ବାଲିକୁଦା: ବଡ଼ଚଣା ବ୍ଲକ ସାଉଡ଼ିଆ ପଞ୍ଚାୟତରେ ହୋଇଥିବା ମନରେଗା ଦୁର୍ନୀତିର ଆଜି ତଦନ୍ତ ହୋଇଛି। ସରପଞ୍ଚ ଜଗନ୍ନାଥ ଖଣ୍ଡାଇଙ୍କ ଅନୁରୋଧ ପରେ ଆଜି ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ ସତ୍ୟସୁନ୍ଦର ସାହୁ (ବୈଷୟିକ), ସାମାଜିକ ସମୀକ୍ଷା ଅଧିକାରୀ ସତ୍ୟ ନାରାୟଣ ବେହେରା, ଜିଲ୍ଲା କନିଷ୍ଠ ଯନ୍ତ୍ରୀ ମାନସ ରଞ୍ଜନ ଆଚାର୍ଯ୍ୟ, ବ୍ଲକ ସହକାରୀ ଯନ୍ତ୍ରୀ ପାର୍ଥସାରଥୀ ପଣ୍ଡା, ବ୍ଲକ କନିଷ୍ଠ ଯନ୍ତ୍ରୀ ସଞ୍ଜୟ କୁମାର ମିଞ୍ଜ, ବ୍ଲକ କନିଷ୍ଠ ଯନ୍ତ୍ରୀ ଶ୍ରୀଧର ବାରିକ ପହଞ୍ଚି ଯାଞ୍ଚ କରିଥିଲେ। ପଞ୍ଚାୟତ ନିର୍ବାହୀ ଅଧିକାରୀ ରସାନନ୍ଦ ଜେନା ଓ ଗ୍ରାମ ରୋଜଗାର ସେବକ ନିରଞ୍ଜନ ବଳ ସାମନ୍ତ ଉପସ୍ଥିତ ଥିଲେ।
ତଦନ୍ତ ଅଧିକାରୀମାନେ ପଞ୍ଚାୟତ କାର୍ଯ୍ୟାଳୟରେ ପହଞ୍ଚିବା ପରେ ବିରୋଧୀ ପକ୍ଷର କିଛି ବ୍ୟକ୍ତି ହୋହଲ୍ଲା କରିଥିଲେ। ଏନେଇ ବ୍ଲକ ସହକାରୀ ଯନ୍ତ୍ରୀ ପାର୍ଥସାରଥୀ ପଣ୍ଡାଙ୍କୁ ପଚାରିବାରୁ କହିଥିଲେ, ସମସ୍ତ ସ୍ଥାନକୁ ଟିମ୍ ଯାଇ ତଦନ୍ତ କରିଥିଲେ। ହାତଗଣତି କେତୋଟି ଗଛ ଦେଖିବାକୁ ମିଳିଥିଲା। ତଦନ୍ତ ରିପୋର୍ଟ ଜିଲ୍ଲା ପ୍ରଶାସନ ନିକଟରେ ଦାଖଲ କରାଯିବା ପରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ସେ କହିଥିଲେ।
ଅଭିଯୋଗ ଅନୁଯାୟୀ ୨୦୨୧-୨୨ ଆର୍ଥିକ ବର୍ଷରେ ଏହି ପଞ୍ଚାୟତର ବଣିଆରି ଗ୍ରାମର ଭୀମସେନ ପରିଡ଼ା ଘରଠାରୁ ଖକଡ଼ା ୫୮୦୫୦ ଟଙ୍କା, ସାଉଡ଼ିଆଠାରୁ ନାରାୟଣପୁର ୪୨୫୭୦ ଟଙ୍କା, ତାଳୁଆ-ମୂଷାଟିକିରି ଗ୍ରାମ୍ୟ ଉନ୍ନୟନ ରାସ୍ତାଠାରୁ କଦଳା ୬୫୭୯୦ ଟଙ୍କା, ରଇପୁର-ବାଲିଆ ଗ୍ରାମ୍ୟ ଉନ୍ନୟନ ରାସ୍ତାଠାରୁ ବୋରାକଣ ପଡ଼ିଆ ୫୯୩୪୦ ଟଙ୍କା ମୋଟ୍ ୨,୨୫,୭୫୦ ଟଙ୍କା ବ୍ୟୟ ବରାଦରେ ବୃକ୍ଷ ରୋପଣ କରାଯାଇଥିଲେ ବି ଗୋଟିଏ ହେଲେ ଗଛ ନାହିଁ। ଏନେଇ ସରପଞ୍ଚ ଜଗନ୍ନାଥ ଖଣ୍ଡାଇ ଜିଲ୍ଲା ଅମ୍ବୁଡ୍ସମ୍ୟାନ ହୃଷୀକେଶ ପଣ୍ଡାଙ୍କୁ ଗତ ଡିସେମ୍ବରରେ ଅଭିଯୋଗ କରିଥିଲେ। ୧୩ ଡିସେମ୍ବରରେ ଅମ୍ବୁଡ୍ସମ୍ୟାନ ଚିଠି ସଂଖ୍ୟା -୨୧୦ ରେ ଜିଲ୍ଲା ଡେପୁଟି କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ତଦନ୍ତ କରି ୧୫ ଦିନ ମଧ୍ୟରେ ରିପୋର୍ଟ ଦେବାକୁ ନିର୍ଦେଶ ଦେଇଥିଲେ। ନିର୍ଦେଶର ୪ ମାସ ପରେ ତଦନ୍ତ କରାଯାଇଛି।