୪ରେ ଖୋଲିବ ରତ୍ନଭଣ୍ଡାର

ପୁରୀ : ଆସନ୍ତା ୪ ତାରିଖରେ ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲିବ। ଉକ୍ତ ଦିନ ଶ୍ରୀମନ୍ଦିର ଦ୍ଵିତୀୟ ଭୋଗ ମଣ୍ଡପ ପରେ ଅନୁମୋଦିତ ୧୦ଜଣିଆ ଦଳ ରତ୍ନଭଣ୍ଡାରରେ ପ୍ରବେଶ କରିବେ। ନିର୍ଦିଷ୍ଟ କେତେ ସମୟରେ ଏହି କମିଟି ରତ୍ନଭଣ୍ଡାର ଯାଞ୍ଚ ସାରିବ ତାହା ସ୍ଥିର ହୋଇନଥିଲେ ବି ଯାଞ୍ଚ ଶେଷ ହେବା ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ ସାଧାରଣ ଦର୍ଶନ ବନ୍ଦ ରହିବ। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ କୁମାର ଜେନା ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେବା ପରେ ରତ୍ନଭଣ୍ଡାର ଖୋଲିବାକୁ ନେଇ ଗତ କିଛି ଦିନ ହେଲା ଲାଗି ରହିଥିବା କଳ୍ପନାଜଳ୍ପନାର ବସ୍ତୁତଃ ଅବସାନ ଘଟିଛି।

ଶ୍ରୀ ଜେନାଙ୍କ ସୂଚନା ମୁତାବକ, ରତ୍ନଭଣ୍ଡାର ସବ୍‌କମିଟି, ଶ୍ରୀମନ୍ଦିର ପରିଚାଳନା କମିଟି ଓ ଛତିଶାନିଯୋଗ ବୈଠକରେ ରତ୍ନଭଣ୍ଡାର ଯାଞ୍ଚ ନେଇ ଆଲୋଚନା ହୋଇଥିଲା। ଗତ ୨୯ ତାରିଖରେ ଛତିଶାନିଯୋଗ ବୈଠକରେ ରତ୍ନଭଣ୍ଡାର ଯାଞ୍ଚ ପାଇଁ ୧୦ଜଣିଆ ଦଳ ଗଠନ କରାଯାଇଥିଲା। ସମସ୍ତଙ୍କ ସହ ଆଲୋଚନା ପରେ ଆପାତତଃ ଏପ୍ରିଲ୍‌ ୪ରେ ରତ୍ନଭଣ୍ଡାର ଖୋଲିବାକୁ ନିଷ୍ପତ୍ତି ହୋଇଛି। କମିଟିରେ କେଉଁ କେଉଁମାନେ ରହିବେ, ସେ ନେଇ ଆସନ୍ତାକାଲି ସୁଦ୍ଧା କାର୍ଯ୍ୟାଳୟ ପକ୍ଷରୁ ଏକ ଆଦେଶନାମା ପ୍ରକାଶ ପାଇବ। ଆଦେଶନାମାରେ ଯେଉଁମାନଙ୍କ ନାଁ ରହିବ, ସେହିମାନେ ହିଁ ରତ୍ନଭଣ୍ଡାରକୁ ଯିବେ। ଏ ଭିତରେ ଏଏସ୍‌ଆଇ ୩ଜଣ ଇଂଜିନିୟରଙ୍କ ନାଁ ଦେଇସାରିଛି। ଯାହାକୁ ଯାହା ଦାୟିତ୍ଵ ଦିଆଯାଇଛି ସ୍ୱତ୍ଵଲିପି ଅନୁଯାୟୀ ସେମାନେ ସେମାନଙ୍କର ଦାୟିତ୍ଵ ତୁଲାଇବେ। ଶ୍ରୀମନ୍ଦିର ଆଇନ ଓ ସ୍ୱତ୍ଵଲିପି ଅନୁଯାୟୀ ରତ୍ନଭଣ୍ଡାରର ସଂପୂର୍ଣ୍ଣ ଯାଞ୍ଚ ପ୍ରକ୍ରିୟା ଶେଷ ହେବ। ରତ୍ନଭଣ୍ଡାର ଯାଞ୍ଚ ପରେ ୧୦ଜଣିଆ କମିଟି ଶ୍ରୀମନ୍ଦିର ଭିତରେ ବସି ଏକ ମିଳିତ ରିପୋର୍ଟ ପ୍ରସ୍ତୁତ କରିବେ। ଶ୍ରୀମନ୍ଦିର ପ୍ରଶାସନକୁ ଏହି ରିପୋର୍ଟ ଦେଲା ପରେ ଯାଞ୍ଚ ପ୍ରକ୍ରିୟା ଶେଷ ହେବ ଓ ସମସ୍ତେ ଶ୍ରୀମନ୍ଦିର ଭିତରୁ ବାହାରିବେ। ଭକ୍ତଙ୍କ ଦର୍ଶନକୁ ନଜରରେ ରଖି ଯଥାଶୀଘ୍ର ଯାଞ୍ଚ କାମ ଶେଷ କରିବାକୁ ଚେଷ୍ଟା କରାଯିବ।

ସୂଚନାଯୋଗ୍ୟ, ଶ୍ରୀମନ୍ଦିର ରେକର୍ଡ଼ ଅଫ୍‌ ରାଇଟ୍‌ସ ଅନୁସାରେ କମିଟିର ସଦସ୍ୟ ଭାବେ ଗଜପତି ମହାରାଜ ଅଥବା ତାଙ୍କ ପ୍ରତିନିଧି, ଭଣ୍ଡାର ମେକାପ, ଛତିଶାନିଯୋଗ ମହାନାୟକ ଜନାର୍ଦ୍ଦନ ପାଟ୍ଟଯୋଶୀ ମହାପାତ୍ର, ଦେଉଳକରଣ ଓ ତଢ଼ଉକରଣ ରତ୍ନଭଣ୍ଡାରକୁ ପ୍ରବେଶ କରିବେ ବୋଲି ସ୍ଥିର ହୋଇଥିଲା। ସେହିପରି ଏଏସ୍‌ଆଇର ୩ଜଣ, କୋର କମିଟିିର ଜଣେ ଓ ହାଇକୋର୍ଟର ଜଣେ ପ୍ରତିନିଧି ଯାଞ୍ଚ ପାଇଁ ରତ୍ନଭଣ୍ଡାରକୁ ଯିବେ ବୋଲି ସ୍ଥିର ହୋଇଛି। ସ୍ଥିରୀକୃତ କାର୍ଯ୍ୟପନ୍ଥା ଅନୁଯାୟୀ, ୧୦ଜଣିଆ କମିଟି ପାଇଁ ତିନି ଥାକିଆ ଯାଞ୍ଚ ବ୍ୟବସ୍ଥା କରାଯାଇଛି। ଛତିଶାନିଯୋଗର କର୍ମକର୍ତା ସେଦିନ ବେହରଣ ଦ୍ଵାର ନିକଟରେ ରହିବେ। କମିଟିର ସଦସ୍ୟମାନଙ୍କୁ ରତ୍ନଭଣ୍ଡାରରେ ପ୍ରବେଶ ପୂର୍ବରୁ ସ୍ୱତ୍ଵଲିପି ଅନୁସାରେ ଯାଞ୍ଚ କରାଯିବ। ପ୍ରଥମେ ମାଜଣା ମଣ୍ଡପ ନିକଟରେ ସେମାନଙ୍କୁ ଯାଞ୍ଚ କରାଯିବ। ସେଠାରେ କମିଟିର ସଦସ୍ୟମାନେ ପିନ୍ଧିଥିବା ପୋଷାକ ଓହ୍ଲାଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଦିଆଯାଇଥିବା ଗାମୁଛା ଓ ଅନ୍ୟାନ୍ୟ ଜିନିଷ ପରିଧାନ କରିବେ। ପରେ ପୁନର୍ବାର ବେହରଣ ଦ୍ଵାର ନିକଟରେ ଦ୍ଵିତୀୟ ଯାଞ୍ଚ କରାଯିବ। ସେଠାରେ ପୁଲିସ ଓ ଅନ୍ୟ ସୁରକ୍ଷା କର୍ମୀମାନେ ସେମାନଙ୍କୁ ଯାଞ୍ଚ କରିବେ। ଶେଷରେ ରତ୍ନଭଣ୍ଡାର ନିକଟରେ ଯାଞ୍ଚ ହେବ। ସେଠାରେ ଭଣ୍ଡାର ମେକାପ କମିଟି ସଦସ୍ୟଙ୍କୁ ଯାଞ୍ଚ କରିବେ। ପରେ କମିଟିର ସଦସ୍ୟମାନେ ରତ୍ନଭଣ୍ଡାରରେ ପ୍ରବେଶ କରିବେ। ଯାଞ୍ଚ ପାଇଁ ଯିବା ପୂର୍ବରୁ କମିଟିର ସଦସ୍ୟମାନେ ଲୋକନାଥଙ୍କ ମନ୍ଦିରକୁ ଯିବେ। ଯାହାକିଛି ସ୍ୱଚକ୍ଷୁରେ ଦେଖିଲେ ସେ ଉପରେ ବାହାରେ କାହାରି ଆଗରେ ପ୍ରକାଶ କରିବେନି ବୋଲି ଲୋକନାଥଙ୍କ ପ୍ରସାଦ ଛୁଇଁ ସଂକଳ୍ପ ନେବେ। ଅଘଟଣ ଆଶଙ୍କାକୁ ଏଡ଼ାଇବା ପାଇଁ ରତ୍ନଭଣ୍ଡାରକୁ ପ୍ରବେଶ ପୂର୍ବରୁ କିଛି ସମୟ ଏହାର ଦ୍ଵାର ଖୋଲା ରହିବ। ଏହାପରେ ସଦସ୍ୟମାନେ ଭିତରକୁ ପ୍ରବେଶ କରିବେ। ନିଶ୍ୱାସପ୍ରଶ୍ୱାସରେ ଅସୁବିଧା ନହେବା ପାଇଁ ଏଠାରେ ସ୍ୱତନ୍ତ୍ର ମେସିନ୍‌ର ବ୍ୟବସ୍ଥା କରାଯିବ। ବାୟୁ ସଂଚାଳନ ତଥା ଭିତରର ବାୟୁ ବାହାରକୁ ଓ ବାହାରର ବାୟୁ ଭିତରକୁ ଛାଡ଼ିବା ପାଇଁ ଏହି ବ୍ୟବସ୍ଥା କରାଯାଇଛି।

ସମ୍ବନ୍ଧିତ ଖବର