ଗ୍ରୀଷ୍ମ ମୁକାବିଲା ଲାଗି ଉଚ୍ଚଶିକ୍ଷାନୁଷ୍ଠାନକୁ ନିର୍ଦେଶ

ଭୁବନେଶ୍ବର : ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଉଚ୍ଚଶିକ୍ଷା ବିଭାଗ ପ୍ରସ୍ତୁତି ଆରମ୍ଭ କରିଛି। ବିଶ୍ବବିଦ୍ୟାଳୟ ଓ ମହାବିଦ୍ୟାଳୟ ଖୋଲା ରହିଥିବାରୁ ଛାତ୍ରଛାତ୍ରୀଙ୍କ ସୁରକ୍ଷା ଦିଗରେ ପଦ‌କ୍ଷେପ ନେବାକୁ ସମସ୍ତ ବିଶ୍ବବିଦ୍ୟାଳୟ କୁଳସଚିବ ଓ ସରକାରୀ, ବେସରକାରୀ କଲେଜ ଅଧ୍ୟକ୍ଷଙ୍କୁ ନିର୍ଦେଶ ଦିଆଯାଇଛି। ଗତ ଫେବ୍ରୁଆରି ୨୩ରେ ସ୍ବତନ୍ତ୍ର ରିଲିଫ କମିସନରଙ୍କ ପକ୍ଷରୁ ହିଟ୍‌ୱେଭ୍‌ ନେଇ ଜାରି ହୋଇଥିବା ନିର୍ଦେଶାବଳୀକୁ କଡ଼ାକଡ଼ି ପାଳନ କରିବାକୁ କୁହାଯାଇଛି।

କୋଭିଡ୍‌-୧୯ ସଂକ୍ରମଣ ଯୋଗୁଁ ବିଶ୍ବବିଦ୍ୟାଳୟ ଓ କଲେଜ ଛାତ୍ରଛାତ୍ରୀଙ୍କ ପାଠପଢ଼ା ପ୍ରଭାବିତ ହୋଇଛି। ତେଣୁ ଗ୍ରୀଷ୍ମ ସମୟରେ ଶିକ୍ଷାନୁଷ୍ଠାନ ଖୋଲା ରଖି ପିଲାଙ୍କୁ ପଢ଼ାଇବା‌ ଦିଗରେ ପଦକ୍ଷେପ ନିଆଯାଇଛି। ତେବେ ଗ୍ରୀଷ୍ମ ପ୍ରବାହକୁ ନଜରରେ ରଖି ସକାଳୁଆ କ୍ଲାସ ଓ ପରୀକ୍ଷା କରିବାକୁ ପରାମର୍ଶ ଦିଆଯାଇଛି। ଉଚ୍ଚ‌ ଶିକ୍ଷାନୁଷ୍ଠାନରେ ପାନୀୟ ଜଳ ଯୋଗାଣକୁ ସୁନିଶ୍ଚିତ କରିବା, କ୍ୟାମ୍ପସରେ ଥିବା ନଳକୂଅ ମରାମତି କରାଇବା, ପର୍ଯ୍ୟାପ୍ତ ଓଆରଏସ୍‌ ଉପଲବ୍ଧ କରିବା, ଶ୍ରେଣୀଗୃହ ବାହାରେ କୌଣସି କାର୍ଯ୍ୟକଳାପ ନ କରିବାକୁ କୁହାଯାଇଛି। କୋଭିଡ୍‌-୧୯ ପରେ ଯେଉଁ ଘରୋଇ ଶିକ୍ଷାନୁଷ୍ଠାନଗୁଡ଼ିକ ପରିବହନ ସେବା ବନ୍ଦ ରଖିଛନ୍ତି ସେମାନେ ପୁଣିଥରେ ଆରମ୍ଭ କରିପାରିବେ। ପିଲାମାନେ ଶିକ୍ଷାନୁଷ୍ଠାନକୁ ଯିବା ସମୟରେ ସାଙ୍ଗରେ ପାଣି ବୋତଲ ନେବା ଓ ହିଟ୍‌ୱେଭ୍‌ ସମ୍ପର୍କରେ ସଚେତନ କରାଇବାକୁ ନିର୍ଦେଶ ଦିଆଯାଇଛି।

ସମ୍ବନ୍ଧିତ ଖବର