ଚକଡ଼ା କବଳରେ ସମଗ୍ର ପଶ୍ଚିମ ଓଡ଼ିଶା

ବରଗଡ଼ରେ ୩୮୦ ହେକ୍ଟର ପୋକ ସାଲୁବାଲୁ, ବଲାଙ୍ଗୀର ଓ କଳାହାଣ୍ଡି ଜିଲ୍ଲାକୁ ବି ବ୍ୟାପିଲାଣି

ବରଗଡ଼/ସମ୍ବଲପୁର/ଗୁଡ଼ଭେଲା/ବୋର୍ଡ଼ା : ବର୍ଷା ଟିକେ ଛାଡ଼ିଗଲା ପରେ ଆରମ୍ଭ ହୋଇଯାଉଛି ମୁଣ୍ଡଫଟା ଖରା। ତା ସାଙ୍ଗକୁ ଗୁଳୁଗୁଳି। ଏହି ପାଗ ହିଁ ପୁଣି ପଶ୍ଚିମ ଓଡ଼ିଶାରେ ସୃଷ୍ଟି କରିଛି ଚକଡ଼ା ଆତଙ୍କ। ସମ୍ବଲପୁର, ବରଗଡ଼, ବଲାଙ୍ଗୀର ଓ କଳାହାଣ୍ଡି ଜିଲ୍ଲାରେ ଅଧିକାଂଶ ସ୍ଥାନରେ ଚକଡ଼ା ପୋକ ବ୍ୟାପୁଥିବାର ଦେଖିବାକୁ ମିଳିଛି। ଠିକ୍ ଗତବର୍ଷ ପରି ଅବସ୍ଥା ଏ ବର୍ଷ ମଧ୍ୟ ସୃଷ୍ଟି ହୋଇଛି। ବଜାରରେ ମିଳୁଥିବା କୀଟନାଶକ ଏହି ପୋକ ଉପରେ ପ୍ରଭାବହୀନ ହୋଇଛି। ଗୋଟିଏ ପଟରେ ବର୍ଷାର ଅନିୟମିତତା, ଅତିବୃଷ୍ଟି ଓ ବନ୍ୟା ସାଙ୍ଗକୁ ସାର ଅଭାବର ସମ୍ମୁଖୀନ ହୋଇଥିବା ପଶ୍ଚିମ ଓଡ଼ିଶାର କୃଷକମାନେ ନୂଆ ବିପଦର ସମ୍ମୁଖୀନ ହୋଇଛନ୍ତି। କିନ୍ତୁ ଏପର୍ଯ୍ୟନ୍ତ କୃଷି ବିଭାଗ ପକ୍ଷରୁ କିଛି ଆଖିଦୃଶିଆ ପଦକ୍ଷେପ ନିଆଯାଇନାହିଁ।

ମିଳିଥିବା ସୂଚନା ଅନୁଯାୟୀ, ବରଗଡ଼ ଜିଲ୍ଲାରେ ବର୍ତମାନ ଯାଏଁ ମୋଟ୍ ୩୮୦ ହେକ୍ଟର ଜମି ଚକଡ଼ା କବଳରେ ରହିଛି। ପ୍ରାରମ୍ଭିକ ପର୍ଯ୍ୟାୟରେ କୃଷି ବିଭାଗର ଆକଳନରୁ ଜଣାପଡ଼ିଛି ଯେ, ଭଟଲି ବ୍ଲକ ବିଶିପାଲିରେ ୩୦ ହେକ୍ଟର, ଅତାବିରା ବ୍ଲକ ଟାଂଗରପାଲିରେ ୨୭ ହେକ୍ଟର, ବରଗଡ଼ ବ୍ଲକ ବେହେରା ଗାଁରେ ୪୫ ହେକ୍ଟର, ନୁନିଆଁ ଜାମପାଲିରେ ୩୫ ହେକ୍ଟର ଏବଂ ବିଜେପୁର, ବରପାଲି ବ୍ଲକରେ କିଛି ଗାଁରେ ଚକଡ଼ା ମାଡ଼ି ଗଲାଣି।

ବଲାଙ୍ଗୀର ଜିଲ୍ଲା ଗୁଡ଼ଭେଲା ବ୍ଲକ ଡୁଙ୍ଗୁରିପାଲିରେ ଚଳିତ ବର୍ଷ ପୁନଶ୍ଚ ଚକଡ଼ା ପ୍ରାଦୁର୍ଭାବ ଆରମ୍ଭ ହୋଇଛି। ବିଭିନ୍ନ ପ୍ରକାରର ଔଷଧ ବାରମ୍ବାର ସି˚ଚନ କରି ଚାଷୀ ଖର୍ଚ୍ଚାନ୍ତ ହେଉଛି ସିନା ପୋକକୁ କାବୁ କରାଯାଇ ପାରୁ ନ ଥିବା ଜଣାଯାଇଛି। କୃଷି ବିଭାଗ ତୁରନ୍ତ ଉପଯୁକ୍ତ ଔଷଧ ରିହାତି ଦରରେ ଯୋଗାଇବାକୁ ଦାବି ହେଉଛି। ଗୁଡ଼ଭେଲା ଡୁଙ୍ଗରିପାଲି ଗ୍ରାମରେ ୨ ଶହ ଏକରରୁ ଅଧିକ ଜମିରେ ଧାନ ଚାଷ ହୋଇଛି। ବର୍ତ୍ତମାନ ଧାନର ଗର୍ଭଣୀ ସମୟ। ଏହି ସମୟରେ ଧାନ ଗଛକୁ ଅଧିକ ଯତ୍ନର ଆବଶ୍ୟକ ଥିବା ବେଳେ ଚକଡ଼ା ପୋକ ଗଛକୁ ଶୋଷି ଦେଉଛି। ଫଳରେ ଗଛର ପତ୍ର ଶୁଖି ଧାନଗଛ ମରିଯାଉଥିବା ଦେଖା ଯାଉଛି।

କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ବ୍ଲକ ମିଲକୀ ଅଞ୍ଚଳ‌େର ଚକଡ଼ା ପୋକର ପ୍ରାଦୁର୍ଭାବ ଦେଖିବାକୁ ମିଳିଛି। ଚାଷୀମାନେ ବିଭିନ୍ନ ପ୍ରକାର କୀଟନାଶକ ସିଞ୍ଚନ କରୁଥିଲେ ହେଁ ସ୍ଥିତି ନିୟନ୍ତ୍ରଣାଧୀନ ହୋଉ ନାହିଁ। ମାଟିଆ ଗ୍ରାମ ପଞ୍ଚାୟତର ଲୋହରାଡ଼ାବ୍ରୀ, ମାଟିଅ, ସାଲେଭଟ୍ଟା, ରଏନଭଟ୍ଟା ପ୍ରଭୃତି ଗ୍ରାମର ୬୨ ହେକ୍ଟର, ଚିକଲିରେ ୩୫ ହେକ୍ଟର, ମାଦିଅଗୁଡ଼ାରେ ୨୫ ହେକ୍ଟର, ଖଇରମାଲରେ ୩୦ ହେକ୍ଟର, ସେଁପୁର ଗ୍ରାମପଞ୍ଚାୟରେ ୧୦ ହେକ୍ଟର, ବୋର୍ଡା ଗ୍ରାମ ପଞ୍ଚାୟତ‌ରେ ୧୫ ହେକ୍ଟର ଓ କେନ୍ଦୁପାଟି ଗ୍ରାମ ପଞ୍ଚାୟତରେ ୧୨ ହେକ୍ଟର ଜମିରେ ଫସଲ ଚକଡ଼ା ପୋକ ଦ୍ବାରା ପ୍ରଭାବିତ ହୋଇଥିବା ଜଣାପଡ଼ିଛି।

ରୋଗ ପୋକ ନିୟନ୍ତ୍ରଣ ପାଇଁ ବର୍ତ୍ତମାନ ଯାଏଁ କୃଷି ବିଭାଗ ପକ୍ଷରୁ କୌଣସି କୀଟନାଶକ ଔଷଧ ଯୋଗାଇ ଦିଆଯାଇ ନଥିବାରୁ ଚାଷୀଙ୍କ ମନରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।

ଏ ସମ୍ପର୍କରେ ସହକାରୀ କୃଷି ଅଧିକାରୀ ସ୍ମିତାରାଣୀ ସେଠୀଙ୍କୁ ପଚାରିବାରୁ ସେ କହିଥିଲେ ଯେ, ରୋଗ ନିୟନ୍ତ୍ରଣ ପାଇଁ ଚାଷୀ ମାନଙ୍କୁ ଔଷଧ ସିଞ୍ଚନ ପାଇଁ ପରାମର୍ଶ ଦିଆଯାଇଛି। କୃଷି ଉପ ନିର୍ଦ୍ଦେଶକଙ୍କ ସହ ଆଲୋଚନା କରାଯାଇଛି, ବିଭାଗ ତରଫରୁ ଖୁବ୍‌ଶୀଘ୍ର ଚାଷୀଙ୍କୁ ଔଷଧ ଯୋଗାଇ ଦିଆଯିବ ଓ ଆଖପାଖ ଅଞ୍ଚଳରେ ରୋଗ ସମ୍ପକର୍ରେ ସତର୍କ ରହିବା ପାଇଁ ସଚେତନ କରାଯିବ।

ସମ୍ବନ୍ଧିତ ଖବର