ଭୁବନେଶ୍ବର : ରାଜ୍ୟରେ କୋଭିଡ ସଂକ୍ରମଣ ବଢ଼ି ଚାଲିଛି। ଦୈନିକ ସଂକ୍ରମଣ ଏବେ ୨ଶହ ଉପରେ ଜାରି ରହିଛି। ରାଜ୍ୟରେ ସଂକ୍ରମଣ ବଢ଼ୁଥିବାରୁ କୋଭିଡ ଟେଷ୍ଟିଂ ବଢ଼ାଇବାକୁ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଜିଲ୍ଲାମାନଙ୍କୁ ନିର୍ଦେଶ ଦିଆଯାଇଛି। ଏହାସହ କଣ୍ଟାକ୍ଟ ଟ୍ରେସିଂ ଓ ଗୃହ ସଙ୍ଗରୋଧରେ ଥିବା ଆକ୍ରାନ୍ତଙ୍କ ଉପରେ ନଜର ରଖିବା ଲାଗି କୁହାଯାଇଛି। ଯାହାଫଳରେ କରୋନା ସଂକ୍ରମଣକୁ ଅଧିକ ବ୍ୟାପିବାରୁ ରୋକାଯାଇପାରିବ।
ଗତ ୨୪ଘଣ୍ଟାରେ ରାଜ୍ୟରେ ୪୬୨୯ କୋଭିଡ ନମୁନା ପରୀକ୍ଷା ହୋଇଥିବା ବେଳେ ତହିଁରୁ ୨୬୮ କୋଭିଡ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୧୯ଟି ଜିଲ୍ଲାକୁ ସଂକ୍ରମଣ ବ୍ୟାପିଛି। ସୁନ୍ଦରଗଡ଼ ଜିଲ୍ଲାରେ ସର୍ବାଧିକ ୮୩, ନବରଙ୍ଗପୁର ଜିଲ୍ଲାରେ ସର୍ବାଧିକ ୪୨, ମୟୂରଭଞ୍ଜ ୨୪, ନୂଆପଡ଼ା ୨୦, କଟକ ୧୮, ବରଗଡ଼ ୧୫ ଓ ଅନ୍ୟ ଜିଲ୍ଲାରୁ ଆକ୍ରାନ୍ତ ବାହାରିଛନ୍ତି। ଏହାକୁ ମିଶାଇ ରାଜ୍ୟରେ ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ୧୬୭୦କୁ ବୃଦ୍ଧି ପାଇଛି।
ଅପରପକ୍ଷରେ ରାଜ୍ୟ ସରକାର କୋଭିଡ ରୋଗୀଙ୍କ ତଥ୍ୟ ଲୁଚାଉଥିବା ଅଭିଯୋଗ ହୋଇଛି। ପୂର୍ବରୁ କୋଭିଡ ଡ୍ୟାସବୋର୍ଡରେ ଚିହ୍ନଟ ଆକ୍ରାନ୍ତ, ସୁସ୍ଥ ଓ ମୃତକଙ୍କ ସଂପର୍କରେ ସୂଚନା ଦିଆଯାଉଥିଲା। ମାତ୍ର କୋଭିଡ ଡ୍ୟାସବୋର୍ଡରେ କୌଣସି ସୂଚନା ନାହିଁ। ଅନ୍ୟ ରାଜ୍ୟମାନେ ପ୍ରତିଦିନ କୋଭିଡ ଆକ୍ରାନ୍ତଙ୍କ ସଂପର୍କରେ ଦେଉଥିବା ବେଳେ ଓଡ଼ିଶାରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/12/corona-vvv.jpg)