ରାଜନଗର: ଶେଷ ପର୍ଯ୍ୟାୟ ନିର୍ବାଚନ ପ୍ରଚାରର ଶେଷ ଦିନରେ ଆଜି ରାଜନଗର ଓ ପଟ୍ଟାମୁଣ୍ତାଇ ଅଞ୍ଚଳରେ ନିର୍ବାଚନ ପର୍ଯ୍ୟବେକ୍ଷକଙ୍କ ପକ୍ଷରୁ ବିଭିନ୍ନ ସ୍ଥାନରେ ଯାଞ୍ଚ କରାଯାଇଛି। ୮ ଜଣିଆ ଟିମ୍ ରାଜନଗର ବ୍ଲକର ଗର୍ଜନପୁର ମୌଜାର ନୀଳମାଧବ ଦାଶ ଓ ସର୍ବେଶ୍ବର ମହାନ୍ତିଙ୍କ ଘରେ ଯାଞ୍ଚ କରିଥିଲେ। ଏମାନେ ବିଧାୟକ ଧ୍ରୁବ ସାହୁଙ୍କ ଅନୁଗତ ବୋଲି କୁହାଯାଉଛି। ରାଜନଗର ନିର୍ବାଚନ ମଣ୍ତଳୀ ଦାୟିତ୍ବରେ ଥିବା ନିର୍ବାଚନୀ ଖର୍ଚ୍ଚ ପର୍ଯ୍ୟବେକ୍ଷକ ଆଇଆରଏସ ଭୁବନେଶ୍ବରୀ ଏସ୍‌, କେନ୍ଦ୍ରାପଡା ସଂସଦୀୟ କ୍ଷେତ୍ର ଦାୟିତ୍ବରେ ଥିବା ନିର୍ବାଚନୀ ଖର୍ଚ୍ଚ ପର୍ଯ୍ୟବେକ୍ଷକ ଆଇଆରଏଏସ ସ୍ବାତୀ ଚୁଲେଟଙ୍କ ନେତୃତ୍ବରେ ୮ଜଣିଆ ଟିମ୍ ଏହି ଯାଞ୍ଚ କରିଥିଲେ।

Advertisment

ପ୍ରଥମେ ଏହି ଟିମ୍ ନୀଳମାଧବ ଦାଶଙ୍କ ଘରେ ପହଞ୍ଚି ଯାଞ୍ଚ କରିଥିଲେ। ତାଙ୍କ ଘରର ରୋଷେଇ ଘର, ବେଡରୁମ, ଟିଭି କଭରଠୁ ଆରମ୍ଭ କରି ୱାସିଂମେସିନ ପର୍ଯ୍ୟନ୍ତ ଯାଞ୍ଚ୍‌ କରିଥିଲେ। ଏହାପରେ ଏହି ଟିମ୍ ଏହି ମୌଜାର ସର୍ବେଶ୍ବର ମହାନ୍ତିଙ୍କ ଘରେ ଯାଞ୍ଚ କରିଥିଲେ। ସମସ୍ତ ଘର ସମେତ ରୋଷେଇ ଘର, ଘରର ଛାତ ଉପରେ ତନଖି କରିଥିଲେ। ଯାଞ୍ଚ କରି ଟିମ୍ ଫେରିଯାଇଥିଲେ ମଧ୍ୟ ଗଣମାଧ୍ୟମକୁ କୌଣସି ସୂଚନା ଦେଇନଥିଲେ। ଉଭୟଙ୍କ ଘରୁ କିଛି ମିଳି ନ ଥିବା ଜଣାପଡିଛି। ପଟ୍ଟାମୁଣ୍ତାଇ ନଗର ବିଜେଡି ସଭାପତି ଖଗେଶ୍ବର ଲେଙ୍କାଙ୍କ ଘର ଆଗରେ ଅନ୍ୟ ଏକ ଟିମ୍ ଅପରାହ୍ଣରୁ ଜଗି ରହିଛି। ତାଲା ପଡିଥିବାରୁ ସେମାନେ ଜଗି ରହିଥିବା ଜଣାପଡ଼ିଛି। ସ୍ଥାନୀୟ ପୁଲିସଙ୍କ ସହିତ କେନ୍ଦ୍ରାପଡା ଏସ୍‌ପି ଘଟଣାସ୍ଥଳରେ ପହଞ୍ଚିଛନ୍ତି। ଏହି ଘରେ ନିର୍ବାଚନୀ ଖର୍ଚ୍ଚ ପାଇଁ ବିପୁଳ ପରିମାଣରେ ଟଙ୍କା ଗଚ୍ଛିତ ଥିବା ସନ୍ଦେହ କରି ପୁଲିସ ଘର ଆଗରେ ପୁଲିସ ଜଗି ରହିଥିବା ଜଣାପଡିଛି।