ଆଜିଠାରୁ ଶ୍ରୀମନ୍ଦିର ଗର୍ଭଗୃହ ଯାଞ୍ଚ

ପୁରୀ : ଶ୍ରୀମନ୍ଦିରରୁ ଶ୍ରୀଜିଉମାନେ ଗୁଣ୍ଡିଚା ମନ୍ଦିରକୁ ଯାତ୍ରା କରିବା ପରେ ଆସନ୍ତାକାଲି ଶ୍ରୀମନ୍ଦିର ଗର୍ଭଗୃହ ଯାଞ୍ଚ ହେବ। ବୈଷୟିକ କୋର୍‌ କମିଟିର ସଦସ୍ୟମାନେ ସୋମବାର ପୂର୍ବାହ୍ନ ୧୦ଟାରେ ଶ୍ରୀମନ୍ଦିରରେ ପହଞ୍ଚି ଗର୍ଭଗୃହ ଯାଞ୍ଚ କରିବେ। ପୂର୍ବାହ୍ନରେ ସ୍ଥିତି ଯାଞ୍ଚ ହେବା ପରେ ଅପରାହ୍ନରେ ଏ ସଂପର୍କରେ କମିଟିର ସଦସ୍ୟମାନଙ୍କ ଏକ ସମୀକ୍ଷା ବୈଠକ ପୂର୍ତ୍ତ ବିଭାଗ ଡାକବଙ୍ଗଳାରେ ଅନୁଷ୍ଠିତ ହେବ। ଏ ନେଇ ରିପୋର୍ଟ ପ୍ରସ୍ତୁତ କରାଯିବା ପରେ ଆବଶ୍ୟକ କାମକୁ ଅଗ୍ରାଧିକାର ଭିତ୍ତିରେ ମରାମତି କରାଯିବ। ଏ ସଂପର୍କରେ ଅତିରିକ୍ତ ସଚିବ ବି.କେ.ପଟ୍ଟନାୟକ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ ମହାପାତ୍ରଙ୍କୁ ଜଣାଇଛନ୍ତି। ଗତ ୪ ତାରିଖ ଦିନ ଅନୁଷ୍ଠିତ ବୈଠକର ନିଷ୍ପତ୍ତି ମୁତାବକ ଗର୍ଭଗୃହର ଯାଞ୍ଚ ହେବ। ସୂଚନାଯୋଗ୍ୟ, ଗତ ୪ ତାରିଖ ବୈଠକରେ ଶ୍ରୀମନ୍ଦିରର ଗର୍ଭଗୃହ ଓ ଜଗମୋହନର ସ୍ଥିତି ଯାଞ୍ଚ କରାଯିବାକୁ ନିଷ୍ପତ୍ତି ହୋଇଥିଲା। ଶ୍ରୀମନ୍ଦିର ପ୍ରଶାସନ, ଏଏସ୍‌ଆଇ କୋର୍‌ କମିଟି ଏବଂ ଯୁଗ୍ମ କମିଟିର ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଏହାର ଯାଞ୍ଚ ହେବ। ଆସନ୍ତାକାଲି ୧୬ ତାରିଖଠାରୁ ୨୩ ତାରିଖ ମଧ୍ୟରେ ଗର୍ଭଗୃହର ସଂରକ୍ଷଣ କାର୍ଯ୍ୟ ସରିବ। ଜଗମୋହନ ଓ ନାଟମଣ୍ଡପର ସଂଯୋଗ ସ୍ଥଳ ମରାମତି କାମ ମଧ୍ୟ କରାଯିବ ବୋଲି ଜଣାପଡିଛି।

ସମ୍ବନ୍ଧିତ ଖବର