ଭୁବନେଶ୍ୱର : ମର଼ୁ଼ଡି ଦାଉରେ ଅଧା ରାଜ୍ୟ ସଢୁଥିବା ବେଳେ ପୋକ ଆକ୍ରମଣ ଚାଷୀ ସ୍ଥିତିକୁ ବେହାଲ କରିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚାଷୀ କ୍ଷତରେ ମଲମ ଲଗାଇବାକୁ ଯାଇ ପ୍ୟାକେଜ୍‌ ଘୋଷଣା କରିଛନ୍ତି। ହେଲେ କାହା ଅବହେଳାରେ ପୋକ ଆକ୍ରମଣ ମହାମାରୀ ରୂପ ନେଲା, କୃଷି ବିଭାଗ ଆବଶ୍ୟକ ପଦକ୍ଷେପ ନେଇଥିଲା ନା ନାହିଁ, ସବ୍‌ସିଡି ବ୍ୟବସ୍ଥା ଥିବା ସତ୍ତ୍ୱେ କାହିଁକି ଚାଷୀ ଠିକଣା କୀଟନାଶକ ପାଇଲେ ନାହିଁ, ଏ କ୍ଷେତ୍ରରେ କିଏ ପ୍ରତିବନ୍ଧକ ସାଜିଲା, ସେ ନେଇ ତନାଘନା କରିବା ଲାଗି ମୁଖ୍ୟମନ୍ତ୍ରୀ ଆଗ୍ରହ ଦେଖାଇନାହାନ୍ତି।

Advertisment

ମିଳିଥିବା ସୂଚନା ମୁତାବକ, ପୋକ ମାଡ଼ିଯିବା, ସ୍ଥିତି ନିୟନ୍ତ୍ରଣ ମଧ୍ୟରେ ରହିନପାରିବା ପଛରେ ଏକ ବଡ଼ ଧରଣର ଦୁର୍ନୀତି ଓ ଷଡ଼ଯନ୍ତ୍ରର ଗନ୍ଧ ବାରିହୋଇଗଲାଣି। ନିର୍ଦିଷ୍ଟ କିଛି ଅଧିକାରୀଙ୍କର ଏହା ପଛରେ ହାତ ଥିବା ନେଇ ସନ୍ଦେହ ବଢିବାରେ ଲାଗିଛି। କେବଳ ସେତିକି ନୁହେଁ, ନଭେମ୍ବର ୧ ତାରିଖରେ କୃଷି ବିଭାଗ ଜାରି କରିଥିବା କୀଟନାଶକ ସଂପର୍କିତ ବିଜ୍ଞପ୍ତି ବିଳମ୍ବ ହେବା ଏ ସନ୍ଦେହକୁ ଅଧିକ ଦୃଢୀଭୂତ କରୁଛି।

ଉଲ୍ଲେଖଯୋଗ୍ୟ, ସରକାର ନିଷ୍ପତ୍ତି ନେଇଥିଲେ, ସବ୍‌ସିଡି ହସ୍ତାନ୍ତର(ଡିବିଟି)ଜରିଆରେ ପଞ୍ଜୀକୃତ ଚାଷୀମାନେ ବିକ୍ରେତା (ପଞ୍ଜୀକୃତ)ଙ୍କ ଠାରୁ ଧାର୍ଯ୍ୟ ମୂଲ୍ୟରେ କୀଟନାଶକ କ୍ରୟ କରିବେ। ସେମାନେ ଜିଏସ୍‌ଟି ପ୍ରଦତ୍ତ ବିଲ୍‌ ସହିତ କୃଷି ବିଭାଗର ପର୍ମିଟ୍‌ ଦାଖଲ କଲେ ସେମାନଙ୍କ ବ୍ୟାଙ୍କ ଖାତାରେ ସବ୍‌ସିଡି ଅର୍ଥ ଜମା ହେବ। ଏଭଳି ସର୍ତମୂଳକ ବ୍ୟବସ୍ଥା ଚାଷୀଙ୍କୁ ହତୋତ୍ସାହିତ କରିଥିଲା।

କିନ୍ତୁ ଏବେ ଜଣାପଡିଛି ଯେ ଜୁଲାଇ ୨୭ ତାରିଖରେ କେନ୍ଦ୍ର ସରକାର ସବୁ ରାଜ୍ୟକୁ ଏକ ଚିଠି ଜାରି କରିଥିଲେ। ଏଥିରେ ଡିବିଟି ବ୍ୟବସ୍ଥାରେ ସାମଗ୍ରୀ ଦେବା ନେଇ ମଧ୍ୟ ଅନୁମତି ଦିଆଯାଇଥିଲା। ବିଭାଗୀୟ ଅଧିକାରୀମାନେ ଏହାକୁ ଦେଖିଲେ, ଚାପିଦେଲେ। ଅନ୍ୟପକ୍ଷରେ ଓଡ଼ିଶା, ପଶ୍ଚିମବଙ୍ଗ ଭଳି ଦୁଇ ତିନିଟି ରାଜ୍ୟ ଛାଡ଼ିଦେଲେ ଅନ୍ୟ ସମସ୍ତେ ଏହି ବ୍ୟବସ୍ଥାକୁ ଗ୍ରହଣ କରିସାରିଲେଣି। ଯଦି ସରକାର ଡିବିଟି ଜରିଆରେ ଚାଷୀଙ୍କୁ କୀଟନାଶକ ଦେବା ପାଇଁ ନିଷ୍ପତ୍ତି ନେଇଥାନ୍ତେ, ତେବେ ଆଜି ଦିନରେ ଏଭଳି ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇନଥାନ୍ତା କି ଚାଷୀ ନକଲି ଅଥବା ଅଣ ପଞ୍ଜୀକୃତ ସଂସ୍ଥାରୁ କୀଟନାଶକ କିଣି କ୍ଷତିରେ ପଡିନଥାନ୍ତା ବୋଲି କୁହାଯାଉଛି। ଏହି ଚିଠି କେଉଁସ୍ତରରେ ଚପିଗଲା ତାହା ଜଣାପଡୁନାହିଁ। ଆଜି ରାଜସ୍ୱ ମନ୍ତ୍ରୀ ମହେଶ୍ୱର ମହାନ୍ତି ଏ ନେଇ ଖୋଳତାଡ଼ କରିବା ବେଳେ ଜଣାପଡିଲା ଯେ ନା କୃଷି ବିଭାଗର ପ୍ରମୁଖ ସଚିବ ସୌରଭ ଗର୍ଗ ଏକଥା ଜାଣିଛନ୍ତି ନା ଉନ୍ନୟନ କମିସନର।
କେବଳ ସେତିକି ନୁହେଁ, କେଉଁ କେଉଁ କମ୍ପାନିର କୀଟନାଶକ, କବକନାଶକ, ତୃଣନାଶକ, ଜୈବ କୀଟନାଶକ, କେତେ ରିହାତିରେ ଚାଷୀ କିଣିପାରିବ ସେ ନେଇ କମ୍ପାନି ଏବଂ ୪୩ ପ୍ରକାରର କୀଟନାଶକ ଉତ୍ପାଦ ମୂଲ୍ୟ ସଂପର୍କରେ ସରକାରଙ୍କ ବିଜ୍ଞପ୍ତି ଅନେକ ପ୍ରଶ୍ନ ସୃଷ୍ଟି କରିଛି। କାରଣ ଚାଷୀ କ୍ଷତି ସହିସାରିବା ପରେ ଗତ ନଭେମ୍ବର ୧ ତାରିଖରେ ଏ ବିଜ୍ଞପ୍ତି ପ୍ରକାଶ ପାଇଛି। ଜୁନ୍‌ ମାସରୁ କୃଷି ବିଭାଗ ତନାଘନା ଆରମ୍ଭ କରିଥିଲା। ମଝିରେ କଣ ହେଲା ଯେ ସମସ୍ତେ ହାତ ବାନ୍ଧି ବସିଗଲେ ଓ ଚାଷୀକୁ ନକଲି କୀଟନାଶକ ଦେବା ଲାଗି ସୁଯୋଗ ସୃଷ୍ଟି କରାଗଲା, ତାହା ଏବେ ସମସ୍ତଙ୍କୁ ଆନ୍ଦୋଳିତ କରୁଛି।

କୃଷି ମନ୍ତ୍ରୀ ଡାକ୍ତର ଦାମୋଦର ରାଉତ କହିଛନ୍ତି, ବିଶେଷଜ୍ଞମାନେ ଅନୁଧ୍ୟାନ କରୁଛନ୍ତି ଓ ରିପୋର୍ଟ ଦେବାପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ହେଲେ ନିଜ ବିଭାଗ ଭିତରେ ଥିବା କେଳେଙ୍କାରୀକୁ କୃଷି ବିଭାଗର ଅଧିକାରୀମାନେ ଧରିବେ ତ?