ଗ୍ରୀଷ୍ମପ୍ରବାହ ଓ ଅଂଶୁଘାତ ମୁକାବିଲା, ବ୍ୟାପକ ସଚେତନତା ପାଇଁ ନିର୍ଦେଶ

ଭୁବନେଶ୍ବର : ସମ୍ଭାବ୍ୟ ଗ୍ରୀଷ୍ମ ପ୍ରବାହ ମୁକାବିଲା ଲାଗି ଆଜି ସରକାରୀ ତନାଘନା ଆରମ୍ଭ ହୋଇଛି। ମୁଖ୍ୟଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଏକ ବୈଠକରେ ସ୍ଥିତି ସମୀକ୍ଷା କରିବା ସହିତ ବ୍ୟାପକ ସଚେତନତା ପାଇଁ ନିର୍ଦେଶ ଦେଇଛନ୍ତି। ବିଶେଷକରି ଅଂଶୁଘାତ ପାଇଁ ସତର୍କତାମୂଳକ ପଦକ୍ଷେପ ଉପରେ ଜୋର ଦିଆଯାଇଛି। ଏହି ଅବସରରେ ଉନ୍ନୟନ କମିସନର ତଥା ସ୍ବତନ୍ତ୍ର ରିଲିଫ୍ କମିସନର ପ୍ରଦୀପ କୁମାର ଜେନା ସମୁଦାୟ କାର୍ଯ୍ୟପନ୍ଥା ସଂପର୍କରେ ବିଶଦ ତଥ୍ୟ ରଖିଥିଲେ।

ବୈଠକରେ ମୁଖ୍ୟସଚିବ କହିଥିଲେ ଯେ ବର୍ତ୍ତମାନ ପର୍ଯ୍ୟନ୍ତ କରାଯାଇଥିବା ପାନୀୟ ଜଳ, ଚିକିତ୍ସା, ଜଳଯୋଗାଣ ବ୍ୟବସ୍ଥାର ପୁନଃ ଅନୁଧ୍ୟାନ ଆବଶ୍ୟକ। ପାନୀୟ ଜଳ ପ୍ରକଳ୍ପର ବିଶୁଦ୍ଧିକରଣ ସହ ଆବଶ୍ୟକସ୍ଥଳେ ତତ୍‌କ୍ଷଣାତ୍ ଯାଞ୍ଚ ଓ ମରାମତି ପ୍ରକ୍ରିୟାକୁ ସକ୍ରିୟ କରାଯିବା ଦରକାର। ନଳକୂପ ଆଦି ନିକଟରେ ଜଳକୁଣ୍ଡ ନିର୍ମାଣ, ଜଙ୍ଗଲରେ ଛୋଟ ଛୋଟ ଆଡ଼ିବନ୍ଧ ନିର୍ମାଣ ଉପରେ ଗୁରୁତ୍ବାରୋପ କରାଯାଇଥିଲା। ସହର ଓ ଗ୍ରାମାଞ୍ଚଳରେ ନିଜ ନିଜ ବାସଗୃହ ନିକଟରେ ପଶୁପକ୍ଷୀଙ୍କ ପାଇଁ ଜଳକୁଣ୍ଡ ରଖିବାକୁ ବି ଲୋକମାନଙ୍କୁ ସରକାରଙ୍କ ପକ୍ଷରୁ ପରାମର୍ଶ ଦିଆଯାଇଥିଲା।

ଉନ୍ନୟନ କମିସନର କହିଥିଲେ, କୌଣସି ସ୍ଥାନରେ ତାପମାତ୍ରା ୪୫ଡିଗ୍ରିରୁ ଅଧିକ ରହିଲେ, ସେତେବେଳେ ଗ୍ରୀଷ୍ମପ୍ରବାହ ସ୍ଥିତି ସୃଷ୍ଟି ହୋଇଥାଏ। ଏଥିପାଇଁ ପ୍ରତିଦିନ ପାଣିପାଗ ସ୍ଥିତି ଅନୁଧ୍ୟାନ ହେବ। ସରକାର ଫେବ୍ରୁଆରିରୁ ପ୍ରସ୍ତୁତି ଆରମ୍ଭ କରିଛନ୍ତି ବୋଲି ସୂଚନା ଦେଇ ଶ୍ରୀ ଜେନା କହିଥିଲେ, ବିଭାଗମାନଙ୍କୁ ମୁକାବିଲା ସଂକ୍ରାନ୍ତ ନିର୍ଦେଶାବଳୀ ଜାରି କରାଯାଇସାରିଲାଣି। ପ୍ରତି ଜିଲ୍ଲାରେ ଜିଲ୍ଲା ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷଙ୍କର ବୈଠକ କରି ଗ୍ରୀଷ୍ମ ପ୍ରବାହ ଉପରେ ସତର୍କ ଦୃଷ୍ଟି ରଖିବାକୁ ମୁଖ୍ୟସଚିବ ନିର୍ଦେଶ ଦେଇଥିଲେ। ଗ୍ରୀଷ୍ମ ପ୍ରବାହ ସଂପର୍କରେ ଆଗୁଆ ସୂଚନା ପ୍ରସାରଣ ଉପରେ ମଧ୍ୟ ଗୁରୁତ୍ବ ଦିଆଯାଇଥିଲା।

ସମ୍ବନ୍ଧିତ ଖବର