ଦେଓଗାଁ, (କିଶୋର ସାହୁ): ସୁରୁବାଲି ସାହୁ। ବଲାଙ୍ଗୀର ଜିଲ୍ଲା ଦେଓଗାଁ ବ୍ଲକ୍ ସାରସମାଲ ପଞ୍ଚାୟତର ସାରସମାଲ ଗାଁର ଜଣେ ଗରିବ ମହିଳା। ତାଙ୍କ ଘର କହିଲେ ସେ, ତାଙ୍କ ସ୍ବାମୀ, ପୁଅ, ଝିଅ ୪ ପ୍ରାଣୀ କୁଟୁମ୍ବ। ତାଙ୍କ ସ୍ବାମୀ ଜଣେ ଦିନ ମଜୁରିଆ। ଜଣେ ସାଧାରଣ ସ୍ତ୍ରୀଲୋକ ଭାବେ ପରିବାରକୁ ଚଳାଇବା ତାଙ୍କ ପାଇଁ କଷ୍ଟକର ଥିଲା।
୨୦୧୬ ମସିହା ପରଠାରୁ ତାଙ୍କର ଯାତ୍ରା ଭିନ୍ନ ହେଲା। ସ୍ବାବଲମ୍ବୀ ହେବା ପାଇଁ ସେ ଉଦ୍ୟମ ଆରମ୍ଭ କଲେ। ସେହିବର୍ଷ ଓଡ଼ିଶା ଜୀବିକା ମିଶନର ପ୍ରୋତ୍ସାହନରେ ସି.ଆର.ପି ଗୋଷ୍ଠୀ ସହାୟିକା ଭାବେ ମନୋନୀତ ହୋଇଥିଲେ। ପରେ ସେ ‘ଧରିତ୍ରୀ’ ନାମକ ଏକ ସ୍ବୟଂସହାୟକ ଗୋଷ୍ଠୀରେ ସାମିଲ ହୋଇଥିଲେ। ସ୍ବୟଂ ସହାୟକ ଗୋଷ୍ଠୀ ଉପରେ ଗୋଟିଏ ମାସ ପାଇଁ ତାଲିମ ନେଇଥିଲେ। ଏହାପରେ ତାଙ୍କର ପ୍ରକୃତ ଯାତ୍ରା ଆରମ୍ଭ ହୋଇଥିଲା।
ଜଣେ ଏ.ସି.ଆର୍.ପି.(ବାହ୍ୟ ଗୋଷ୍ଠୀ ସହାୟିତା) ଭାବେ ସେ ବଲାଙ୍ଗୀର ସହ ନୂଆପଡ଼ା, କୋରାପୁଟ ଜିଲ୍ଲାର ବିଭିନ୍ନ ବ୍ଲକ୍ରେ ହାରାହାରି ୩୫୦ରୁ ଅଧିକ ସ୍ବୟଂ ସହାୟକ ଗୋଷ୍ଠୀ, ୬୦ଟି ଗାଁସ୍ତରୀୟ ଆଞ୍ଚଳିକ ମଞ୍ଚ ଗଠନ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ତାଙ୍କରି ପ୍ରେରଣା ପାଇ ‘ଧରିତ୍ରୀ’ ପ୍ରଥମବର୍ଷ ମାଛ ଚାଷ କରିଥିଲେ। ଏଥିରେ ସେମାନେ ୭୦ହଜାର ଟଙ୍କା ଲାଭବାନ ହୋଇଥିଲେ। ବର୍ତ୍ତମାନ ସାଇରାମ ଉତ୍ପାଦକ ଦଳ ଓ ଧରିତ୍ରୀ ଏସ୍ଏଚ୍ଜିର ମିଳିତ ଭାବେ ହଳଦୀ ଗୁଣ୍ଡ ବ୍ୟବସାୟ କରୁଛନ୍ତି। କନ୍ଧମାଳ ଜିଲ୍ଲାରୁ ଗୋଟା ହଳଦୀ କେଜି ପ୍ରତି ୬୦ଟଙ୍କାରେ କିଣି ତାହାକୁ ପ୍ରକ୍ରିୟାକରଣ କରିବା ପରେ ପ୍ରତି ପ୍ୟାକେଟ୍କୁ ୧୦୦ ଟଙ୍କାରେ ବିକ୍ରୟ କରୁଛନ୍ତି। ଏହାକୁ ବିଭିନ୍ନ ସ୍କୁଲ, ଅଙ୍ଗନବଡ଼ି କେନ୍ଦ୍ରକୁ ପଠାଉଛନ୍ତି। ଏଥିସହିତ, ନିକଟସ୍ଥ ବଜାରରେ ବିକ୍ରୟ କରୁଛନ୍ତି। ଫଳରେ, ଏଥିରେ ସମ୍ପୃକ୍ତ ମହିଳାମାନେ ଆର୍ଥିକ ଦୃଷ୍ଟିରୁ ସ୍ବାବଲମ୍ବୀ ହୋଇପାରିଛନ୍ତିି।
ଏଥିସହିତ, ସାମାଜିକ କ୍ଷେତ୍ରରେ ମଧ୍ୟ ସେମାନଙ୍କ ଗୁରୁତ୍ବ ବୃଦ୍ଧି ପାଇଛି। ନିଜର ନିଷ୍ଠା ଓ କର୍ମତତ୍ପରତା ବଳରେ ସଫଳତା ପାଇଥିବା ସୁରୁବାଲି ମଧ୍ୟ ଭବିଷ୍ୟତକୁ ନେଇ ବେଶ୍ ଆଶାବାଦୀ। ସେ କୁହନ୍ତି େଯ, ‘ଆଗାମୀ ଦିନରେ ଏକ ବଡ଼ ପ୍ରକ୍ରିୟାକରଣ ମେସିନ୍ କିଣି ଅଧିକ ମହିଳାମାନଙ୍କୁ ନିଯୁକ୍ତି ଉପରେ ଉପରେ ଗୁରୁତ୍ବ ଦେବି।’
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/01/SBP-FICCI-Surubali-Sahu.jpg)