ଯାଜପୁର,(ପ୍ରଦୀପ କୁମାର ମହାପାତ୍ର ): କେନ୍ଦୁଝର ଏବଂ ଯାଜପୁର ଦୁଇଟି ପଡ଼ୋଶୀ ଜିଲ୍ଲା। କେନ୍ଦୁଝର ଖଣିଜ ସଂପଦରେ ଭରପୂର ଜିଲ୍ଲା। ଅପରପକ୍ଷରେ ଶିଳ୍ପାଞ୍ଚଳ ପାଇଁ ଯାଜପୁରର ପ୍ରସିଦ୍ଧି। ଏହି ଦୁଇଟି ସମୃଦ୍ଧ ଜିଲ୍ଲାର ଭୂମିପୁତ୍ରମାନେ କିନ୍ତୁ ଅସୁରକ୍ଷିତ। ବଡ଼ବଡ଼ କଂପାନି ଆସି ଏଠାରୁ ଖଣିଜ ଉତ୍ତୋଳନ କରି ହଜାର ହଜାର କୋଟି ଟଙ୍କା କମାଉଛନ୍ତି, ଏଠାରେ ଶ୍ରମିକଙ୍କ ହାତକୁ କାମ ନାହିଁ। ଧୂଳିଧୂଆଁରେ କଲବଲ ହୋଇ ଲୋକେ ଜୀବନ ହରାଉଛନ୍ତି ଅଥଚ ଏମାନଙ୍କ ଅଞ୍ଚଳରୁ ଖଣିଜ ଉତ୍ତୋଳନ କରୁଥିବା ଆରବପତି ଶିଳ୍ପପତିମାନେ ରାଜା ମହାରାଜାଙ୍କ ଭଳି ବିଳାସପୂର୍ଣ୍ଣ ଜୀବନ କାଟୁଛନ୍ତି।
କେନ୍ଦୁଝର ଜିଲ୍ଲାରେ ପୂର୍ବରୁ ୧୦୩ଟି ଖଣି କାର୍ଯ୍ୟକ୍ଷମ ଥିଲା। ବର୍ତ୍ତମାନ ମାତ୍ର ୨୭ଟି କାର୍ଯ୍ୟକ୍ଷମ। କେବଳ ଯୋଡ଼ା ଖଣି ଅଞ୍ଚଳ କଥା ଦେଖିଲେ ଏଠାରେ ୨୦୦୯-୧୦ ମସିହା ବେଳକୁ ବିଭିନ୍ନ ଖଣିରେ ୪୦ରୁ ୫୦ ହଜାର ଶ୍ରମିକ କାମ କରୁଥିଲେ। ଏମାନଙ୍କ ମଧ୍ୟରେ ଅଣକୁଶଳୀ ଶ୍ରମିକଙ୍କ ସଂଖ୍ୟା ଥିଲା ସର୍ବାଧିକ। ହେଲେ ଏବେ ପରିସ୍ଥିତି ବଦଳିଯାଇଛି। ଯୋଡ଼ାର ବିଭିନ୍ନ ଖଣିରେ ଏବେ ପ୍ରାୟ ୪ ହଜାର ଶ୍ରମିକ କାମ କରୁଛନ୍ତି। ଯେଉଁମାନଙ୍କୁ ଏଠାରେ ଶ୍ରମିକ ବୋଲି ଗଣାଯାଉଛି ସେଥିରୁ ୯୦ ପ୍ରତିଶତରୁ ଅଧିକ ହେଉଛନ୍ତି କୁଶଳୀ ଶ୍ରମିକ। ଦେଖିବାକୁ ଗଲେ ଏବେ ଏଠାରେ ଅଣକୁଶଳୀ ଶ୍ରମିକଙ୍କ ସ୍ଥାନ ନାହିଁ। ଉଦାହରଣ ସ୍ବରୂପ ଲଙ୍ଗାକଟା ଓଏମ୍ସି ଖଣିରେ ପୂର୍ବରୁ ୨୫୦୦ ଶ୍ରମିକ ଥିବା ବେଳେ ଏବେ ମାତ୍ର ୬୦ ଜଣରେ କାମ ହେଉଛି। ସେହିପରି ଜଜାଙ୍ଗ ଖଣିରେ ପୂର୍ବରୁ ୨୦୦ ଶ୍ରମିକ କାମ କରୁଥିବା ବେଳେ ଏବେ ଅଛନ୍ତି ୪ଶହ। ବର୍ତ୍ତମାନ ସବୁଖଣି ଏବେ ମେସିନ୍ ଦ୍ବାରା ପରିଚାଳିତ। ତେଣୁ ଅଣକୁଶଳୀ ଶ୍ରମିକଙ୍କ ପାଇଁ ଆଉ କାମ ନାହିଁ।
ସେହିଭଳି ଯାଜପୁର ଜିଲ୍ଲା କଳିଙ୍ଗନଗରରେ ଏକଦା ୧୩ଟି ବଡ଼ ଶିଳ୍ପ ସାଂଗକୁ ଅନେକ ଛୋଟ ଶିଳ୍ପ ବି ଗଢ଼ି ଉଠିଥିଲା। ଏବେ ଅନେକ ଶିଳ୍ପ ରୁଗ୍ଣ ହୋଇ ବନ୍ଦ ହୋଇଯିବାରୁ ଶିଳ୍ପାଞ୍ଚଳକୁ ଘାରିଛି ଜୀବିକା ଚିନ୍ତା। ପୂର୍ବପୁରୁଷଙ୍କ ଜମିକୁ ଶିଳ୍ପ ସଂସ୍ଥା ହାତରେ ଟେକି ଦେଇଥିବା ଲୋକେ ଏବେ ପର ହାତଟେକାକୁ ଅନାଇ କାଳ କାଟୁଛନ୍ତି। ସୁକିନ୍ଦା କ୍ରୋମ୍ ଉପତ୍ୟକାରେ ମଧ୍ୟ ସମାନ ଅବସ୍ଥା। ୧୯୪୯ ମସିହାରେ ମିଶ୍ରିଲାଲ୍ କମ୍ପାନି ପ୍ରଥମେ ସାରୁଆବିଲ କ୍ରୋମାଇଟ୍ ଖଣିରେ କ୍ରୋମ୍ ଉତ୍ତୋଳନ ଆରମ୍ଭ କରିଥିଲା। କମ୍ପାନି ମାଲିକାନାରେ ପର୍ଯ୍ୟାୟ କ୍ରମେ ୩ଟି କ୍ରୋମାଇଟ୍ ଖଣି ରହିଥିଲା। ୨୦୨୦ ଏପ୍ରିଲ ମାସରୁ ଏହି ଖଣି ଟାଟା ଗ୍ରୁପ୍ ଅଧୀନ ଟିଏସ୍ଏମ୍ଏଲ୍ କମ୍ପାନି ମାଲିକାନାକୁ ଯାଇଛି।
ଓଡ଼ିଶା ଖଣି ନିଗମ ୧୯୫୬ ମସିହାରେ କଲରଙ୍ଗିରେ ପ୍ରଥମେ କ୍ରୋମ୍ ଉତ୍ପାଦନ କରିଥିଲା। ପର୍ଯ୍ୟାୟ କ୍ରମେ କଲରଙ୍ଗି ଅଞ୍ଚଳରେ ୫ଟି, ଢେଙ୍କାନାଳ ଜିଲ୍ଲା ଅନ୍ତର୍ଗତ କାଠପାଳ ଅଞ୍ଚଳରେ ୩ଟି ଓ ବିରାଶାଳ ଅଞ୍ଚଳରେ ଗୋଟିଏ, କାଳିଆପାଣିରେ ୩ଟି, ଦକ୍ଷିଣ କାଳିଆପାଣି ଅଞ୍ଚଳରେ ୨ଟି ଓ ସୁକୁରଙ୍ଗି କ୍ରୋମାଇଟ୍ ଖଣି ଲିଜ୍ ଏରିଆରେ ୨ଟି ଖଣି ଏହିପରି ମୋଟ୍ ୧୬ଟି ଖଣିକୁ କାର୍ଯ୍ୟକ୍ଷମ କରାଇ ପାରିଥିଲା। ୧୯୯୮ ମସିହାରୁ କଲରଙ୍ଗି କ୍ରୋମାଇଟ୍ ଖଣି, ୨୦୦୪ ମସିହାରୁ କାଠପାଳ କ୍ରୋମାଇଟ୍ ଖଣି ଓ ୨୦୦୭ ମସିହାରୁ କାଳିଆପାଣି କ୍ରୋମାଇଟ୍ ଖଣି ଅଚଳ ହୋଇ ପଡ଼ିରହିଛି।
ସୁକିନ୍ଦା କ୍ରୋମ୍ ଉପତ୍ୟକାରେ ୩ୟ କମ୍ପାନି ଭାବେ ଟାଟାଷ୍ଟିଲ ୧୯୬୦ରେ ଖଣି ବ୍ୟବସାୟ ଆରମ୍ଭ କରିଥିଲା। ୧୯୯୯ରୁ ସରକାର ଟାଟାଷ୍ଟିଲ କମ୍ପାନିର ଲିଜ୍କୁ ଭାଗ ଭାଗ କରି ଇମ୍ଫା, ଜିନ୍ଦଲ, ବାଲେଶ୍ବର ଆଲଏଜ୍ ଓ ଫେକର କମ୍ପାନିକୁ ହସ୍ତାନ୍ତର କରିଥିଲେ। ୨୦୨୦ ମସିହା ନିଲାମ ପ୍ରକ୍ରିୟା ବେଳକୁ ଟାଟା ଗ୍ରୁପ୍ ଅଧୀନ ଟିଏସ୍ଏମ୍ଏଲ୍ କମ୍ପାନି ୩ଟି ଖଣିକୁ ନିଜ ଅକ୍ତିଆରକୁ ନେଇଛି। ଏକଦା ଏଠାରେ ୨୫ ହଜାରରୁ ଅଧିକ ଶ୍ରମିକ କର୍ମନିଯୁକ୍ତି ପାଇଥିଲେ। ଏବେ ବିଭିନ୍ନ ଖଣିରେ ମେକାନିକାଲ ମାଇନିଂ(ଯାନ୍ତ୍ରିକ ପଦ୍ଧତି)ରେ ଖଣି ଖନନ ୩ ହଜାର ଶ୍ରମିକ କାମ କରୁଛନ୍ତି। ଖଣି ଅଞ୍ଚଳରେ ସୃଷ୍ଟି ହେଉଥିବା ଅସ୍ଥିରତା ଏବଂ ଅରାଜକତା ପାଇଁ ମୁଖ୍ୟତଃ ଶ୍ରମିକଙ୍କୁ କାମ ଦେବାରେ ବିଫଳ ହେବା ଦାୟୀ। ସରକାର ଏହା ଉପରେ ବିଚାର ନକଲେ ପରିସ୍ଥିତି ଅଧିକ ବିଗିଡ଼ିଯିବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/07/mines1.jpg)