ବିଜେଡି ଓ ବିଜେପିକୁ ଚିନ୍ତା ଏକାଧିକ ଆଶାୟୀ; କଂଗ୍ରେସର ପ୍ରାର୍ଥୀ ଅଭାବ

ଭୁବନେଶ୍ବର: ପଞ୍ଚାୟତ ନିର୍ବାଚନ ପାଇଁ ଆଜି ପ୍ରାର୍ଥୀପତ୍ର ଦାଖଲର ଶେଷ ଦିନ। ଶେଷ ମୁହୂର୍ତ୍ତରେ ନାମାଙ୍କନ ଭରିବାକୁ ରିଟର୍ନିଂ ଅଫିସରଙ୍କ ପାଖରେ ପ୍ରାର୍ଥୀମାନଙ୍କ ଭିଡ଼ ଜମିଛି। ଆଉ ଏତିକି ବେଳେ କଂଗ୍ରେସ କହିଛି ଦଳକୁ ଘାରିଛି ପ୍ରାର୍ଥୀ ସଂକଟ। କିଛି ଦିନ ତଳେ ଦଳର ବରିଷ୍ଠ ବିଧାୟକ ତାରା ପ୍ରସାଦ ବାହିନୀପତି କହିଥିଲେ, ବିଜେଡି ଓ ବିଜେପିର ଟଙ୍କା ଦେଖି ୨ ଦଳ ପ୍ରତି ପ୍ରାର୍ଥୀଙ୍କ ଆକର୍ଷଣ ବଢ଼ୁଛି।
ଫଳରେ କଂଗ୍ରେସରେ ପ୍ରାର୍ଥୀଙ୍କ ଅଭାବ ଦେଖା ଦେଉଛି। ଏଥିରେ ଆଂଶିକ ସତ୍ୟତା ଥିବା କହିଛନ୍ତି ପିସିସି ସଭାପତି ନିରଂଜନ ପଟ୍ଟନାୟକ। ଲଗାତର ଖରାପ ପ୍ରଦର୍ଶନ କରିଆସୁଥିବା କଂଗ୍ରେସ ଦଳରେ ପ୍ରାର୍ଥୀ ସଂକଟ ଚଳିତ ପଞ୍ଚାୟତ ନିର୍ବାଚନରେ ସବୁଠାରୁ ବଡ଼ ସମସ୍ୟା ହୋଇଛି। ସେପଟେ ବିଜେଡି ଓ ବିଜେପି ପାଇଁ ଅଡ଼ୁଆ ସୃଷ୍ଟି କରିଛି ଏକାଧିକ ଆଶାୟୀଙ୍କ ସଂଖ୍ୟା। ଅସନ୍ତୁଷ୍ଟଙ୍କୁ ମନାଇ ପ୍ରାର୍ଥୀ ତାଲିକା ଚୂଡ଼ାନ୍ତ କରୁଛନ୍ତି ଦଳର ତୁଙ୍ଗ ନେତା।
ଗତ ୧୭ ତାରିଖରୁ ଆରମ୍ଭ ହୋଇଥିବା ପ୍ରାର୍ଥୀପତ୍ର ଦାଖଲ ଆଜି ସରିବ। ଏଣୁ ପ୍ରାର୍ଥୀମାନେ ନାମଙ୍କନ ଦାଖଲ ସମୟରେ ପୂର୍ବରୁ ଜାରି ଗାଇଡଲାଇନ ପାଳନ କରିବାକୁ କହିଛନ୍ତି ରାଜ୍ୟ ନିର୍ବାଚନ କମିସନ। ସେପଟେ ଶେଷ ଦିନରେ ପ୍ରାର୍ଥୀପତ୍ର ଦାଖଲ ପୂର୍ବ ୪ ଦିନ ଅପେକ୍ଷା ବଢିବାର ସମ୍ଭାବନା ରହିଛି। ଗତଚାରି ଦିନ ଭିତରେ ରାଜ୍ୟରେ ମୋଟ ୧ ଲକ୍ଷ ୩୩ ହଜାର ୫୮୪ ଜଣ ପ୍ରାର୍ଥୀ ନାମାଙ୍କନ ଦାଖଲ କରିସାରିଲେଣି। ସେଥିମଧ୍ୟରୁ ଜିଲ୍ଲାପରିଷଦ ପାଇଁ ୧୭୩୦ ଜଣ ପ୍ରାର୍ଥୀ ନାମାଙ୍କନ ଭରିସାରିଥିବା ଜଣାଯାଇଛି।

ସମ୍ବନ୍ଧିତ ଖବର