ଦାରିଦ୍ର୍ୟର କରୁଣ ଚିତ୍ର: ଆମ୍ବୁଲାନ୍ସ ବଦଳରେ ରାସ୍ତାରେ ଟେକି ଟେକି ନେଲେ ମହିଳାଙ୍କ ଶବ

ଟାଙ୍ଗୀ: ଦାରିଦ୍ର୍ୟର କରୁଣ ଚିତ୍ର କେତେ ହୃଦୟ ବିଦାରକ ତାହା ଗତକାଲି ବିଳମ୍ବିତ ରାତି ରେ ଘଟିଥିବା ଦୃଶ୍ୟ ଦେଖିଲେ ଯେ କେହି ଅନୁମାନ କରିପାରିବ। ଗତକାଲି ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ଚାନ୍ଦପୁର ଥାନା ଅଧୀନସ୍ଥ ପଟିଆ ଗ୍ରାମର ଜଣେ ମହିଳା ସାଧବ ନାୟକ(୪୫ )ଙ୍କର ଟାଙ୍ଗୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଥିଲା। ମହିଳାଙ୍କ ପରିବାର ଲୋକେ ଶବକୁ ଘରକୁ ନେବାପାଇଁ ପ୍ରସ୍ତୁତ ହେଉଥିବା ବେଳେ ଘରୋଇ ଆମ୍ବୁଲାନ୍ସ ଏଥିପାଇଁ ତିନିହଜାର ଟଙ୍କା ଦାବି କରିଥିଲେ।

ତେବେ ଗରିବଶ୍ରେଣୀର ଲୋକ ହୋଇଥିବାରୁ ଏତେ ଟଙ୍କା ଦେଇ ପାରିବେନାହିଁ ବୋଲି ପଟିଆ ଗ୍ରାମର ପୁରୁଷୋତ୍ତମ ନାୟକ କହିଥିଲେ ମଧ୍ୟ ତାଙ୍କ ଗୁହାରି କେହି ଶୁଣିନଥିଲେ। ତେବେ ମୃତାମହିଳାଙ୍କ ପରିବାର ଲୋକେ ଏତେ ଟଙ୍କା ଦେବାକୁ ଅକ୍ଷମତା ପ୍ରକାଶ କରି ଟାଙ୍ଗୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପରିସରରୁ ଶବକୁ ରାଜରାସ୍ତାରେ କାନ୍ଧରେ ଟେକି ଟେକି ଟାଙ୍ଗୀ ବସ୍‌ଷ୍ଟାଣ୍ଡ ନିକଟ ଗୋଲେଇ ଛକ ପର୍ଯ୍ୟନ୍ତ ଆଣିଥିଲେ। ସେଠାରୁ ସେମାନେ ଏକ ଅଟୋଭଡ଼ା କରି ଗାଁକୁ ଫେରିଥିବା ଜଣାପଡ଼ିଛି। ଏଭଳି ଘଟଣାକୁ ସାଧାରଣ ରେ ସମାଲୋଚନା କରାଯାଇଛି ଏବଂ ସୋସିଆଲ ମିଡିଆରେ ଏହାର ଏକ ଭିଡିଓ ଘୂରି ବୁଲୁଛି।

ସମ୍ବନ୍ଧିତ ଖବର