କୋଭିଡ୍ ସାମଗ୍ରୀ କିଣା ନେଇ ତନାଘନା, ସବୁ ଜିଲ୍ଲାପାଳଙ୍କୁ ଚିଠି ଲେଖିଲେ ପଞ୍ଚାୟତିରାଜ ସଚିବ

୩୧ ତାରିଖ ସୁଦ୍ଧା ଖଟ, ଶଯ୍ୟା ଆଦି ସ୍ଥାନାନ୍ତର ହେବ

ଭୁବନେଶ୍ବର: କୋଭିଡ୍ ପରିଚାଳନା ପ୍ରକ୍ରିୟାରେ ଯେଉଁ ସବୁ ସାମଗ୍ରୀ କିଣାଯାଇଥିଲା, ସେସବୁକୁ ମାର୍ଚ୍ଚ ୩୧ ତାରିଖ ସୁଦ୍ଧା ବିଭିନ୍ନ ଶିକ୍ଷାନୁଷ୍ଠାନ ଆଦିକୁ ପ୍ରଦାନ ପ୍ରକ୍ରିୟା ଶେଷ କର। କେଉଁ ସଂସ୍ଥା ଓ କେଉଁ ବିଭାଗକୁ କଣ କଣ ଦିଆଗଲା, ସେ ତଥ୍ୟର ଏକ ନକଲ ମଧ୍ୟ ମିଳିବା ଦରକାର।

ପଞ୍ଚାୟତିରାଜ ସଚିବ ଦେଓରଂଜନ ସିଂହ ସବୁ ଜିଲ୍ଲାପାଳ ଓ ପ୍ରକଳ୍ପ ନିର୍ଦେଶକଙ୍କୁ ଚିଠି ଲେଖି ଏଭଳି କଡା କଥା ଶୁଣାଇଛନ୍ତି। ପଞ୍ଚାୟତିରାଜ ବିଭାଗର ଏଭଳି ନିଷ୍ପତ୍ତି ଫଳରେ ଯେଉଁ ସବୁ ପଞ୍ଚାୟତରେ ସରପଞ୍ଚମାନେ ଏସବୁ ସାମଗ୍ରୀ ନଷ୍ଟ କରିଦେଇଛନ୍ତି ବା ଫିଙ୍ଗିଦେଇଛନ୍ତି, ସେମାନଙ୍କ ପାଇଁ ଅଡ଼ୁଆ ବଢ଼ିବ। ଶ୍ରୀ ସିଂହ ଲେଖିଥିବା ଚିଠିରେ କହିଛନ୍ତି ଯେ ମାର୍ଚ୍ଚ ୨ ତାରିଖ ଦିନ ଉନ୍ନୟନ କମିସନରଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ହୋଇଥିଲା। ଏଥିରେ କୋଭିଡ୍ ସମୟରେ କିଣାଯାଇଥିବା ସାମଗ୍ରୀ ନେଇ ଆଲୋଚନା ହୋଇଥିଲା। ନିଷ୍ପତ୍ତି ହୋଇଛି, କିଣାଯାଇଥିବା ଖଟ, ଗଦି, ବେଡ୍‌ସିଟ୍, ତକିଆ, ଇନଭର୍ଟର, ଵାଟର ଫିଲଟର୍ ଆଦିର ଏକ ପଞ୍ଚାୟତଵାରି ତାଲିକା କରାଯିବ। ଡିପିଓ ଓ ଏସ୍‌଼ଡିପିଓ ସଂପୃକ୍ତ ବ୍ଲକର ବି଼ଡ଼ିଓଙ୍କ ତତ୍ତ୍ବାବଧାନରେ ଏସବୁ କରିବେ। ବିଡ଼ିଓ ଏହାକୁ ସର୍ବାଧିକ ଗୁରୁତ୍ବ ଦେଇ କରିବେ ଓ ସମୟ ଭିତ୍ତିରେ ସମୁଦାୟ ପ୍ରକ୍ରିୟା ସାରିବେ।
ଯେଉଁ ସବୁ ପ୍ରତିଷ୍ଠାନ ବା ଅନୁଷ୍ଠାନରେ ଅସ୍ଥାୟୀ ସ୍ବାସ୍ଥ୍ୟ କେନ୍ଦ୍ର ହୋଇଥିଲା, ଵାଟର ଫିଲଟର ଓ ଇନଭର୍ଟର ତାଙ୍କୁ ହସ୍ତାନ୍ତର କରାଯିବ। ସେମାନେ ପ୍ରାପ୍ତି ସ୍ବାକୀର କରି ଜଣାଇବେ ଓ ସଂପୃକ୍ତ ସଂସ୍ଥାର ମୁଖ୍ୟ ତାଙ୍କ ଷ୍ଟକ ରେଜିଷ୍ଟରରେ ଏହାକୁ ତାଲିକାଭୁକ୍ତ କରିବେ।

ଖଟ, ଗଦି, ବେଡ୍‌ସିଟ୍, ତକିଆ ଆଦି ପ୍ରଥମେ ଯାଞ୍ଚ ହେବ ଓ ତା ପରେ ଅନୁସୂଚିତ ଜାତି ଓ ଜନଜାତି ଛାତ୍ରଛାତ୍ରୀଙ୍କ ହଷ୍ଟେଲ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଦ୍ବାରା ପରିଚାଳିତ ଆଦର୍ଶ ବିଦ୍ୟାଳୟ, କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟ, ଭିନ୍ନକ୍ଷମ ସ୍ବତନ୍ତ୍ର ବିଦ୍ୟାଳୟ ଆଦିକୁ ପ୍ରଦାନ କରାଯିବ। ଯଦି ବଳକା ରହିଲା, ତେବେ ଆଇଟିଆଇ, ପଲିଟେକ୍‌ନିକ୍, କଲେଜ, ବିଶ୍ବବିଦ୍ୟାଳୟ ହଷ୍ଟେଲ ଆଦିକୁ ପ୍ରଦାନ କରାଯିବ।
ଏସବୁ ଦେବା ପୂର୍ବରୁ ସବୁ ସାନିଟାଇଜ୍ ହେବ ବୋଲି ଶ୍ରୀ ସିଂହ ସ୍ପଷ୍ଟ କରିଛନ୍ତି। ସେହିଭଳି ହସ୍ତାନ୍ତର ଓ ଗ୍ରହଣ ଉଭୟ ରେକର୍ଡ ହେବ। ଡିପିଓ ଓ ଏସ୍‌ଡିପିଓ ନିଜେ ବ୍ୟକ୍ତିଗତ ଭାବେ ଏସବୁ ହସ୍ତାନ୍ତର ଭାବେ ଜଣାଇବେ ଓ ବିଡ଼ିଓ ସବୁ ଦାୟ କାର୍ଯ୍ୟ ତତ୍ତ୍ବାବଧାନ କରିବେ ବୋଲି ସ୍ପଷ୍ଟ କରାଯାଇଛି।

ଏଠାରେ ଉଲ୍ଲେଖଥାଉକି, କୋଭି଼ଡ୍ ପରିଚାଳନା ପାଇଁ ଅସ୍ଥାୟୀ ସ୍ବାସ୍ଥ୍ୟକେନ୍ଦ୍ରମାନଙ୍କରେ ପାଖାପାଖି ୪୫୪ କୋଟି ଟଙ୍କାର ସାମଗ୍ରୀ କିଣା ଯାଇଥିଲା। ଏ ନେଇ ‘ସମ୍ବାଦ’ରେ ବିସ୍ତୃତ ରିପୋର୍ଟ ପ୍ରକାଶ ପାଇଥିଲା।

ସମ୍ବନ୍ଧିତ ଖବର