ୍ସିଡିରୁ ଭାଗଚାଷୀ ବାଦ ପଡ଼ିବା ନେଇ ପ୍ରଶ୍ନ କରିଛନ୍ତି। ଯେଉଁମାନେ ପ୍ରକୃତରେ ଚାଷରେ ଖର୍ଚ୍ଚ କରନ୍ତି ସେମାନଙ୍କୁ ବାଦ୍ ଦେବା ଅନ୍ୟାୟ ବୋଲି କହିଛନ୍ତି। ପଶ୍ଚିମ ଓଡ଼ିଶା କୃଷକ ସମନ୍ବୟ ସମିତି ଆବାହକ ଅଶୋକ ପ୍ରଧାନ ଏବଂ ଦକ୍ଷିଣ ଓଡ଼ିଶା ରୟତ ମହାସଂଘର ସୀମାଞ୍ଚଳ ନାଏକ କହିଛନ୍ତି ଯେ ଚାଷ ଖର୍ଚ୍ଚ ଅନୁସାରେ ଇନପୁଟ୍ ସବ୍ସିଡି ବୃଦ୍ଧି ସହିତ ତ୍ରୁଟିପୂର୍ଣ୍ଣ ରିଲିଫ କୋଡ୍ ପରିବର୍ତ୍ତନ ନେଇ ପ୍ରତିବର୍ଷ ସରକାରଙ୍କ ନିକଟରେ ଦାବି କଲେ ମଧ୍ୟ କେହି ଏହାକୁ ଗୁରୁତ୍ବ ଦେଉ ନାହାନ୍ତି। ପ୍ରତିବର୍ଷ ଚାଷୀମାନେ ଯେଉଁଭଳି ପ୍ରାକୃତିକ ବିପର୍ଯ୍ୟୟର ଶିକାର ହେଉଛନ୍ତି ଏତେ କମ ଟଙ୍କା ସହାୟତା ରାଶି ମିଳୁଥିବାରୁ ସର୍ବସ୍ବାନ୍ତ ହୋଇ ଚାଷରୁ ମୁହଁ ଫେରାଉଛନ୍ତି। ଯୁଗ୍ମ ରିଲିଫ୍ କମିସନର ପଦ୍ମନାଭ ବେହେରା କହିଛନ୍ତି, କେନ୍ଦ୍ର ସରକାରଙ୍କ ନିର୍ଧାରିତ ନୀତି ଅନୁଯାୟୀ ସହାୟତା ଦିଆଯାଏ। ଏଥିରେ ରାଜ୍ୟ ସରକାରଙ୍କ କୌଣସି ଭୂମିକା ନାହିଁ।