ବାରିପଦା (ବଟକୃଷ୍ଣ ବିହାରୀ): କରୋନା ବଦଳାଇ ଦେଲା ବୃତ୍ତି। ରୋଜଗାର ପନ୍ଥା ବନ୍ଦ ହୋଇଗଲା। ମାନସିକ ଚିନ୍ତାରେ ଥିବା ସ୍ବାମୀଙ୍କୁ ସାଥ୍ ଦେଲେ ପତ୍ନୀ। ମନୋବଳ ଦୃଢ କରିବା ସହ ଭାଙ୍ଗି ନପଡ଼ିବାକୁ ସବୁବେଳେ କହୁଥିଲେ। ପରବର୍ତ୍ତୀ ସମୟରେ ପତ୍ନୀଙ୍କ ସାଥ୍ ପାଇ ଠିକାଦାରରୁ ସଫଳ ଚାଷୀ ବନିଗଲେ ନୀଳକଣ୍ଠ। ଏବେ ନୀଳକଣ୍ଠ ସ୍ବାବଲମ୍ବୀ ହେବା ସହ ଚାଷରୁ ବାର୍ଷିକ ୫ରୁ ୬ ଲକ୍ଷ ଟଙ୍କା ରୋଜଗାର କରିବାରେ ସଫଳ ହୋଇପାରିଛନ୍ତି। ଠିକାଦାରରୁ ସଫଳ ଚାଷୀ ପାଲଟିଥିବା ଏହି ବ୍ୟକ୍ତି ଜଣକ ହେଉଛନ୍ତି ବାଙ୍ଗିରପୋଷି ବ୍ଲକ୍ ସଦର ମହକୁମାରୁ ୭ କିମି ଦୂର ଶ୍ୟାମସୁନ୍ଦରପୁର ଗାଁର ନୀଳକଣ୍ଠ ଦାସ। ତାଙ୍କ ପରିବାର କହିଲେ ବାପା, ମା’ ପତ୍ନୀ ଓ ଗୋଟିଏ ପୁଅ ଓ ଝିଅ। ଯୁକ୍ତ ୨ ପାଠ ପଢିଥିବା ନୀଳକଣ୍ଠ ପ୍ରଥମେ ଏକ ଘରୋଇ କମ୍ପାନିରେ ଚାକିରି କରିଥିଲେ। ପରେ କମ୍ପାନି ବନ୍ଦ ହୋଇଯିବାରୁ ଠିକାଦାରୀ କାମ କରିବାକୁ ମନ ବଳାଇଲେ। କିଛି ବର୍ଷ ଠିକାଦାରୀ କାମ କଲେ। ଏଥିରୁ ଦିପଇସା ବି ରୋଜଗାର ହେଲା। ତେବେ ୨୦୨୦ରେ କରୋନା ମହାମାରୀ ଆସିବାପରେ ତାଙ୍କ ଜୀବନର ମୋଡ଼ ବଦଳିଗଲା। ଠିକାଦାରୀ କାମ ସମ୍ପୂର୍ଣ୍ଣ ବନ୍ଦ ହୋଇଗଲା, ରୋଜଗାର ନଥିବାରୁ ଦିନରାତି ମାନସିକ ଚାପରେ ରହିଲେ ନୀଳକଣ୍ଠ। ଏହି ସମୟରେ ପତ୍ନୀ ସଂଯୁକ୍ତା ତାଙ୍କୁ ସାଥ୍ ଦେଇଥିଲେ। ନିଜର ୧୦ ଏକର ଜମିରେ ଚାଷ କରିବାକୁ ସ୍ବାମୀଙ୍କୁ ବୁଝାଇଥିଲେ। ପତ୍ନୀଙ୍କ ସହଯୋଗ ପାଇବା ପରେ ଚାଷ ପାଇଁ ନିଜକୁ ମାନସିକସ୍ତରରେ ପ୍ରସ୍ତୁତ କରିନେଲେ ନୀଳକଣ୍ଠ। ପ୍ରଥମେ ଦେଢ ଏକର ଜମିରେ ଦୁଇଟି ପୋଖରୀ ଖୋଳିଥିଲେ। ଏଥି ନିମନ୍ତେ ମତ୍ସ୍ୟ ବିଭାଗ ତାଙ୍କୁ ସହଯୋଗର ହାତ ବଢାଇଥିଲା। ଦୁଇ ପୋଖରୀ ଖୋଳିବା ବାବଦରେ ୬ ଲକ୍ଷ ଖର୍ଚ୍ଚ ହୋଇଥିବା ବେଳେ ସେଥିରୁ ୪୦ ପ୍ରତିଶତ ଅର୍ଥ ଛାଡ଼ କରାଯାଇଥିଲା। ମାଛ ଚାଷ ସହ ବିଭିନ୍ନ ପନିପରିବା ଚାଷ ଆରମ୍ଭ କରିଥିଲେ। ମାଛ ଚାଷରୁ ବର୍ଷକୁ ୩ ଲକ୍ଷ ଏବଂ ଅନ୍ୟାନ୍ୟ ଚାଷରୁ ପାଖାପାଖି ୩ ଲକ୍ଷ। ଏମିତି କହିବାକୁ ଗଲେ ଖର୍ଚ୍ଚ ଯାଇ ବର୍ଷକୁ ୫ରୁ ୬ ଲକ୍ଷ ଟଙ୍କା ଚାଷରୁ ଲାଭ ହେଉଛି ବୋଲି ନୀଳକଣ୍ଠ କହିଛନ୍ତି।
ଚାଷ କାର୍ଯ୍ୟରେ ପତ୍ନୀ ସବୁବେଳେ ସାହାଯ୍ୟ କରି ଆସୁଥିବା ବେଳେ ଚାଷରୁ ମିଳୁଥିବା ଆୟରେ ପରିବାର ବେଶ୍ ଭଲରେ ଚଳୁଛି। ଆଉ ପିଲାଙ୍କ ଉଚ୍ଚଶିକ୍ଷା ପାଇଁ କୌଣସି ସମସ୍ୟା ନାହିଁ ବୋଲି କହନ୍ତି ନୀଳକଣ୍ଠ। ଏବେ ଠିକାଦାରୀ କି ଅନ୍ୟ କିଛି କାମ ଦରକାର ନାହିଁ। ଚାଷ ଅଛି ତ ସବୁ ଅଛି ବୋଲି ନୀଳକଣ୍ଠ କହିଛନ୍ତି। ତେବେ ସରକାରୀ ପ୍ରୋତ୍ସାହନ ମିଳିଲେ ଚାଷକୁ ଆହୁରି ବ୍ୟାପକ ଭାବେ କରି ପାରନ୍ତେ ବୋଲି ସେ କହିଛନ୍ତି। ସେହିପରି ମାଛ ଓ ପରିବା ସାଇତି ରଖିବା ନିମନ୍ତେ ଏକ ଶୀତଳଭଣ୍ଡାର ନିର୍ମାଣ କରିବାର ଯୋଜନା ବି ରଖିଛନ୍ତି। ନୀଳକଣ୍ଠ ଏବେ ଅନ୍ୟମାନଙ୍କ ପାଇଁ ପ୍ରେରଣା ସାଜିଥିବା ବେଳେ ନିକଟରେ ଭୁବନେଶ୍ବରର କୃଷି ବିଭାଗର ଏକ ଉଚ୍ଚସ୍ତରୀୟ ଟିମ୍ ତାଙ୍କ ଚାଷବାସ ଦେଖିବାକୁ ଆସି ପତି-ପତ୍ନୀଙ୍କ ପ୍ରଶଂସା କରିଥିଲେ। ପତ୍ନୀଙ୍କ ପ୍ରେରଣା ହିଁ ତାଙ୍କୁ ଆଜି ସଫଳତା ଦେଇଥିବା ମୁକ୍ତକଣ୍ଠରେ ସ୍ବୀକାର କରନ୍ତି ନୀଳକଣ୍ଠ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/06/30.jpg)