ନିଜ ବନ୍ଧୁକ ଗୁଳିରେ ଇନ୍ସପେକ୍ଟର୍‌ ଗୁରୁତର

କୋଟଗଡ : କନ୍ଧମାଳ ଜିଲ୍ଲା କୋଟଗଡ଼ ବ୍ଲକ ଶ୍ରୀରାମପୁର ୮ମ ବାଟାଲିୟନ ସିଆରପିଏଫ କ୍ୟାମ୍ପରେ ଏକ ଅଘଟଣ ଘଟିଯାଇଛି। ବାଟାଲିୟନର ଇନ୍ସପେକ୍ଟର ଶୁକଦେବ୍‌ ସି˚ ପାରେ ନିଜ ବନ୍ଧୁକ ଗୁଳିରେ ଗୁରୁତର ହୋଇଛନ୍ତି। ଗୁରୁତର ଅବସ୍ଥାରେ ଶୁକଦେବଙ୍କୁ କୋଟଗଡ଼ ମେଡିକାଲକୁ ନିଆଯାଇ ପ୍ରାଥମିକ ଚିକିତ୍ସା କରାଯାଇଥିଲା। ପରେ ଅବସ୍ଥା ଗୁରୁତର ଥିବାରୁ ବାଲିଗୁଡା ଉପଖଣ୍ତ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। ବାଲିଗୁଡାରେ ଡାକ୍ତରମାନେ ଏକ ଘଣ୍ଟା ଧରି ଚିକିତ୍ସା କରିବା ପରେ ସ୍ବାସ୍ଥ୍ୟାବସ୍ଥା ସଂକଟାପନ୍ନ ଥିବାରୁ ତାଙ୍କୁ ଭୁବନେଶ୍ବର ସ୍ଥାନାନ୍ତର ପାଇଁ ପରାମର୍ଶ ଦେଇଥିଲେ।

ଆଜି ସକାଳ ୮ଟାରେ ଶ୍ରୀରାମପୁର ୮ମ ବାଟାଲିୟନ କ୍ୟାମ୍ପରୁ ହଠାତ ଏକ ଗୁଳି ଶବ୍ଦ ଶୁଭିଥିଲା। ଗୁଳି ଶବ୍ଦ ଶୁଣି କ୍ୟାମ୍ପରେ ଥିବା ଯବାନମାନେ ଯାଇ ଦେଖିବା ବେଳକୁ ଇନ୍ସପେକ୍ଟର ଶୁକଦେବଙ୍କ ମୁହଁରେ ଗୁଳି ବାଜି ରକ୍ତାକ୍ତ ଅବସ୍ଥାରେ ତଳେ ପଡ଼ି ଛଟପଟ ହେଉଥିଲେ। ନିକଟରେ ଥିବା ସହକର୍ମୀ ତୁରନ୍ତ ତାଙ୍କୁ ହସ୍‌ପିଟାଲଲକୁ ସ୍ଥାନାନ୍ତର କରିଥିଲୋ ବର୍ତମାନ ପର୍ଯ୍ୟନ୍ତ ଉପଖଣ୍ତ ଆରକ୍ଷୀ ଅଧିକାରୀ କିମ୍ବା ସିଆରପିଏଫ ବାଟାଲିୟନର କୌଣସି ଅଧିକାରୀ ଓ ସହଯୋଗୀ ଘଟଣା ସମ୍ପର୍କରେ କିଛି ମୁହଁ ଖୋଲି ନାହାନ୍ତି। ସଠିକ୍‌ ଖବର ମିଳି ନଥିବାରୁ ଏହା ଆତ୍ମହତ୍ୟା ଉଦ୍ୟମ ନା’ ଆଉ କିଛି ତାହା ଅସ୍ପଷ୍ଟ ରହିଛି। ଆହତ ଇନିସପେକ୍ଟର ଶୁକଦେବଙ୍କ ଘର ବ୍ରହ୍ମପୁରରେ ବୋଲି ଜଣାପଡିଛି।

ସମ୍ବନ୍ଧିତ ଖବର