ଭୁବନେଶ୍ବର : ନିର୍ମାଣାଧୀନ ତାଳଚେର-ବିମଳାଗଡ଼ ନୂତନ ରେଳ ଲାଇନର ତାଳଚେର-ସୁନାଖଣି-ପରବିଲ୍ ରେଳ ସେକ୍ସନ୍ର ନିରୀକ୍ଷଣ କରାଯାଇଛି। ପୂର୍ବତଟ ରେଳପଥ ମହାପ୍ରବନ୍ଧକ ରୂପ ନାରାୟଣ ସୁନକର ଆଜି ଏହି ବହୁ ପ୍ରତିକ୍ଷୀତ ରେଳ ଲାଇନ ପ୍ରକଳ୍ପର ୧୬.୩୧ କିମି ଦୈର୍ଘ୍ୟ ସୁନାଖଣି-ପରବିଲ ରେଳ ସେକ୍ସନ୍ର ନିର୍ମାଣ କାର୍ଯ୍ୟ ଯାଞ୍ଚ ସହ ବିଭିନ୍ନ ଭିତ୍ତିଭୂମି କାର୍ଯ୍ୟର ନିରୀକ୍ଷଣ କରିଛନ୍ତି। ଏହି ନୂତନ ରେଳ ଲାଇନରେ ନିର୍ମାଣ କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଗତ ଅନୁଗୁଳ ଓ ତାଳଚେର ଅଞ୍ଚଳ ଗସ୍ତ ସମୟରେ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଫଳରେ ତାଳଚେର-ବିମଳାଗଡ ରେଳ ପ୍ରକଳ୍ପ ଏହି ଅଞ୍ଚଳର ଖଣିଜ ସମୃଦ୍ଧ ସ୍ଥାନଗୁଡ଼ିକୁ ରେଳ ସଂଯୋଗ ସୁଦୃଢ଼ କରିବ।
ରାଉରକେଲା ଓ ତାଳଚେର ମଧ୍ୟରେ ଦୂରତାକୁ ଯଥେଷ୍ଟ ହ୍ରାସ କରାଇବା ସହ ଅର୍ଥନୈତିକ ଅଭିବୃଦ୍ଧି ଆଣିପାରିବ। ଏହି ପ୍ରକଳ୍ପ ଅନୁଗୁଳ ଜିଲ୍ଲା ମଧ୍ୟରେ ପ୍ରାୟ ୭୯କିମି, ଦେବଗଡ଼ରେ ୩୨କିମି ଓ ସୁନ୍ଦରଗଡ଼ ଜିଲ୍ଲାର ୩୯କିମି ରହିଛି। ଜମି ଅଧିଗ୍ରହଣ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା, ଦେବଗଡ଼ ଏବଂ ସୁନ୍ଦରଗଡ଼ ଜିଲ୍ଲାର ଅନ୍ୟାନ୍ୟ ପ୍ରତିବନ୍ଧକକୁ ସମାଧାନ କରି ବିମଲାଗଡ଼ ପାର୍ଶ୍ୱରୁ ଏହି ପ୍ରକଳ୍ପ ନିର୍ମାଣ କରିବାକୁ ଶ୍ରୀ ସୁନକର ଆଶାବ୍ୟକ୍ତ କରିଛନ୍ତି। ଏହାବ୍ୟତୀତ ଶ୍ରୀ ସୁନକର ମଞ୍ଚେଶ୍ୱରରୁ ତାଳଚେର/ସୁନାଖଣି ପର୍ଯ୍ୟନ୍ତ ୱିଣ୍ଡୋ ଟ୍ରେଲ୍ ଯାଞ୍ଚ କରିବା ସହ ଟ୍ରେନ୍ ଚଳାଚଳ କ୍ଷେତ୍ରରେ ସୁରକ୍ଷା ଦିଗରେ ପଦକ୍ଷେପଗୁଡ଼ିକୁ ନିରୀକ୍ଷଣ କରିଥିଲେ। ପୂର୍ବତଟ ରେଳପଥର ମୁଖ୍ୟ ପ୍ରଶାସନିକ ଅଧିକାରୀ(ନିର୍ମାଣ)ଙ୍କ ସହ ରେଳପଥ ମୁଖ୍ୟାଳୟର ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ, ଖୋର୍ଦ୍ଧା ରୋଡ ରେଳ ମଣ୍ଡଳରେ ମଣ୍ଡଳ ରେଳବାଇ ପ୍ରବନ୍ଧକ ରିଙ୍କେଶ ରୟ ପ୍ରମୁଖ ନିରୀକ୍ଷଣ ସମୟରେ ଉପସ୍ଥିତ ଥିଲେ।