ସେପ୍ଟେମ୍ବର ୧୩ରେ ଯୁକ୍ତ୨ ଇନ୍‌ଷ୍ଟାଣ୍ଟ ପରୀକ୍ଷା

ଭୁବନେଶ୍ବର : ସେପ୍ଟେମ୍ବର ୧୩ ଓ ୧୪ ତାରିଖରେ ଯୁକ୍ତ୨ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ବିଭାଗର ଇନ୍‌ଷ୍ଟାଣ୍ଟ ପରୀକ୍ଷା ଅନୁଷ୍ଠିତ ହେବ। ଏଥିପାଇଁ ଆସନ୍ତା ୨୨ରୁ ୨୪ ତାରିଖ ମଧ୍ୟରେ ଛାତ୍ରଛାତ୍ରୀ ଅନ୍‌ଲାଇନ୍‌ରେ ଫର୍ମ ପୂରଣ କରିପାରିବେ। ଅଗଷ୍ଟ ୨୫ ଓ ୨୬ରେ ପରୀକ୍ଷାର୍ଥୀ ଫି’ ଦାଖଲ କରିବେ। ୨୬ରୁ ୨୯ ପର୍ଯ୍ୟନ୍ତ ଆନେକ୍ସ-୨, ଏସ୍‌ବି କଲେକ୍ଟ ରିସିପ୍ଟ ଆଦିକୁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ମୁଖ୍ୟ ଓ ଜୋନାଲ୍‌ କାର୍ଯ୍ୟାଳୟରେ ଦାଖଲ କରିହେବ। ଜୋନ୍‌ କାର୍ଯ୍ୟାଳୟଗୁଡ଼ିକ ସେପ୍ଟେମ୍ବର ୨ ସୁଦ୍ଧା ମୁଖ୍ୟ କାର୍ଯ୍ୟାଳୟରେ ଫର୍ମ ଦାଖଲ କରିବାକୁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଜାରି ବିଜ୍ଞପ୍ତିରେ ଆଜି କୁହାଯାଇଛି।

ଦୁଇ ଦିନ ଧରି ଅନୁଷ୍ଠିତ ହେବାକୁ ଥିବା ଏହି ପରୀକ୍ଷାର ପ୍ରଥମ ଦିନ ଅର୍ଥାତ୍‌ ସେପ୍ଟେମ୍ବର ୧୩ରେ କଳା, ବିଜ୍ଞାନ, ବାଣିଜ୍ୟ, ଧନ୍ଦାମୂଳକ ଓ ଡିଷ୍ଟାଣ୍ଟସ୍‌ ଏଜୁକେସନ୍‌ ବିଭାଗର ରେଗୁଲାର ଓ ଏକ୍ସ-ରେଗୁଲାର ଛାତ୍ରଛାତ୍ରୀଙ୍କ ଥିଓରି ପରୀକ୍ଷା ଅନୁଷ୍ଠିତ ହେବ। ଗୋଟିଏ ସିଟିଂରେ ପୂର୍ବାହ୍ନ ୧୦ଟାରୁ ଅପରାହ୍‌ଣ ୧ଟା ପର୍ଯ୍ୟନ୍ତ ବିଭିନ୍ନ ବିଷୟର ପରୀକ୍ଷା ଚାଲିବ। ୧୪ ତାରିଖରେ ସମସ୍ତ ବିଭାଗର ପ୍ରାକ୍ଟିକାଲ ଓ ପ୍ରୋଜେକ୍ଟ ବିଷୟର ପରୀକ୍ଷା କରାଯିବ। ଯେଉଁ ପରୀକ୍ଷାର୍ଥୀ ପ୍ରାକ୍ଟିକାଲ ପରୀକ୍ଷାରେ ପାସ୍‌ କରିଥିବେ ସେମାନଙ୍କୁ ଆଉ ଥରେ ପରୀକ୍ଷା ଦେବାକୁ ପଡ଼ିବ ନାହିଁ। ବିନା ପ୍ରାକ୍ଟିକାଲ ବିଷୟରେ ପରୀକ୍ଷା‌ ଦେବାକୁ ଥିବା ଛାତ୍ରଛାତ୍ରୀଙ୍କୁ ୫୨୦ ଟଙ୍କା ଫି’ ଦେବାକୁ ପଡ଼ିବ। ଫର୍ମ ପୂରଣ ସମୟରେ ପରୀକ୍ଷାର୍ଥୀଙ୍କୁ ମାର୍କସିଟ୍‌ର ଜେରକ୍ସ କପି ଓ ଗୋଟିଏ ପାସ୍‌ପୋର୍ଟ ସାଇଜ୍‌ ଫଟୋ ଦାଖଲ କରିବାକୁ ପଡ଼ିବ ବୋଲି ପରିଷଦ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର