ଭୁବନେଶ୍ବର: ଅକ୍ଟୋବର ମାସରୁ ମଶାଙ୍କ ପ୍ରଜନନ ସମୟ ଆରମ୍ଭ ହୋଇଥାଏ। ସ୍ଥିରପାଣିରେ ଲାର୍ଭା ସୃଷ୍ଟି ହେବାପରେ ମଶା ହୋଇ ଜନବସତି ଆଡ଼କୁ ମାଡ଼ି ଆସିଥାନ୍ତି ଓ ନାନା କୀଟବାହକ ରୋଗ ସୃଷ୍ଟି କରିଥାନ୍ତି। ଏହି ସମୟରୁ ଲାର୍ଭାକୁ ମାରିଦେଲେ ମଶାଙ୍କ ଉତ୍ପାତ ରହିବ ନାହିଁ। କିନ୍ତୁ ବିଏମ୍‌ସି ଏଥିପ୍ରତି ତତ୍ପର ହୋଇନଥିବାରୁ ଗତବର୍ଷ ମଶା ଉତ୍ପାତ କରିବା ସହ ବିଏମ୍‌ସି ମଶା ଦମନ ଆଳରେ ପାଣିଭଳି ଟଙ୍କା ଖର୍ଚ୍ଚ କରିଥିଲା। ଏ ନେଇ ‘ସମ୍ବାଦ’ରେ ଖବର ପ୍ରକାଶ ପାଇବା ପରେ ବିଏମ୍‌ସି ବେଳହୁଁ ସାବଧାନ ହୋଇଛି। ଅନେକ ବର୍ଷର ବ୍ୟବଧାନ ପରେ ବିଏମ୍‌ସି ଅଞ୍ଚଳର ୪ଟି ନାଳରେ ଗଙ୍ଗୁସିଆ ମାଛ ଛଡ଼ା ଯାଇଛି। ଫାଇଲେରିଆ ଇନ୍‌ସ୍‌ପେକ୍ଟରମାନେ ସହରରେ ୧୭୫ଟି ସମ୍ବେଦନଶୀଳ ଜାଗା ଚିହ୍ନଟ କରିଛନ୍ତି। ଗଙ୍ଗୁସିଆ ମାଛମାନେ ମଶାଙ୍କ ଲାର୍ଭାକୁ ଖାଇବେ ବା ଲାର୍ଭା ମଶାହୋଇ ଉଡ଼ିଯିବାକୁ ସୁଯୋଗ ପାଇବନି। ଏହି ଉଦ୍ଦେଶ୍ୟରେ ମାଛ ଛଡ଼ା ଯାଇଛି। ଏବେ ନିୟମିତ ଭାବରେ ଏହିସବୁ ଜାଗାରେ ମାଛ ଛଡ଼ାଯିବ। ସମସ୍ତ ସମ୍ବେଦନଶୀଳ ଜାଗା‌ରେ ମାଛ ଛଡ଼ା ଯିବାପରେ ପ୍ରତ୍ୟେକ ଜାଗା ଉପରେ ନିୟମିତ ନଜର ରଖାଯିବ। ମାଛଗୁଡ଼ିକ ଯେଭଳି ଶତ ପ୍ରତିଶତ ବଞ୍ଚିବେ, ସେ ନେଇ ବ୍ୟବସ୍ଥା ହେବ। ଫଳରେ ମଶାଙ୍କ ସଂଖ୍ୟା କମିବ ବୋଲି ବିଏମ୍‌ସି ଆଶା କରିଛି। କିନ୍ତୁ ଅନେକ ନଳାରେ ପାଣି ରହୁନଥିବାରୁ ଏହି ମାଛ ଛାଡ଼ିବା ସମ୍ଭବ ହୋଇନାହିଁ। ଯେଉଁ ଜାଗାରେ ମାଛ ଛଡ଼ା ଯାଇ ପାରିନାହିଁ କିନ୍ତୁ ସମ୍ବେଦନଶୀଳ, ସେଠାରେ ନିୟମିତ ଲାର୍ଭିସାଇଡ୍‌ ପକାଇବା ପାଇଁ ଯୋଜନା ହୋଇଛି।

Advertisment

ପୂର୍ବରୁ କର୍ମଚାରୀ କାନ୍ଧରେ ପକାଇଥିବା ଡ୍ରମ୍‌ରେ ହାତରେ ପମ୍ପ ଦେଇ ଲାର୍ଭିସାଇଡ୍‌ ସ୍ପ୍ରେ କରୁଥିଲେ। କିନ୍ତୁ ଏବେ ବ୍ୟାଟେରି ଚାଳିତ ସ୍ପ୍ରେୟର ଆସିଛି। ପୂର୍ବରୁ ଗୋଟିଏ ୱାର୍ଡ ପାଇଁ ଦୁଇଟି ଲେଖାଏଁ ସ୍ପ୍ରେୟର ରଖାଯାଇଥିବା ବେଳେ ଏବେ ୨୦ଟି ବ୍ୟାଟେରି ଚାଳିତ ସ୍ପ୍ରେୟର ଆସିଛି। ଏଥିରେ ଆଉ ପମ୍ପ ଦେବାକୁ ପଡ଼ିବନାହିଁ। ଯେଉଁ ଜାଗାରେ ଗଙ୍ଗୁସିଆ ଛଡ଼ାଯିବ, ସେହି ଜାଗାରେ ଆଉ ଲାର୍ଭିସାଇଡ୍‌ ‌ସିଞ୍ଚନ କରାଯିବ ନାହିଁ। ଏଣୁ ପୂର୍ବରୁ ଯେତିକି ଜାଗାରେ ଲାର୍ଭିସାଇଡ୍‌ ସ୍ପ୍ରେ ହେଉଥିଲା ସେହି ସଂଖ୍ୟା ଏବେ କମିବ। ଫଳରେ ସୀମିତ ଜାଗାରେ କଡ଼ା ନଜର ରଖିବା ସୁବିଧା ହେବ। ଏଣେ ଯେଉଁଠି ଗଙ୍ଗୁସିଆ ମାଛ ମରିବେ କିମ୍ବା ସଂଖ୍ୟା କମିବ ସେଠାରେ ସେହି ପରିମାଣର ମାଛ ଛଡ଼ା ଯିବ। କିନ୍ତୁ ସେମାନଙ୍କର ବଂଶବୃଦ୍ଧି ହେବାକୁ ଥିବାରୁ ସଂଖ୍ୟା କମିବା ଆଶଙ୍କା ରହିବ ନାହିଁ। ଏଭଳି ଉଭୟ ପଟୁ ମଶାଙ୍କ ବଂଶ ନିପାତ ପାଇଁ ଅହରହ ଉଦ୍ୟମ ହେଲେ ମଶାଙ୍କ ସଂଖ୍ୟା କମିବା ସମ୍ଭାବନା ରହିଥିବା ସୂଚନା ମିଳିଛି।

ସୂଚନା ମୁତାବକ, ୱାର୍ଡ ନଂ ୫୫ର ପୁରୁଣା ବିଏମ୍‌ସି ଅଫିସ୍‌ ପଛ ନଳାରେ ପ୍ରଥମେ ଏହି ମାଛ ଛଡ଼ା ଯାଇଥିଲା। ଏଥିରେ ସମସ୍ତ ମାଛ ବଞ୍ଚିଛନ୍ତି। ଏହା ପରେ ସହିଦନଗର ମହର୍ଷି କଲେଜ ପଛ ନଳା(ଡ୍ରେନ୍‌ ନଂ-୧୦)ରେ ମାଛ ଛଡ଼ା ଯାଇଛି। ମଞ୍ଚେଶ୍ବର ଥାନା ସାମ୍ନା ନଳା ଓ ପଟିଆର ନନ୍ଦନ ବିହାର ଡ୍ରେନ୍‌ରେ ମଧ୍ୟ ମାଛ ଛଡ଼ା ଯାଇଛି। ଛଡ଼ା ଯାଇଥିବା ସମସ୍ତ ମାଛ ବଞ୍ଚିଥିବା ଜଣାପଡ଼ିଛି। ଆସନ୍ତାକାଲି ବା ବୁଧବାର ସମସ୍ତ ପ୍ରାକୃତିକ ନାଳରେ ଛଡ଼ା ଯିବ ବୋଲି ଜଣାପଡ଼ିଛି। ପ୍ରାକୃତିକ ନଳାର ବିଭିନ୍ନ ଜାଗାରେ ପାଣି ପୋଖରି ଭଳି ଜମା ହୋଇ ରହୁଥିବାରୁ ଏଥିରେ ମଶା ଜନ୍ମ ହେବା ଆଶଙ୍କା ରହିଛି।

ଗତ ନଭେମ୍ବର ମାସରେ ମଶା ସାନ୍ଦ୍ରତା ସର୍ଭେ ହୋଇଥିଲା। ସେତେବେଳେ ଚିହ୍ନଟ ହୋଇଥିବା ସମ୍ବେଦନଶୀଳ ଜାଗାଗୁଡ଼ିକରେ ଏହି ଗଙ୍ଗୁସିଆ ମାଛ ଛାଡ଼ିବା ଓ ଲାର୍ଭିସାଇଡ୍‌ ପକାଇବା ଯୋଜନା କରାଯିବା ସହ ପକାଯାଉଛି। କିନ୍ତୁ ବର୍ଷେ ହୋଇଯାଇଥିବାରୁ ମଶାଙ୍କର କଣ ସ୍ଥିତି ତାହା ଜାଣିବା ଜରୁରୀ। ସେଥିପାଇଁ ଖୁବ୍‌ଶୀଘ୍ର ଏହି ସାନ୍ଦ୍ରତା ସର୍ଭେ ହେବ ବୋଲି ଜଣାପଡ଼ିଛି। ଏବେ ଏହି ସର୍ଭେ କଲେ ତାହା ଠିକ୍‌ ଜଣାପଡ଼ିବ ନାହିଁ। କାରଣ ଏବେ ଦୀପାବଳି ଯାଇଛି। ଏଣୁ ମଶା କିଛି ମରି ଯାଇଥି‌ବେ। ଏଣୁ ସାମୟିକ ଭାବରେ ସଂଖ୍ୟା କମ୍‌ ରହିବ। ଏଣୁ ଆଉ କିଛି ଦିନ ପ‌ରେ ସର୍ଭେ କଲେ ମଶାଙ୍କର ବାସ୍ତବ ସ୍ଥିତି ଜଣାପଡ଼ିବ।

ସେଥିପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ଏଣେ ଭୁବନେଶ୍ବରରେ ହାଚେରି ନଥିବାରୁ ଗଙ୍ଗୁସିଆ ମାଛ ପାଇଁ ବାରଦୁଆର ହେବାକୁ ପଡ଼ୁଛି। ସେଥିପାଇଁ ବିଏମ୍‌ସି ଅଞ୍ଚଳରେ ଥିବା ପ୍ରତ୍ୟେକ ପିଏଚ୍‌ସିରେ ଏହି ମାଛଙ୍କ ପାଇଁ ହାଚେରି ପ୍ରସ୍ତୁତ ହେବ ବୋଲି ସୂଚନା ମିଳିଛି। ଏଭଳି ଗଙ୍ଗୁସିଆ ମାଛ, ଲାର୍ଭିସାଇଡ୍‌ ସିଞ୍ଚନ ଓ ମଶାଧୂଆଁ ନିୟମିତ ହେବ। ଏହା ସହ ସମାନ୍ତରାଳ ଭାବରେ ଘରୋଇ ଜାଗାରେ ମଶାଙ୍କ ଉତ୍ପତ୍ତି ସ୍ଥଳ ନଷ୍ଟ କରାଯିବ। ଏଣୁ ଭୁବନେଶ୍ବର ମଶା ମୁକ୍ତ ହୋଇ ପାରିବ ବୋଲି ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି। ତେବେ ଅନେକ ଦିନ ପୂର୍ବରୁ ଲକ୍ଷ୍ମୀସାଗର ଅଞ୍ଚଳରେ ଗଙ୍ଗୁସିଆ ମାଛ ଉତ୍ପାଦନ ପାଇଁ ହାଚେରି ରହିଥିଲା। ନଳାଗୁଡ଼ିକରେ ସେ ମାଛ ଛଡ଼ା ଯାଉଥିଲା। କିନ୍ତୁ ଭୁବନେଶ୍ବର ନଳା ପାଣିରେ ଏହି ମାଛଙ୍କ ବଂଶ ବୃଦ୍ଧି ହୋଇ ପାରିନଥିଲା। ଏଣୁ ହାଚେରିକୁ ଗୁରୁତ୍ବ ଦିଆନଯିବାରୁ ଏହା ନଷ୍ଟ ହୋଇ ଯାଇଥିଲା। ଏବେ ଏହି ମାଛ ଛାଡ଼ିବା ଯୋଜନା କେତେଦୂର ସଫଳ ହେବ ସେ ନେଇ ପ୍ରଶ୍ନ ଉଠିଛି।