୨୭ ଜିଲ୍ଲାରେ ପୋକ ଦାଉ

୧ଲକ୍ଷ ୭୧ ହଜାର ହେକ୍ଟର ଜମିରେ ଚାଷ ପ୍ରଭାବିତ

‘ଚକଡ଼ା’ ଦ୍ୱାରା ୧ଲକ୍ଷ ୧୦ ହଜାର ହେକ୍ଟର ନଷ୍ଟ

ଭୁବନେଶ୍ୱର : ବାଲେଶ୍ୱର, ବରଗଡ, ଝାରସୁଗୁଡା, ସୁନ୍ଦରଗଡ ଜିଲ୍ଲାରେ ହଳଦିଆ ପତ୍ର ବିନ୍ଧା ପୋକଙ୍କ ଦୌରାତ୍ମ୍ୟ ଦେଖାଦେଇଛି। ବରଗଡ, ଗଂଜାମ, ସୋନପୁର, କଳାହାଣ୍ଡି, ସମ୍ବଲପୁରରେ ଚକଡ଼ା ପୋକ ନଷ୍ଟଭ୍ରଷ୍ଟ କରି ଦେଇଛନ୍ତି ଫସଲ। ବାଲେଶ୍ୱର, ବଲାଙ୍ଗୀର, କଳାହାଣ୍ଡି, ନୂଆପଡାରେ ଗନ୍ଧି ପୋକଙ୍କ ପ୍ରଭାବରେ ଧାନ ଫସଲ ସାଂଘାତିକ ପ୍ରଭାବିତ ହୋଇଛି।

ଏମିତି ଭାବେ ଉପକୂଳ ଓଡ଼ିଶା ସମେତ ରାଜ୍ୟର ୨୭ଟି ଜିଲ୍ଲାରେ ଧାନଫସଲ ପ୍ରତି ବିପଦ ମାଡ଼ି ଆସିଛି। ନଭେମ୍ବର ୩ ତାରିଖ ସୁଦ୍ଧା କୃଷି ବିଭାଗର ରିପୋର୍ଟ କହୁଛି, ପାଖାପାଖି ୧ଲକ୍ଷ ୭୧ ହଜାର ୫୨୨ ହେକ୍ଟର ଚାଷଜମିରେ ଫସଲ ଗିଳିଦେବାକୁ ଉଦ୍ୟମ କରିଛନ୍ତି ବିଭିନ୍ନ ପ୍ରକାରର କୀଟ। ସବୁ ଜିଲ୍ଲାର ରିପୋର୍ଟ ମିଳିବା ପରେ ଏହାର ପରିମାଣ ବହୁଗୁଣିତ ହୋଇପାରେ। ଏହା ସତ୍ତ୍ୱେ କୀଟ ଆକ୍ରମଣକୁ ମହାମାରୀ ଘୋଷଣା କରିବା ଲାଗି ସରକାର ଆଗ୍ରହ ଦେଖାଉନାହାନ୍ତି। କୃଷିମନ୍ତ୍ରୀ ଗଣମାଧ୍ୟମ ପ୍ରତିନିଧିଙ୍କ ଏ ସଂକ୍ରାନ୍ତ ପ୍ରଶ୍ନକୁ ଟାଳିଦେଇଥିଲେ। ସେହିଭଳି ବରଗଡ଼ର ବୃନ୍ଦାବନ ସାହୁଙ୍କ ସମେତ ଗୋଟିଏ ସପ୍ତାହରେ ଆସିଥିବା ଚାରି ଚାରିଟି ଆତ୍ମହତ୍ୟା ଅଭିଯୋଗକୁ ବି ଗିଳିଦେଇଛନ୍ତି ମନ୍ତ୍ରୀ। ଏସବୁ ମୃତ୍ୟୁ ଯେ ଚାଷ ଜନିତ ଏକଥାକୁ ସରକାର ସ୍ୱୀକାର କରିବାକୁ ନାରାଜ। ଓଲଟା ଆଜି ମନ୍ତ୍ରୀ ମହାରାଷ୍ଟ୍ର ଉଦାହରଣ ଦେଇ ଓଡ଼ିଶାର ଘଟଣା ଯେ କିଛି ନୁହେଁ, ଏକଥା ସୂଚାଇବାକୁ ଉଦ୍ୟମ କରିଥିଲେ। କହିଥିଲେ ମହାରାଷ୍ଟ୍ରରେ ବି କୀଟର ପ୍ରଭାବ ଦେଖାଯାଇଛି। ସେଠାରେ ୪୮ଜଣ ଚାଷୀ ପ୍ରାଣ ହରାଇଲେଣି। ୫ଜଣ କୀଟନାଶକ ବିକ୍ରି କରୁଥିବା ଡିଲରଙ୍କ ବିରୋଧରେ ଥାନାରେ ଏତଲା ଦିଆଯାଇଛି।

ସେହିଭଳି ୮ଟି ଜିଲ୍ଲାର ଜିଲ୍ଲାପାଳ ଦେଇଥିବା ରିପୋର୍ଟକୁ ମଧ୍ୟ ଚାପି ଦେବା ଲାଗି ସରକାର ଢେର୍‌ ସାରା ଉଦ୍ୟମ କରିଛନ୍ତି। ରିପୋର୍ଟ ସଂପର୍କରେ କୃଷି ମନ୍ତ୍ରୀ ତଥ୍ୟ ଲୁଚାଇବାକୁ ଯାଇ କହିଛନ୍ତି ଜିଲ୍ଲାପାଳଙ୍କ ରିପୋର୍ଟ ରାଜସ୍ୱ ବିଭାଗ ଓ ସ୍ୱତନ୍ତ୍ର ରିଲିଫ୍‌ କମିସନରଙ୍କ ନିକଟକୁ ଆସିବ। ସେ କେବଳ ଏହାକୁ ଦେଖିବା ଲାଗି ମାଗିପାରନ୍ତି ବା ଦେଖିଛନ୍ତି। ସେପଟେ ସ୍ୱତନ୍ତ୍ର ରିଲିଫ୍‌ କମିସନର କୃଷି ବିଭାଗ ଆଡକୁ ଆଙ୍ଗୁଠି ଦେଖାଇଛନ୍ତି। ତେବେ ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ବରଗଡ, ସମ୍ବଲପୁର, ନୂଆପଡା ଓ ସୋନପୁର ଜିଲ୍ଲାପାଳ ରିପୋର୍ଟ ଦେଇଛନ୍ତି। ବଲାଙ୍ଗୀର, ଗଞ୍ଜାମ, କଳାହାଣ୍ଡି ଓ କୋରାପୁଟ ଜିଲ୍ଲାପାଳଙ୍କ ରିପୋର୍ଟ ସରକାରଙ୍କ ହସ୍ତଗତ ହୋଇନାହିଁ। ରିପୋର୍ଟ ଆସିଥିବା ୪ଟି ଜିଲ୍ଲା ମଧ୍ୟରୁୁ ବରଗଡ଼ରେ ୩୮ ହଜାର ୨୫୨ ହେକ୍ଟର, ସମ୍ବଲପୁରରେ ୨୮ ହଜାର ୨୨୮ ହେକ୍ଟର, ନୂଆପଡାରେ ୩୦୯୦ ହେକ୍ଟର, ସୋନପୁରରେ ୭୧୫୨ ହେକ୍ଟର ଏହିଭଳି ମୋଟ ୭୬ ହଜାର ୭୨୫ ହେକ୍ଟର ଜମିରେ ୩୩ ପ୍ରତିଶତରୁ ଅଧିକ ଫସଲହାନି ହୋଇଛି।

ଉଲ୍ଲେଖଯୋଗ୍ୟ, ଆଜି ସରକାରୀ ଛୁଟି ସତ୍ତ୍ୱେ ସଚିବାଳୟରେ କୃଷି ମନ୍ତ୍ରୀ ଡାକ୍ତର ଦାମୋଦର ରାଉତଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ କୃଷି ଉତ୍ପାଦନ କମିସନର ଗଗନ କୁମାର ଧଳ, କୃଷି ଓ କୃଷକ ସଶକ୍ତୀକରଣ ବିଭାଗର ପ୍ରମୁଖ ଶାସନ ସଚିବ ସୌରଭ ଗର୍ଗ, ସ୍ୱତନ୍ତ୍ର ଶାସନ ସଚିବ ଭାସ୍କର ଶର୍ମା, କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ହରିବଲ୍ଲଭ ମିଶ୍ରଙ୍କ ସମେତ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ । ଜିଲ୍ଲାପାଳ ୪୮ ଘଣ୍ଟାର କଣ୍ଟ ଭିତରେ ଦେଇଥିବା ରିପୋର୍ଟ ଉପରେ ତର୍ଜମା ହୋଇଥିଲା। ଅଧିକାରୀମାନେ ସ୍ଥିତିର ଭୟାବହତା ସଂପର୍କରେ ସୂଚାଇଥିଲେ।

ପରେ ମନ୍ତ୍ରୀ କହିଥିଲେ, ଚଳିତ ବର୍ଷ ଚକଡ଼ା ପୋକ ଦ୍ୱାରା ନୂଆପଡା, ବରଗଡ଼, ଗଞ୍ଜାମ, ସୁବର୍ଣ୍ଣପୁର, କଳାହାଣ୍ଡି, ସମ୍ବଲପୁର, କୋରାପୁଟ ଓ ବଲାଙ୍ଗୀର ଆଦି ୮ଟି ଜିଲ୍ଲାର ମୋଟ ୧ ଲକ୍ଷ ୧୦ ହଜାର ୬୫୯ ହେକ୍ଟର ଧାନ ଫସଲ ପ୍ରଭାବିତ ହୋଇଥିବା ବେଳେ ଏଥିରୁ ୩୪ ହଜାର ୬୧୯ ହେକ୍ଟର ଜମିର ଫସଲ ଅଧିକ କ୍ଷତିଗ୍ରସ୍ତ ହୋଇଛି । ଏ ମଧ୍ୟରୁ ୬୮ ହଜାର ୩୪୨ ହେକ୍ଟର ଜମିରେ କୀଟନାଶକ ଔଷଧ ପ୍ରଯୋଗ କରାଯାଇଥିଲା। ହେଲେ ଏହା କାମ କରିଛି କି ନାହିଁ, ତାହା ଅନୁଧ୍ୟାନ ବେଳେ ଜଣାପଡିନି।

ଡାକ୍ତର ରାଉତ କହିଥିଲେ, ଯେହେତୁ ୨୭ଟି ଜିଲ୍ଲାକୁ ପୋକ ମାଡ଼ିଗଲେଣି, ଏଣୁ କୃଷି ବିଶେଷଜ୍ଞମାନଙ୍କୁ କୁହାଯାଇଛି ସେମାନେ ବଳକା ୨୧ଟି ଜିଲ୍ଲାର ସ୍ଥିତି ଅନୁଧ୍ୟାନ କରି ତୁରନ୍ତ ରିପୋର୍ଟ ଦେବେ। ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ, ଜାତୀୟ ଧାନ ଗବେଷଣା କେନ୍ଦ୍ର ଏବଂ କୃଷି ବିଭାଗ ଅଧିକାରୀମାନେ ଏହି କାର୍ଯ୍ୟ ଜାରି ରଖିଛନ୍ତି। ଏମାନେ ରୋଗପୋକ ଓ ଫସଲ ସଂପର୍କରେ ସବିଶେଷ ଅନୁଧ୍ୟାନ କରି ନିୟନ୍ତ୍ରଣ ବ୍ୟବସ୍ଥା କରୁଛନ୍ତି ।

ଏପଟେ ରିଲିଫ୍‌ କୋର୍ଡ ଅନୁସାରେ, ନିର୍ଦିଷ୍ଟ କି କ୍ଷତିପୂରଣ ଦିଆଯିବ, ସେ ନେଇ ଆସନ୍ତା ୬ ତାରିଖ ସୋମବାର ଦିନ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ମହେଶ୍ୱର ମହାନ୍ତିଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହୋଇ ନିଷ୍ପତ୍ତି ଗ୍ରହଣ କରାଯିବ। ସେହିଭଳି ଆସନ୍ତାକାଲି ସଚିବ ଭିଡିଓ କନ୍‌ଫରେନ୍‌ସିଂ ଯୋଗେ ଜିଲ୍ଲାପାଳ ଓ ଜିଲ୍ଲାର କୃଷି ଅଧିକାରୀଙ୍କ ସହିତ କଥାହେବାର କାର୍ଯ୍ୟକ୍ରମ ରହିଛି।

ଏଠାରେ ପ୍ରକାଶଥାଉକି, ବାଲେଶ୍ୱର, ବରଗଡ, ଝାରସୁଗୁଡା ,ସୁନ୍ଦରଗଡରେ ହଳଦିଆ ପତ୍ର ବିନ୍ଧାରେ ୧୩ହଜାର ୧୦୪ ହେକ୍ଟର ଫସଲ ନଷ୍ଟ ହୋଇଥିବା ବେଳେ ପତ୍ର କେନ୍ଦାକଟାରେ ୧୧୫ ହେକ୍ଟର ଚାଷ ବରବାଦ ହୋଇଛି। ଗଞ୍ଜାମ ଜିଲ୍ଲାରେ ପତ୍ର ମୋଡ଼ାରେ ୫୫୬୨ ହେକ୍ଟର, ଧଳା ଟିକିଆ ମୁଣ୍ଡିପୋକ ଆକ୍ରମଣରେ ୧୨୪୦ ହେକ୍ଟର, ସୋନପୁର, ବାଲେଶ୍ୱର, ଭଦ୍ରକ, ଗଞ୍ଜାମରେ ମହିଷା ପୋକ ଆକ୍ରମଣରେ ୧୦ହଜାର ୯୩୪ ହେକ୍ଟର, ବାଲେଶ୍ୱର ,କଟକ ଓ ନୂଆପଡାରେ ପତ୍ରାଛାତ ପୋଡା ପୋକ ଦାଉରେ ୪୬୭୭ ହେକ୍ଟର ଫସଲ ହାନି ହୋଇଛି। ସେହିଭଳି କବକ ଜନିତ ପତ୍ରପୋଡା ପୋକ ଯୋଗୁଁ ସୋନପୁରରେ ୨୬୩୯ ହେକ୍ଟର, ଗନ୍ଧି ପୋକ ଯୋଗୁଁ ବାଲେଶ୍ୱର, ବଲାଙ୍ଗୀର, ନୂଆପଡା, କଳାହାଣ୍ଡିରେ ୧୬ ହଜାର ୨୮୧ ହେକ୍ଟର ଜମିରେ ଚାଷ ନଷ୍ଟ ହୋଇଛି। ଏହାଛଡା ମୂଳ ସଢା, ବଙ୍ଗି, ଦହିବା ପୋକ, ମାଟିଆ ପତ୍ର ପୋକ ଆଦି ଆକ୍ରମଣରେ ମଧ୍ୟ ଶହ ଶହ ଏକର ଜମିର ଫସଲ ନଷ୍ଟ ହୋଇଯାଇଛି।

ସମ୍ବନ୍ଧିତ ଖବର