ଭୁବନେଶ୍ୱର: କେନ୍ଦ୍ରମନ୍ତ୍ରୀ ବିଜୟ ଗୋଏଲ ଲିଙ୍ଗରାଜ ମନ୍ଦିରର ଗର୍ଭଗୃହର ଫଟୋ ନିଜ ଟୁଇଟର ପୃଷ୍ଠାରେ ଛାଡି ବିବାଦ ଘେରକୁ ଆସିଛନ୍ତି। ଗତକାଲି ଉତ୍କଳ ଦିବସ ଅବସରରେ ଶୁଭେଛା ଜଣାଇବା ପାଇଁ ଗୋଏଲ୍ ଟୁଇଟ କରି ଲିଙ୍ଗରାଜ ମନ୍ଦିରର ବେଢା ଓ ଗର୍ଭଗୃହରେ ନିଜେ ପୂଜା କରୁଥିବା ସମୟର ଫଟୋକୁ ପୋଷ୍ଟ କରିଥିଲେ । ଯାହାକୁ ନେଇ ଏବେ ବିବାଦ ମୁଣ୍ଡ ଟେକିଛି ।
ଗତବର୍ଷ ଭୁବନେଶ୍ୱର ଆସିଥିବା ବେଳେ ସେ ଲିଙ୍ଗରାଜ ମନ୍ଦିର ଦର୍ଶନ କରିଥିଲେ ଓ ସେହି ସମୟରେ ଏହି ଫଟୋ ଉଠାଯାଇଥିବା ଜଣାପଡିଛି । ଗର୍ଭଗୃହରେ ବିଜୟ ଗୋଏଲ ଓ ଦୁଇ ସେବାୟତ ଉପସ୍ଥିତ ଥିବା ବେଳେ ଏଭଳି ଫଟୋ କିଭଳି ଉଠାଗଲା, କାହିଁକି ସେବାୟତମାନେ ବିରୋଧ କରି ନଥିଲେ ସେନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ଘଟଣାକୁ ଗୁରୁତ୍ୱର ସହ ନେଇଛି ଲିଙ୍ଗରାଜ ମନ୍ଦିର ପ୍ରଶାସନ । ମନ୍ଦିରର ଏକଜିକ୍ୟୁଟିଭ ଅଫିସର ରାଜୀବ ଲୋଚନ ପରିଡା ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି, ଯେଉଁ ଫଟୋ ଉଠାଯାଇଛି ତାହା ପାଖାପାଖି ବର୍ଷେ ତଳର । ତେବେ ଗୁରୁତ୍ୱ ଦୃଷ୍ଟିରୁ ଟୁଇଟକୁ ଡିଲିଟ୍ କରି ଦିଆଯାଇଛି। ମନ୍ଦିର ଭିତରକୁ କିଭଳି ଆଉ କେଉଁ ପରିସ୍ଥିତିରେ କ୍ୟାମେରା ଗଲା ତାର ଅନୁଧ୍ୟାନ କରାଯିବା ସହ ଆବଶ୍ୟକ ପଡିଲେ ଯେଉଁ ସେବାୟତମାନେ ଫଟୋରେ ଅଛନ୍ତି ସେମାନଙ୍କୁ ପଚରାଉଚରା କରାଯିବ ବୋଲି ମନ୍ଦିର ପ୍ରଶାସନ ତରଫରୁ କୁହାଯାଇଛି ।
କିଛିଦିନ ଆଗରୁ ବଲିଉଡ ଅଭିନେତ୍ରୀ ରବିନା ଟଣ୍ଡନ୍ ମଧ୍ୟ ବେଢା ଭିତରେ ଭିଡିଓ ସୁଟ୍ କରି ବିବାଦୀୟ ହୋଇଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଲିଙ୍ଗରାଜ ମନ୍ଦିର ପରିଦର୍ଶନ କରିବା ବେଳର ଭିଡିଓ ସିଧାପ୍ରସାରଣକୁ ମଧ୍ୟ ବିଭିନ୍ନ ସ୍ତରରେ ନାପସନ୍ଦ କରାଯାଇଥିଲା।